– ୫ ଜିଲ୍ଲାର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର
– ଦୁଇ ଦିନ ପାଇଁ ସବୁ ସ୍କୁଲ, କଲେଜ, ଅଙ୍ଗନବାଡ଼ି ଛୁଟି
– କଲେଜ ନିର୍ବାଚନ ବନ୍ଦ
– ସରକାରୀ ଅଫିସରଙ୍କ ଛୁଟି ବାତିଲ
ଭୁୁବନେଶ୍ୱର: ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି ତିତଲି । ଦିନ ୧୨.୩୦ ସୁଦ୍ଧା ଏହା ଗୋପାଳପୁରଠାରୁ ୩୨୦ କିମି ଦୂରରେ ଅଛି ଏବଂ ଘଣ୍ଟାକୁ ୧୪ କିମି ବେଗର ମାଡ଼ି ଆସୁଛି । ଆସନ୍ତାକାଲି ସକାଳ ୫.୩୦ ବେଳକୁ ଏହା ଗୋପାଳପୁର ଓ କଳିଙ୍ଗପାଟଣମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ସକାଳ ୯ଟା ସୁଦ୍ଧା ଏହା ଗୋପାଳପୁର ଅତିକ୍ରମ କରିବ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୪୫ରୁ ୧୫୦ କିମି ବେଗରେ ପବନ ବହିବ । ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୬୫ କିମି ହେବ । ଆଜି ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ଏହି ସୂଚନା ସହ ତିତଲି ନେଇ ଏକ ସ୍ପଷ୍ଟ ଚିତ୍ର ସାମନାକୁ ଆସିଛି ।
ତିତଲିର ମୁକାବିଲା ପାଇଁ ରାଜ୍ୟ ସରକାର ଆହୁରି ତତ୍ପର ହୋଇଯାଇଛନ୍ତି । ୧୨ଟି ଜିଲ୍ଲାରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ କରାଯାଇଛି । ୬ ଟି ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ସ୍ପର୍ଶକାତର ଜାଗାଗୁଡ଼ିକରେ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ତିତଲିର ତୀବ୍ରତା ଫାଇଲିନ୍ ଏବଂ ହୁଡହୁଡ ଠାରୁ କମ୍ ରହିବ ବୋଲି ପାଣିପାଗ ବିଭାଗ ଜଣାଇ ଦେଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ସମ୍ଭାବ୍ୟ କ୍ଷୟକ୍ଷତି ରୋକିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।
ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ବୈଠକ ପରି ସବୁପ୍ରକାର ସତର୍କତାମୂଳକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିରୋ କାଜୁଆଲିଟି ଅର୍ଥାତ୍ ବାତ୍ୟାରେ ଯେଭଳି କେହି ମୃତାହତ ନ ହୁଅନ୍ତି ତାହା ଉପରେ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ୫ଟି ଜିଲ୍ଲା ଗଂଜାମ, ପୁରୀ,ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମରାମତି ଓ ଥଇଥାନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୧ ଓ ୧୨ ତାରିଖରେ ରାଜ୍ୟର ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ସରକାରୀ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କଲେକ ନିର୍ବାଚନକୁ ବନ୍ଦ କରିଦିଆଯାଇଛି । ସବୁ କଲେଜକୁ ଛୁଟି ଘୋଷଣା କରାଯାଇଥିବାରୁ କଲେଜ ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।