କଟକ: ମାହାଙ୍ଗାର ଶାରଦା ଓରଫ୍ ବୁଲୁ ପ୍ରଧାନ ଜଣେ ଭଲ ସଂଗଠକ । ବିଜେଡ଼ି ଟିକେଟ ପାଇବେ ବୋଲି ଗତଥର ଆଶା ବାନ୍ଧିଥିଲେ ହେଲେ ପାଇଲେନି । ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ଭାବେ ପ୍ରତାପ ଜେନାଙ୍କ ବିରୋଧରେ ସ୍ୱାଧୀନ ଭାବେ ଲଢ଼ିଥିଲେ । ଆଜି ସେହି ବୁଲୁ ମିଶିଛନ୍ତି ବିଜେପିରେ । ତାଙ୍କ ମିଶ୍ରଣ ପର୍ବ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ମାହାଙ୍ଗା ପଳାଇ ଆସିଥିଲେ । ଭୁବନେଶ୍ୱରରୁ ସାଙ୍ଗରେ ଯାଇଥିଲେ ବସନ୍ତ ପଣ୍ଡା, କେ.ଭି.ସିଂହଦେଓ ପ୍ରମୁଖ । ରୋଡ୍ ସୋ ଠାରୁ ସଭାମଞ୍ଚ.. ଆଖି ଖୋସିଦେଲା ଭଳି ପର୍ବ ହେଲା ।
ସବୁଠାରୁ ମଜ୍ଜା ଦେଉଥିଲା ମାହାଙ୍ଗା ମିଶ୍ରଣ ପର୍ବର ଲମ୍ବା ଲାଇଭ୍ ସୋ । ଗୋଟେ ଯୋଡ଼େ ଟିଭିକୁ ଛାଡ଼ିଦେଲେ ଯୋଉ ଟିଭି ଖୋଲିବ ମାହାଙ୍ଗା ଲାଇଭ୍ । ବୈଜୟନ୍ତଙ୍କ ପାଣିଟାଙ୍କି ଉଦଘାଟନକୁ ଲାଇଭ୍ କରିଥିବା ଟିଭି ତ ସମସ୍ତଙ୍କୁ ପଛରେ ପକାଇଦେଲା । ଅନ୍ୟ ଏକ ଚାନେଲର କଭରେଜ୍ ପାଇଁ ଦିଲ୍ଲୀରୁ ଆସିଥିଲେ ସ୍ୱତନ୍ତ୍ର ରିପୋର୍ଟର । ଧର୍ମେନ୍ଦ୍ରଙ୍କ ୱାନ୍ ଟୁ ୱାନ୍ ଇଣ୍ଟରଭ୍ୟୁ କଲେ । ସିଧାସିଧା କହିଲେ ପୂରା ବରାଦି ପ୍ରଚାର । ଲାଗୁଥିଲା, ସତେ ଯେପରି ମାହାଙ୍ଗାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରେ ମିଶୁଛନ୍ତି । ଆଡ଼ମ୍ବର ଦେଖି ସାଧାରଣ ଲୋକ ଏଭଳି ଭ୍ରମରେ ପଡ଼ିଥିଲେ ।
ଖଣି ବେପାରରୁ ରାଜନୀତିକୁ ଆସିଥିବା ବୁଲୁ ପ୍ରଧାନ ଆଜି ବିଜେପିରେ ମିଶିବା କେବଳ ଏକ ଔପଚାରିକ ଥିଲା । ପ୍ରତାପ ଜେନାଙ୍କୁ ସାବାଡ଼ କରିବା ପାଇଁ ସେ ବହୁ ଆଗରୁ ବିଜେପି ଓ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଥିଲେ । କ୍ରମେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ନିବିଡ଼ତା ବଢ଼ିଥିଲା । ଧର୍ମେନ୍ଦ୍ରଙ୍କ ଆଉ ଏକ ଡାହାଣ ହାତ ହୋଇ ସେ ତାଙ୍କର ଅତି ଗୋପନୀୟ ବ୍ୟାପାର ବୁଝୁଥିବା ବିଜେପି ମହଲରେ କାହାରିକୁ ଅଛପା ନାହିଁ । ଶେଷରେ ଆଜି ଧର୍ମେନ୍ଦ୍ରଙ୍କ ହାତ ଧରି ପଦାକୁ ଓହ୍ଲାଇଛନ୍ତି । ବୈଜୟନ୍ତଙ୍କ ଆର୍ଶିବାଦ ଓ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସେ ଏବେ ଆଗକୁ ବଢ଼ିବେ ବୋଲି ବୁଲୁଙ୍କ ସମର୍ଥକମାନେ କହିଛନ୍ତି ।
ସେପଟେ ଆଜି ମାହାଙ୍ଗା ମାଟିରେ ଧର୍ମେନ୍ଦ୍ର ବେଶ୍ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ତ ଯାହା ଗାଳି କଲେ କଲେ ସେଥିରେ ବୈଜୟନ୍ତ ପଣ୍ଡାଙ୍କୁ ଗତବର୍ଷ ମାହାଙ୍ଗାରେ ହୋଇଥିବା ଅଣ୍ଡାମାଡ଼ ପ୍ରସଙ୍ଗକୁ ଧରି ଆହୁରି ଉଲ୍ଲସିତ ହୋଇଗଲେ । ଖାଲି ସେତିକି ନୁହେଁ, ସାଂସଦ ପାଣ୍ଠି ଖର୍ଚ୍ଚକୁ ନେଇ ବୈଜୟନ୍ତଙ୍କ ସପକ୍ଷରେ ଢ଼େର୍ ଓକିଲାତି କଲେ । ବିଜେଡ଼ି ବିରୋଧରେ ଲଢ଼ିବା ପାଇଁ ଧର୍ମେନ୍ଦ୍ର ବୈଜୟନ୍ତଙ୍କ ପିଠିରେ ଲାଉ ହୋଇଥିବା