ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଘେରିଛି ବିଜେଡ଼ି । ମିଥ୍ୟା ସତ୍ୟପାଠ ଦେଇ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି । ଆଉ ଥରେ ନ ଠକନ୍ତୁ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଏହି ପ୍ରସଙ୍ଗ ଉଠାଇବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବୈଜୟନ୍ତଙ୍କ ପ୍ରାର୍ଥୀତ୍ୱ ନାକଚ ପାଇଁ ଦାବି କରିଛି ।
ବିଜେଡ଼ି ପ୍ରେସମିଟ୍ ରେ ବୈଜୟନ୍ତଙ୍କ ୨୦୧୪ ମସିହାର ସତ୍ୟପାଠ ଏବଂ ୨୦୧୯ ମସିହାର ସତ୍ୟପାଠ ବିଷୟ ଉଲ୍ଲେଖ କରାଯାଇଛି । ଇମଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନ ସତ୍ୟପାଠରେ କିଭଳି ତାହାକୁ ଲୁଚାଇଥିଲେ ଏବଂ ଚଳିତ ନିର୍ବାଚନ ସତ୍ୟପାଠରେ ତାହା ଉଲ୍ଲେଖ କରି ଧରାପଡ଼ିଲେ ତାହା ଦର୍ଶାଯାଇଛି । ସତ୍ୟପାଠରେ ତଥ୍ୟ ଲୁଚାଇ କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ ଠକିଥିଲେ ମଧ୍ୟ ବିଜେପିର ନିରବତାକୁ ପ୍ରଶ୍ନ କରାଯାଇଛି । ଏହା କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା ଓ ବିଶ୍ୱାସଘାତକତା । କେନ୍ଦ୍ରାପଡ଼ାବାସୀ ପୂର୍ବରୁ ଡବଲ ଇଞ୍ଜିନ୍ ନାଁ ଶୁଣିଥିଲେ । ଏବେ ଡବଲ୍-ବି ବା ବୈଜୟନ୍ତ ଏବଂ ବିଜେପି ମିଳିତ ଭାବେ ସେମାନଙ୍କୁ ଠକିବାକୁ ଯୋଜନା କରିଛନ୍ତି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି, ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନିଜେ ସେ ପ୍ରମାଣିତ କରିଛନ୍ତି । ଏହା ମାମୁଲି ଘଟଣା ନୁହେଁ । ଏଭଳି ଠକେଇ ଜରିଆରେ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା କରିଛନ୍ତି । ଆଶ୍ଚର୍ଯ୍ୟର କଥା, ବିଜେପି ଏହା ଉପରେ ଖାଲି ଚୁପ୍ ନାହିଁ ବରଂ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀ କରିଛି । ଉଭୟ ବୈଜୟନ୍ତ ଓ ବିଜେପି କେନ୍ଦ୍ରାପଡ଼ାବାସୀଙ୍କୁ ଚିଟିଂ କରିବାକୁ ଚାହିଁଛନ୍ତି ।
ଟିକେ ଟିକେ କଥାରେ ପ୍ରେସମିଟ୍ ଓ ଟିଭିରେ ବାଇଟ୍ ଦେଉଥିବା ବିଜେପି ନେତାମାନେ ବୈଜୟନ୍ତଙ୍କ ଠକେଇ ପ୍ରସଙ୍ଗରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରିବା ଏବଂ ସେମାନଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କର ପାଟି ନ ଖୋଲିବା ପଛରେ ଗୋଟେ ବଡ଼ କାରଣ ରହିଛି ବୋଲି ଡ. ସସ୍ମିତ୍ ପାତ୍ର କହିଛନ୍ତି । ଧର୍ମେନ୍ଦ୍ର ଜାଣିଛନ୍ତି, ବୈଜୟନ୍ତଙ୍କ ଚିଟିଂ ସଂକ୍ରାନ୍ତରେ ମୁହଁ ଖୋଲିଲେ ତାଙ୍କ ନିଜର ଅପରାଧ ଲିଙ୍କ୍ ଘାଟାରେ ପଡ଼ିଯିବ । ଗ୍ୟାଙ୍ଗଷ୍ଟର୍ ଟିଟୋ ଏବଂ ଡି-ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର ଗୁମର ପଦାକୁ ଚାଲିଆସିବ । ତେଣୁ ଧର୍ମେନ୍ଦ୍ର ଏବଂ ତାଙ୍କ ବିଜେପି ଚୁପ ରହି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତଙ୍କ ଠକେଇକୁ ସମର୍ଥନ କରୁଛନ୍ତି । ବିଜେପି ଜରିଆରେ ବୈଜୟନ୍ତ ତାଙ୍କ ମାଇନିଂ କମ୍ପାନୀ ପାଇଁ ବ୍ୟବସାୟିକ ସ୍ୱାର୍ଥ ହାସଲ କରିବେ ଏବଂ ତା ବଦଳରେ ବୈଜୟନ୍ତଙ୍କ ମିଡ଼ିଆ କଳ ଧର୍ମେନ୍ଦ୍ରଙ୍କ ଅପରାଧ ଲିଙ୍କ୍ ପଦାକୁ ଆଣିବନି ବୋଲି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିବା ଡ. ପାତ୍ର ଅଭିଯୋଗ କରିଛନ୍ତି ।
ଉଭୟପକ୍ଷର ସ୍ୱାର୍ଥ ପାଇଁ କେନ୍ଦ୍ରାପଡ଼ାବାସୀଙ୍କୁ ଶିକାର କରିବାର ଯୋଜନା କରାଯାଇଛି । ତେବେ ଆଉ ଥରେ ଠକାମୀର ଶିକାର ହେବାକୁ କେନ୍ଦ୍ରାପଡ଼ାବାସୀ ଡବଲ-ବି(ବୈଜୟନ୍ତ-ବିଜେପି)କୁ ସୁଯୋଗ ଦେବେ ନାହିଁ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।
ବୈଜୟନ୍ତଙ୍କ ପ୍ରାର୍ଥୀତ୍ୱ ନାକଚ ପାଇଁ ସିଇଓଙ୍କ ପାଖରେ ଫେରାଦ
୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିଲେ । ତାଙ୍କୁ ପୁର୍ନବାର ଠକିବାର ସୁଯୋଗ ନ ଦେଇ ତାଙ୍କ ପ୍ରାର୍ଥୀତ୍ୱ ନାକଚ କରାଯାଉ ବୋଲି ବିଜେଡ଼ି ପକ୍ଷରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରାଯାଇଛି ।
ବିଜେଡ଼ି ଦର୍ଶାଇଛି, ୨୦୧୪ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ତାଙ୍କ ସତ୍ୟପାଠରେ ନିଜକୁ ଜଣେ ସିଟିଂ ଏମପି ଭାବେ କେବଳ ଦର୍ଶାଇଥିଲେ । ମାତ୍ର ସେହି ସମୟରେ ସେ ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥିଲେ । କମ୍ପାନୀର ୨୦୧୩-୧୪ ଏବଂ ୨୦୧୪-୧୫ ଆର୍ଥିକ ବର୍ଷ ରିପୋର୍ଟରେ ବୈଜୟନ୍ତ ପଣ୍ଡା କମ୍ପାନୀର ଉପାଧ୍ୟକ୍ଷ ଥିବା ଉଲ୍ଲେଖ ଥିଲା । କମ୍ପାନୀ ଉପାଧ୍ୟକ୍ଷ ଭାବେ ସେ କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ଦରମା ଆକାରରେ ନେଇଥିବା ମଧ୍ୟ ସେଥିରେ ଦର୍ଶାଯାଇଥିଲା । ମାତ୍ର ଏହି ତଥ୍ୟକୁ ବୈଜୟନ୍ତ ତାଙ୍କ ସତ୍ୟପାଠରେ ଲୁଚାଇଥିଲେ ।
ଚଳିତ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ନାମାଙ୍କନ ବେଳେ ସତ୍ୟପାଠରେ ନିଜକୁ ଇମ୍ଫା କମ୍ପାନୀର ଉପାଧ୍ୟକ୍ଷ ବୋଲି ସତ ଉଲ୍ଲେଖ କରିବାକୁ ବାଧ୍ୟ ହୋଇଛନ୍ତି । ମାସିକ ୧୭ ଲକ୍ଷ ଟଙ୍କା ହିସାବରେ ତିନି ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ହୋଇଥିବା ଦର୍ଶାଇଛନ୍ତି । ସୁତରାଂ, ମାଇନିଂ କମ୍ପାନୀ ଇମ୍ଫା ତାଙ୍କ ଦ୍ୱାରା ପରିଚାଳିତ ଏବଂ ଦରମା ବାବଦରେ ବର୍ଷକୁ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ବୈଜୟନ୍ତ ମାନିଛନ୍ତି ।
ଏଥିରୁ ସ୍ପଷ୍ଟ ଯେ ବୈଜୟନ୍ତ ପଣ୍ଡା ୨୦୧୪ ମସିହାରେ ମିଥ୍ୟା ସତ୍ୟପାଠ ଦେଇ କେନ୍ଦ୍ରପଡ଼ାବାସୀଙ୍କୁ ଠକିଥିଲେ । ଏଥର ସତ୍ୟପାଠରେ ସେ ନିଜେ ଏହା ସ୍ୱୀକାର କରିଛନ୍ତି । ତେଣୁ ତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ନ ଦେବାକୁ ବିଜେଡ଼ି ଦାବି କରିଛି ।