ଭୁବନେଶ୍ୱର: ଭିଜିଲାନସ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୫ ଜଣ ସରକାରୀ କର୍ମଚାରୀଙ୍କୁ ୧୫ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାକିରିରୁ ବିଦା କରିଥିଲେ । ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ପେନସନ ବନ୍ଦ କରିଥିଲେ । ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଏହି କଠୋର ପଦକ୍ଷେପର ଚର୍ଚ୍ଚା ନ ଥମୁଣୁ ଆଜି ଏହାର ଦ୍ୱିତୀୟ ଅଧ୍ୟାୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆଜି ଆଉ ୬ ଜଣ କର୍ମଚାରୀଙ୍କ ଚାକିରି ଖାଇଛନ୍ତି । ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧାକୁ ବି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହି ସବୁ କର୍ମଚାରୀମାନଙ୍କୁ ଭିଜିଲାନ୍ସ କୋର୍ଟ ଦୁର୍ନୀତି ସାର୍ଟିଫିକେଟ୍ ଦେଇଛି । ଅର୍ଥାତ୍ କୋର୍ଟ ଦ୍ୱାରା ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଚାକିରିରୁ ବରଖାସ୍ତ ହୋଇଥିବା ଏହି କର୍ମଚାରୀମାନେ ହେଲେ(୧)ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ । ଶ୍ରୀ ରାୟ ପୂର୍ବରୁ ରାଉରକେଲା ଆରଟିଓ ଅଫିସ୍ ରେ ଜୁନିଅର କ୍ଲର୍କ ଥିଲେ ।(୨) ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ବର୍ତ୍ତମାନ ସେ ଜୟପୁର ଆଇଟିଡ଼ିଏରେ କାର୍ଯ୍ୟରତ ଥିଲେ ।(୩) ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟରତ ପଶୁଡାକ୍ତର ଭାଗିରଥୀ ବିଶ୍ୱାଳ ।(୪) ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର ।(୫) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ର ପଞ୍ଚାୟତ ଏକଜ୍ୟୁଟିଭ ଅଫିସର ତ୍ରିଲୋଚନ ସେଠ୍ ଏବଂ(୬) ବଣାଇଗଡ଼ ବ୍ଲକ୍ ର ବଞ୍ଚାୟତ ଏକଜ୍ୟୁଟିଭ ଅଫିସର ଅଷ୍ଟମ ଚନ୍ଦ୍ର ପଟେଲ ।
ପେନସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀ ହେଲେ- (୧) ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଂଜିନିୟର ଗୌତମ ଚନ୍ଦ୍ର ପୃଷ୍ଟି । (୨) ଓସିସିର ପୂର୍ବତନ ଜେନେରାଲ୍ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ।(୩) କଟକ ଡ୍ରେନେଜ୍ ଚିଫ ଇଂଜିନିୟର କାର୍ଯ୍ୟାଳୟର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଏବଂ (୪) ବାରିପଦା ଆଇଟିଡ଼ିଏ ର ପୂର୍ବତନ ଜୁନିଅର ଇଂଜିନିୟର ରବି ନାରାୟଣ ମହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଜିରୋ ଟଲେରାନ୍ସ ନୀତିକୁ କଡ଼ାକଡ଼ି କରିଥିବା ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପକୁ ସାଧାରଣରେ ସାବାସୀ ଦିଆଯାଉଛି । ତେବେ ଖାଲି ତଳତଳିଆ କି ମଝିମଝିଆ କର୍ମଚାରୀ ନୁହଁନ୍ତି, ଦୁର୍ନୀତିଗ୍ରସ୍ତ ବଡ଼ବଡ଼ିଆ ଅଫିସରଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କେବେ ଜିରୋ ଟଲେରାନ୍ସ ନୀତି କାର୍ଯ୍ୟକାରୀ କରିବେ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।