ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନଦୀ ପାଇଁ ଛାତି ଫଟାଉଥିବା ବିଜୁ ଜନତା ଦଳ ହୀରାକୁଦରୁ ପାରାଦ୍ୱୀପ ଯାଏଁ ମାନବଶୃଙ୍ଖଳ କରିବ । ୫୦ ଲକ୍ଷ କର୍ମୀଙ୍କୁ ସାମିଲ କରାଇ ଓଡ଼ିଶାର ସ୍ୱର ଦିଲ୍ଲୀରେ ପହଞ୍ଚାଇବ । ଆଇଡିଆ କେହି ଖରାପ ବୋଲି କହୁନାହାନ୍ତି । ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଏଭଳି ଲଢ଼େଇକୁ ସମସ୍ତେ ସ୍ୱାଗତ କରୁଛନ୍ତି । ତେବେ ବିଜେଡ଼ି ଘୋଷିତ ଏହି ମାନବଶୃଙ୍ଖଳ ପଛର ବାସ୍ତବ ସତ୍ୟ ଅଲଗା କଥା କହୁଛି । ପଞ୍ଚାୟତ ନିର୍ବାଚନ ପାର୍ ପାଇଁ ବିଜୁ ଜନ୍ମ ଶତବାର୍ଷିିକୀ ପାଳନକୁ ଢ଼ାଲ କରିଥିଲା ବିଜେଡ଼ି । ସରକାରୀ ଟଙ୍କାରେ ମାନବଶୃଙ୍ଖଳ କରି ବିଜୁବାବୁଙ୍କୁ ସମ୍ମାନ ଜଣାଇବାର ଯୋଜନା ବହୁ ପୂର୍ବରୁ ହୋଇସାରିଥିଲା । ତେବେ ହଠାତ ମହାନଦୀ ପ୍ରସଙ୍ଗ ଚାଲିଆସିବାରୁ ବିଜେଡ଼ି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ବସିଛି । ମାଛ ତେଲରେ ମାଛ ଭାଜିଲା ଭଳି ସରକାରୀ ଅର୍ଥରେ ଦଳ ଉଭୟ ପଞ୍ଚାୟତ ଓ ମହାନଦୀ ସଂଗ୍ରାମ ପାର୍ ହୋଇଯିବାକୁ ବାଟ ପାଇଛି ।
ସମସ୍ତେ ଜାଣିଛନ୍ତି ଯେ ଏବେ ବିଜୁବାବୁଙ୍କ ଜନ୍ମଶତବାର୍ଷିକୀକୁ ଧୂମଧାମ ପାଳନ କରୁଛି ବିଜେଡ଼ି । ତାହା ପୁଣି ଖୋଦ୍ ରାଜ୍ୟବାସୀଙ୍କ ଝାଳ ଅର୍ଜିତ ସରକାରୀ ପଇସାରେ । ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଓ ବିଦେଶର ମଧ୍ୟ ସରକାରୀ ଭାବେ ଏହା ପାଳନ କରାଯାଉଛି । ଏଥିପାଇଁ ବଜେଟ୍ ରେ ୨ କୋଟି ଟଙ୍କାର ବ୍ୟବସ୍ଥା ବି କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରକାଶିତ “ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ-୨୦୧୬ ବର୍ଷତମାମ ପ୍ରସ୍ତାବିତ କାର୍ଯ୍ୟକ୍ରମ’ ରେ ରହିଥିବା ଏଜେଣ୍ଡାରେ ଅଛି ରାଜ୍ୟବ୍ୟାପୀ ମାନବଶୃଙ୍ଖଳ ଆୟୋଜନ । ନଭେମ୍ବର ୨୦୧୬ ରେ ଏହି ମାନବଶୃଙ୍ଖଳ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ପଞ୍ଚାୟତିରାଜ ବିଭାଗ ଏହାର ଆୟୋଜନ ଦାୟିତ୍ୱ ନେଇଥିଲା । ସରକାର ଛାପିଥିବା ଏହି ବୁକଲେଟ୍ ପୃଷ୍ଠା ୯ କୁ ଗଲେ ପାଠକେ ଏହା ଦେଖିପାରିବେ । ସ୍ମରଣଯୋଗ୍ୟ, ମାର୍ଚ୍ଚ ୫ ତାରିଖରୁ ପାଳନ ହେଉଥିବା ବିଜୁ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ବର୍ଷତମାମ କାର୍ଯ୍ୟସୂଚୀ ଏହି ବୁକଲେଟ୍ ରେ ସ୍ଥାନିତ ହୋଇଛି । ଅର୍ଥାତ୍ ୨୦୧୬ ମାର୍ଚ୍ଚ ୫ ପୂର୍ବରୁ ବିଜୁବାବୁଙ୍କ ସ୍ମରଣେ ସାରା ରାଜ୍ୟରେ ମାନବଶୃଙ୍ଖଳ ଯୋଜନା ପ୍ରସ୍ତୁତ ହୋଇଥିଲା ।
ଏବେକୁ ଦେଖିଲେ ମହାନଦୀ ପ୍ରସଙ୍ଗ ଆସିଲା ତିନି ମାସ ତଳେ । ଆଉ ବିଜେଡ଼ି ସରକାର ମହାନଦୀ ପ୍ରସଙ୍ଗରେ ଲୋକଙ୍କ ମନ ଜିଣିବା ପାଇଁ ବିଜୁ ଶତବାର୍ଷିକୀ ପାଳନର ପୂର୍ବ ନିର୍ଦ୍ଧାରିତ ମାନବଶୃଙ୍ଖଳ କାର୍ଯ୍ୟକ୍ରମକୁ ଚତୁରତାର ସହ ମହାନଦୀ ସହ ଯୋଡି ଦେଇଛି । ମହାନଦୀ ବଞ୍ଚେଇବା ପାଇଁ ମାନବଶୃଙ୍ଖଳ କରାଯିବ ବୋଲି ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ବିଜୁ ସ୍ମୃତି ପାଳନ ସହ ମହାନଦୀକୁ ଯୋଡି ମାଛ ତେଲରେ ମାଛ ଭାଜିଛି । ପଞ୍ଚାୟତିରାଜ ବିଭାଗ କଳବଳ ଖଟାଇ ୫୦ ଲକ୍ଷ ଲୋକଙ୍କୁ ମାନବଶୃଙ୍ଖଳରେ ଛିଡ଼ା କରାଇବ । ମହାନଦୀ ବଞ୍ଚାଓ ନାରା ଦେବ । ସାଙ୍ଗକୁ ବିଜୁ ସ୍ୱପ୍ନ କଥା କହି ପଞ୍ଚାୟତ ନିର୍ବାଚନ ଭୋଟ ଭିକ୍ଷା କରିବ । ମହାନଦୀ ପାଇଁ ବିଜେଡ଼ିର ଏହା କେବଳ କୁମ୍ଭୀର କାନ୍ଦଣା ନୁହେଁ ବରଂ ନିରୀହ ରାଜ୍ୟବାସୀଙ୍କୁ ପୁଣି ଥରେ ଭକୁଆ ଓ ବିଶ୍ୱାସଘାତକତା କରିଛନ୍ତି ନବୀନ ସରକାର ।