ବାହାରେ ଚର୍ଚ୍ଚା ହେଉଥିଲା । ସୂଚନାଯୋଗ୍ୟ, ବୈଜୟନ୍ତ ବିଜେପିରେ ମିଶି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଏବେ ଚର୍ଚ୍ଚା ହେଉଛି । କୁଆଡ଼େ ବହୁ ଆଗରୁ ବୈଜୟନ୍ତ ଦଳର ଦିଲ୍ଲୀ ନେତାଙ୍କୁ ନିଜର ଇଚ୍ଛା ଜଣାଇଥିଲେ ମଧ୍ୟ ଧର୍ମେନ୍ଦ୍ର ବାଧକ ସାଜିଥିଲେ । ମାତ୍ର ଧର୍ମେନ୍ଦ୍ର ଏବେ ନିଜର ଷ୍ଟ୍ରାଟେଜି ବଦଳାଇଛନ୍ତି ଏବଂ ବୈଜୟନ୍ତଙ୍କ ଟିଭିକୁ ଆଖିରେ ରଖି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି । ବୈଜୟନ୍ତ ବି ସବୁ ପ୍ରକାର ସହଯୋଗ କରିବାକୁ କୁଆଡ଼େ ସମ୍ମତି ଜଣାଇଛନ୍ତି । ତୃତୀୟ ମହଲାକୁ ଆଟାକ୍ ରୁ ବୈଜୟନ୍ତ ତାଙ୍କର ମିସନ୍ ଆଗେଇ ନେଇଛନ୍ତି । ମଜ୍ଜାର କଥା, ଏଣିକି ‘ବିଜେପି ଲାଇଭ୍’ ନ ଦେଖି ବୈଜୟନ୍ତଙ୍କ ଟିଭି ଏବଂ ୱେବପୋର୍ଟାଲ୍ ଦେଖିଦେଲେ ସବୁ ଭାଷଣ ମିଳିଯାଉଛି । ଆଜି ମାହାଙ୍ଗାରେ ଧର୍ମେନ୍ଦ୍ରଙ୍କ ସଭାର ଜବରଦସ୍ତ ପ୍ରଚାର ଓ ଲମ୍ବା ‘ର’ ଭାଷଣକୁ ବୈଜୟନ୍ତଙ୍କ ସଂସ୍ଥାର ୱେବପୋର୍ଟାଲ ସ୍ଥାନିତ କରିବା ଏହାର ସତ୍ୟତମ ଉଦାହରଣ ।
ବୈଜୟନ୍ତଙ୍କୁ ପଛରେ ରଖି କେନ୍ଦ୍ରାପଡ଼ାରେ ବିଜେପି ନିଜର ଶକ୍ତି ବଢ଼ୋଉଥିବା ବେଳେ ବିଜେଡ଼ି ନେତାମାନଙ୍କ ଖୋଜଖବର ନାହିଁ । ତିନିଦିନ ତଳେ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ଧର୍ମେନ୍ଦ୍ରଙ୍କ ସହ ହସଖୁସି କରୁଥିବା ପ୍ରତାପ ଦେବ ଆଜି ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଥିଲେ ମଧ୍ୟ ତାହା ଲୋକଙ୍କୁ ଛୁଇଁନାହିଁ । ଧର୍ମେନ୍ଦ୍ରଙ୍କ କଠୋର ମନ୍ତବ୍ୟ ଆଗରେ ବିଜେଡ଼ି ମୁଖପାତ୍ରଙ୍କ କଅଁଳିଆ କଥା ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ହୋଇପାରେ, ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ସେମାନଙ୍କ ପାଖରେ ନାହିଁ । ଆଉ ଥିଲେ ବି କହିବାକୁ ସାହାସ ନାହିଁ । ନହେଲେ ତାଙ୍କ ନେତାଙ୍କୁ ଧର୍ମେନ୍ଦ୍ର ଏଭଳି ଗାଳିଗୁଲଜ କରୁଥାଆନ୍ତେ ଆଉ ମୁଣ୍ଡିଆଳମାନେ ଲାଙ୍ଗୁଳ ଜାକି ରହୁଥାଆନ୍ତେ ବୋଲି ବିଜେଡ଼ିର ତଳିଆ କର୍ମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ଛକାପଂଝା ଆରମ୍ଭ ହୋଇଯାଇଛି । ଗତଥର କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ଧର୍ମେନ୍ଦ୍ର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଆଜି ମାହାଙ୍ଗା ମିଟିଂ ମଞ୍ଚରେ ଧର୍ମେନ୍ଦ୍ର ଉପସ୍ଥିତ ଅନ୍ୟ ନେତାମାନଙ୍କ ନାଁ ନେଇ ସମ୍ବୋଧିତ କରିଥିଲେ ମଧ୍ୟ ବିଷ୍ଣୁଙ୍କୁ ସମ୍ବୋଧିତ କରି ନ ଥିଲେ । ବିଷ୍ଣୁ ସମର୍ଥକଙ୍କ ମଧ୍ୟରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।
ସମ୍ବାଦ ପରିବେଷଣ କରି ଶିଖ। ଆଜିର ଦୁନିଆରେ ସମ୍ବାଦ ପରିବେଷଣରେ ବହୁତ ପଛରେ ଅଛ। ପର ନିନ୍ଦା ସମ୍ବାଦ ନୁହେଁ। ତୁମେ ବି ସେଇଆ।