ଭୁୁବନେଶ୍ୱର: ନୂଆ ମୋଟରଯାନ ଆଇନରେ ମାତ୍ରାଧିକ ଟ୍ରାଫିକ୍ ଜରିମାନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିବା ଜନ ଅସନ୍ତୋଷ ରାଜ୍ୟ ସରକାରଙ୍କ ହୋସ୍ ଉଡ଼ାଇ ଦେଇଛି । ଲୋକଙ୍କ ରାଗ ଓ ଅସନ୍ତୋଷ କମାଇବା ପାଇଁ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି । ଟ୍ରାଫିକ୍ ଧରପଗଡକୁ ୩ ମାସ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥାତ୍ ଟ୍ରାଫିକ୍ ଆଇନ ଉଲ୍ଲଂଘନକାରୀଙ୍କୁ ୩ ମାସ ପାଇଁ ଯାଏଁ ନାଲି ଆଖି ଦେଖାଇବେନି ପରିବହନ ଓ ପୁଲିସ କର୍ମଚାରୀ । କଠୋର ନ ହୋଇ ସେମାନଙ୍କୁ ବୁଝାଇ କାଗଜପତ୍ର ଠିକ୍ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରସ୍ତୁତି ନ ଥାଇ ନୂଆ ଆଇନ କାର୍ଯ୍ୟକାରୀ କଲେ ତାହାର ପରିଣତି କ’ଣ ତାହା ବିଳମ୍ବରେ ହେଲେ ବି ମୁଖ୍ୟମନ୍ତ୍ରୀ ବୁଝିଛନ୍ତି । ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯାହା ସାରା ରାଜ୍ୟରେ ଅସନ୍ତୋଷର ନିଆଁ ଜଳାଇଲାଣି । ଲୋକଙ୍କର ଏହି ପ୍ରତିକ୍ରିୟା ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଆଇନକୁ କାର୍ଯ୍ୟକାରୀ କରୁଥିବା ଏନଫୋର୍ସମେଣ୍ଟ ଏଜେନ୍ସୀମାନେ ଲୋକଙ୍କ ପ୍ରତି କଠୋର ନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରିବାରେ ସଂପୃକ୍ତ ବିଭାଗଗୁଡ଼ିକ ଅଧିକ କାଉଣ୍ଟର ଖୋଲି ଲୋକଙ୍କୁ ସହାୟତା ଦେବେ । ଏଥିପାଇଁ ୩ ମାସ ପର୍ଯ୍ୟନ୍ତ ଆଇନକୁ କଡ଼ାକଡ଼ି ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ଟ୍ରାଫିକ ନିୟମ ପାଳନ କରିବାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ଟ୍ରାଫିକ ନିୟମ ପାଳିବା ସହ ବିପଦପୂର୍ଣ୍ଣ ଗାଡ଼ିଚାଳନାରୁ ନିବୃତ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
nice instruction of c. m.