ନୂଆଦିଲ୍ଲୀ: କରୋନା ଲକ୍ଷଣ ଦେଖାଦେବାରୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର । ଗତକାଲି ସଂଧ୍ୟାରୁ ହସ୍ପିଟାଲ୍ ଆଇସିୟୁ ରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଆଜି ତାଙ୍କର ବ୍ଲଡ୍ ଏବଂ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିଲା ପରେ ଯାଇ ସେ କରୋନାରେ ସଂକ୍ରମିତ କି ନା ସ୍ପଷ୍ଟ ହେବ ।
ଦୁଇ ଦିନ ତଳେ ସମ୍ବିତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କଠାରେ କରୋନା ଲକ୍ଷଣ ଅନୁଭବ କରିଥିଲେ । ଗତକାଲି ସଂଧ୍ୟାରେ ସେ ମେଦାନ୍ତ ହସ୍ପିଟାଲ୍ ଯାଇ ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ଚିକିତ୍ସା ତୁରନ୍ତ ଆରମ୍ଭ କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି ।
ସମ୍ବିତ ପାତ୍ରଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ଭେଟିବା ପାଇଁ କିଛି ଦିନ ତଳେ ଦୁଇଜଣ ବ୍ୟକ୍ତି ଆସିଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ତାଙ୍କଠାରୁ ସେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏହି ଖବରର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନାହିଁ ।
ବିଜେପି ମୁଖପାତ୍ର ଭାବେ ଜାତୀୟ ଗଣମାଧ୍ୟମରେ ସଦାବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଆ ଯୁବକ ସମ୍ବିତ ପାତ୍ର ଗତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ ।