ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେସନ ଆସନ୍ତା ମାର୍ଚ୍ଚ ତୃତୀୟ ସପ୍ତାହରେ ଆରମ୍ଭ ହେବ । ତେବେ ଏଥିରେ ସମ୍ପୂର୍ଣ୍ଣ ବଜେଟ୍ ଆସିବ ନାହିଁ । ଅଧିବେସନରେ ଦୁଇମାସର କାମଚଳା ବଜେଟ୍(ଭୋଟ୍ ଅନ୍ ଆକାଉଣ୍ଟ୍) ଗୃହୀତ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖକୁ ଏହି ପ୍ରସ୍ତାବ ଯାଇଥିବା ଜଣାପଡ଼ିଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ତାରିଖରୁ ବିଧାନସଭା ଆରମ୍ଭ ହେବ ତାହା ସ୍ଥିର ହୋଇନାହିଁ ।
ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ତୃତୀୟ ସପ୍ତାହରୁ ଦୁଇଟି ପର୍ଯ୍ୟାୟରେ ବିଧାନସଭା ଆରମ୍ଭ ହେବାର ପ୍ରସ୍ତାବ ରହିଛି । ମାର୍ଚ୍ଚ ୩୧ ରେ ପ୍ରଥମ ପର୍ଯ୍ୟାୟ ଅଧିବେସନ ଶେଷ ହେବ । ଏହି ସମୟରେ ମାର୍ଚ୍ଚ ଓ ଏପ୍ରିଲ୍ ମାସର ବଜେଟ୍ ଅଟକଳ ଗୃହରେ ଆଗତ ହେବ । ବିଜେପୁର ଉପନିର୍ବାଚନ ଯୋଗୁଁ ଚଳିତବର୍ଷ ବଜେଟ୍ ଅଧିବେସନ ବିଳମ୍ବ ହୋଇଛି । ଏହି କାରଣରୁ କାମଚଳା ବଜେଟ୍ ପାରିତ କରାଇବା ଅବଶ୍ୟମ୍ଭାବୀ ହୋଇପଡ଼ିଛି । ଦୁଇ ମାସରୁ ଅଧିକ ସମୟର କାମଚଳା ବଜେଟ୍ କୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।