ଭୁବନେଶ୍ୱର: ରାଜ୍ୟର ମରୁଡ଼ି ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ୟାକେଜ୍ ର ମୁଖ୍ୟାଂଶ ଗୁଡ଼ିକ ହେଲା..
– ୩୩% ବା ଅଧିକ ଫସଲ ହାନି ହୋଇଥିବା ଅଣଜଳସେଚିତ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା । ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩,୫୦୦ ଟଙ୍କା ଓ ବର୍ଷବ୍ୟାପୀ ଫସଲ ନିମନ୍ତେ ହେକ୍ଟର ପିଛା ୧୮,୦୦୦ ଟଙ୍କା ମିଳିବ । ପ୍ରତି ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଏହା ଦିଆଯିବ । ବର୍ଷବ୍ୟାପୀ ଫସଲ ନିମନ୍ତେ ସର୍ବନିମ୍ନ ୨,୦୦୦ଟଙ୍କା ଓ ଅନ୍ୟାନ୍ୟ ଫସଲ ନିମନ୍ତେ ସର୍ବନିମ୍ନ ୧,୦୦୦ଟଙ୍କା ହେକ୍ଟର ପ୍ରତି ଇନପୁଟ୍ ସବସିଡ଼ି ଦିଆଯିବ ।
– ଶତକଡ଼ା ୫୦ ଭାଗ ଓ ସର୍ବାଧିକ ୧୫,୦୦୦ ଟଙ୍କା ରିହାତିରେ ୩,୦୦୦ ଟି ୦.୫ ଏଚପି ର ପାଣିପମ୍ପ ଏବଂ ୯୦% ଓ ସର୍ବାଧିକ ୫୪,୦୦୦ ଟଙ୍କା ରିହାତିରେ ସୌର ଜଳନିଧି ଯୋଜନାରେ ୧,୦୦୦ଟି ସୌରଚାଳିତ ପାଣି ପମ୍ପ ଯୋଗାଇ ଦିଆଯିବ ।
– ୨୦୧୮-୧୯ ରବି ଋତୁରେ ୫୦% କିମ୍ବା ସର୍ବାଧିକ ୩,୮୦୦ ଟଙ୍କା ରିହାତିରେ ବ୍ୟାଟେରି ଚାଳିତ ସିଞ୍ଚନ ଯନ୍ତ୍ର ଓ ସର୍ବାଧିକ ୬୦୦ ଟଙ୍କା ରିହାତିରେ ୩,୦୦୦ ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯିବ ।
– ପ୍ରଭାବିତ ଗ୍ରାମର ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ମରାମତି କରାଯିବ ।
– ବିଦ୍ୟୁତ ସଂଯୋଗ ନ ଥିବା ଉଠାଜଳସେଚନ ପ୍ରକଳ୍ପ ଓ ସମସ୍ତ ଗଭୀର ନଳକୂପଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବ ।
– ୩୩% କିମ୍ବା ଅଧିକ ଫସଲ ହାନି ହୋଇଥିବା ଅଞ୍ଚଳରେ ୨୦୧୮ରେ ଖରିଫରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତିତ ହେବ । ପରିବର୍ତ୍ତନ କରିବାର ତାରିଖ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।
– ଖରିଫ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଋତୁ ପାଇଁ ନୂତନ ଫସଲ ଋଣ ଯୋଗାଇ ଦିଆଯିବ ।
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ ।
– ୩୩% କିମ୍ବା ଅଧିକ ଫସଲ ହାନି ହୋଇଥିବା ଅଞ୍ଚଳରେ ଚାଷୀମାନଙ୍କର ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବ ।
– ମରୁଡ଼ି ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ସ୍କୁଲ, କଲେଜଗୁଡ଼ିକର ଛାତ୍ରୀଛାତ୍ରୀମାନଙ୍କ ପରୀକ୍ଷା ଫିସ୍ ଓ ଟ୍ୟୁସନ୍ ଫିସ୍ ସମ୍ପୂର୍ଣ୍ଣ ଛାଡ଼ କରାଯିବ ।