ଭୁୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ରେ କେତେକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଓଡ଼ିଶା ପାଇଁ ସେଭଳି ଆଶା ଦେଖିନାହାନ୍ତି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଅର୍ଥବରାଦରେ ସ୍ଥାଣୁତା ଆସିଥିବା ବେଳେ କେନ୍ଦ୍ରୀୟ ଟିକସ ଭାଗରୁ ଓଡ଼ିଶା ୩୦ଜାର କୋଟି ଟଙ୍କା ହରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବଜେଟ୍ ରେ କୃଷି ରେଳ ଏବଂ କୃଷି ଉଡ଼ାନ ଯୋଜନା, ୨୦ ଲକ୍ଷ ଚାଷୀଙ୍କୁ ସୌରପମ୍ପ ଯୋଗାଇବା ନିମନ୍ତେ ‘ପିଏମ-କୁସୁମ’ ଯୋଜନ, ଡିଭିଡେଣ୍ଟ ଡିଷ୍ଟ୍ରିବୁସନ୍ ଟାକ୍ସ ଉଚ୍ଛେଦ ହୋଇ କନସେସନାଲ୍ କମ୍ପୋନେଣ୍ଟ ଟାକ୍ସ ପ୍ରଚଳନକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେଥିପାଇଁ ଓଡ଼ିଶା ପୂର୍ବରୁ ଦାବି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ବୀମାଭୁକ୍ତ ଜମାରାଶି ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ନୂଆ ଶିକ୍ଷା ନୀତି ଏବଂ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଘୋଷଣାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଅର୍ଥ ପ୍ରଦାନରେ ସ୍ଥାଣୁତା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ସେହିପରି କେନ୍ଦ୍ରୀୟ ଟିକସର ଭାଗମାପ ପ୍ରାୟ ୫୯,୦୦୦ କୋଟି ଟଙ୍କା କମାଇ ଦିଆଯାଇଥିବାରୁ ଓଡ଼ିଶା ୩୦୦୦ କୋଟି ଟଙ୍କା ହରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ପାଇଁ ବଛା ଯାଇଥିବା ଆଇକନିକ୍ ସାଇଟ୍ ମଧ୍ୟରେ ଓଡ଼ିଶାର କୌଣସି ଜାଗା ନାହିଁ । ପାନୀୟ ଜଳ ଜାତୀୟ ଗୁରୁତ୍ୱ ବହନ କରୁଥିଲେ ମଧ୍ୟ ସମଗ୍ର ଦେଶ ପାଇଁ ୩.୬ ଲକ୍ଷ କୋଟିର ଅନୁମୋଦିତ ଯୋଜନା ବେଳେ ଦିଆଯାଇଛି ମାତ୍ର ୧୧,୫୦୦ କୋଟି ଟଙ୍କା । କେବଳ ଓଡ଼ିଶାରେ ପାନୀୟ ଜଳ ପାଇଁ ୩୬୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ନିବେଶକାରୀଙ୍କ ବିଶ୍ୱାସର ସୂଚାଙ୍କ ହେଉଛି ସେନସେକ୍ସ । ମାତ୍ର ବଜେଟ୍ ଆଗତ ହେବା ପରେ ସେନସେନ୍ସ ୧୦୦୦ ପଏଣ୍ଟ ହ୍ରାସ୍ ହେବା ଦର୍ଶାଉଛି ଯେ ଦେଶର ଅର୍ଥନୀତି ପାଇଁ ଆହୁରି ଅନେକ ପଦକ୍ଷେପ ନେବାର ସୁଯୋଗ ରହିଛି । ଅର୍ଥନୀତି ଅଭିବୃଦ୍ଧି ପାଇଁ ନିବେଶକାରୀଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯୁବକଙ୍କ ନିଯୁକ୍ତି ଏବଂ ପେଟପାଟଣା ଉପରେ ଏହାର ବଡ଼ ପ୍ରଭାବ ରହିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।