ଭୁବନେଶ୍ୱରମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ରେ ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ମୌକାରୁ ଫାଇଦା ଉଠାଇବା ପାଇଁ ପ୍ରତିଦ୍ୱନ୍ଦୀ ପକ୍ଷକୁ ଭରପୁର ସୁଯୋଗ ମିଳିଛି । ସମ୍ କୁ ସିଲ୍ କରାଇ ପାୱାରଫୁଲ୍ ମନୋଜ ନାୟକଙ୍କୁ ବରବାଦ କରିଦେବାକୁ ତାଙ୍କର ବ୍ୟବସାୟୀ ପ୍ରତିଦ୍ୱନ୍ଦୀ ତଥା ମୋଷ୍ଟ ପାୱାରଫୁଲ୍ ଅଚ୍ୟୁତ ସାମନ୍ତ ନିଜର ବଳକୌଶଳ ଲଗାଇଛନ୍ତି । ସମ୍ ହସ୍ପିଟାଲ୍ ର ଆର୍ଥିକ କାରବାରର ତଦନ୍ତ ପାଇଁ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍(ଏସଆଇଟି)ର ନିର୍ଦ୍ଦେଶ ଜରିଆରେ ଅଚ୍ୟୁତ ସାମନ୍ତ ତାଙ୍କର ପ୍ରଥମ କମାଲ୍ ଦେଖାଇଛନ୍ତି । ଏଠାରେ କହିବା ଅନାବଶ୍ୟକ ଯେ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅରଜିତ ପଶାୟତ୍ତ ହେଉଛନ୍ତି ଅଚ୍ୟୁତ ସାମନ୍ତଙ୍କ ଜିଗିରି ଦୋସ୍ତ । ଦୁହିଁଙ୍କ ନିବିଡ଼ ସମ୍ପର୍କ କିଟ୍ ର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଆଉ ଜଷ୍ଟିସ୍ ପଶାୟତଙ୍କ ନେତୃତ୍ୱରେ ଥିବା ଏସଆଇଟି ଜରିଆରେ ଅଚ୍ୟୁତ ସାମନ୍ତ ନିଜର ମନସ୍କାମନା ପୂରଣ କରିଥିବା କୁହାଯାଉଛି ।
କଳାଧନର ତଦନ୍ତ ପାଇଁ ଗଠିତ ଏସଆଇଟିର ନିର୍ଦ୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ ହସ୍ପିଟାଲ୍ ଆର୍ଥିକ କାରବାରର ଛାନଭିନ୍ ଆରମ୍ଭ କରିଛି । କାହା ଟଙ୍କାରେ ମନୋଜ ନାୟକଙ୍କ ଏତେ ବଡ଼ ସାମ୍ରାଜ୍ୟ ଗଢ଼ାହୋଇଛି ତାହାର ତଦନ୍ତ କରିବ ଇଡି । ତଦନ୍ତରେ ଇଡିକୁ ସହଯୋଗ ପାଇଁ ଏସଆଇଟି ପକ୍ଷରୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ସମ୍ ହସ୍ପିଟାଲ୍ କୁ ସିଲ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଇଡିର ଆର୍ଥିକ ଛାନଭିନ୍ ମନୋଜ ନାୟକଙ୍କ ସାମ୍ରାଜ୍ୟକୁ ଖତମ୍ କରିଦେବ ବୋଲି ଆଶଙ୍କା କରାଗଲାଣି । ପୁଲିସ ଦ୍ୱାରା ଗିରଫ ହୋଇସାରିଥିବା ମନୋଜ ନାୟକ ଏହି ସଙ୍କଟରୁ ଯେ ଉଦ୍ଧାର ପାଇବେ ସେ ସମ୍ଭାବନା ବି ନାହିଁ । ସୁତରାଂ ଏଥିରେ କାହର ଲାଭକ୍ଷତି ହେଉ କି ନ ହେଉ କିଟ୍ ଓ କିସ୍ ମାଲିକ ହେଭି ପାୱାରଫୁଲ୍ ଅଚ୍ୟୁତ ସାମନ୍ତଙ୍କ ପାଇଁ ଯେ ପୁଷମାସ ହୋଇଛି ତାହାକୁ ନେଇ ଏବେ ସବୁ ମହଲରେ ଜୋର୍ ଆଲୋଚନା ।