ଭୁୁବନେଶ୍ୱର:ଯୌନ କେଳେଙ୍କାରୀ ଅଭିଯୁକ୍ତ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ତାଙ୍କର ଇସ୍ତଫାପତ୍ର ପଠାଇଥିବା କୁହାଯାଉଛି । ଗତକାଲି ସଂଧ୍ୟାରେ ସୋସିଆଲ୍ ମିଡ଼ିଆ ଓ କିଛି ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହୋଇଛି । ତେବେ ଅନନ୍ତ ଏହାକୁ ଅସ୍ୱୀକାର କରିଛନ୍ତି ।
ଘଟଣା ଯାହା ହେଉ ନା କାହିଁକି, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନନ୍ତଙ୍କୁ ମେୟର ପଦରୁ ବିଦା କରିବା ପାଇଁ ନବୀନ ନିଷ୍ପତ୍ତି ନେଇସାରିଛନ୍ତି । ତାଙ୍କ ଯୋଗୁଁ ଦଳ ଭାବମୂର୍ତ୍ତି ବିଷାକ୍ତ ହୋଇଛି ଏବଂ ଦଳ ପାଇଁ ସବୁଠାରୁ ସେ ବଡ଼ କଳଙ୍କ ବୋଲି ଡେରିରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି । ଅନନ୍ତଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି କୁ ଝୁଲାଇ ରଖି ଅଧିକ ବିପଦ ଡାକିବାକୁ ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି । ସୂଚନାଯୋଗ୍ୟ, ମେୟରଙ୍କୁ ଏ ପର୍ଯ୍ୟନ୍ତ ସୁରକ୍ଷା ଦେଇଥିବା ୩ ଯୁବମନ୍ତ୍ରୀ ନିକଟରେ ବିଦା ହୋଇଛନ୍ତି । ପାୱାରଫୁଲ୍ ବୈଜୟନ୍ତଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଖଣ୍ଡା ଚୋଟ ପଡ଼ିଛି । ଏବେ ପାଳି ଅନନ୍ତଙ୍କର । ଦିନେ ଦି ଦିନ ମଧ୍ୟରେ ତାଙ୍କ ମୁଣ୍ଡ ଗଡ଼ିବା ଏକରକମ ଥୟ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।
ଅନନ୍ତଙ୍କ ଜାଗାରେ କାହାକୁ ମେୟର କରାଯିବ ସେ ନେଇ ମଧ୍ୟ ନବୀନ ନିବାସରେ ବିଚାରବିମର୍ଷ ଆରମ୍ଭ ହୋଇଛି । ମନ୍ତ୍ରୀ ଅଶୋକ ପଣ୍ଡା ନିଜର ସମର୍ଥକଙ୍କୁ ମେୟର ପଦରେ ବସାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ବିବାଦୀୟ ନେତା ତଥା ଆଳୁ ବେପାରୀ ଗୟା ସ୍ୱାଇଁଙ୍କ ପତ୍ନୀ ମହାମାୟା ସ୍ୱାଇଁଙ୍କ ପାଇଁ ସେ ଜୋରଦାର ଲବି କରୁଛନ୍ତି । ମାତ୍ର ସବୁସ୍ତରରୁ ତାଙ୍କୁ ବିରୋଧ କରାଯାଉଛି । ସେ ନ ହେଲେ ବିଜେଡ଼ି ସମର୍ଥିତ ସ୍ୱାଧୀନ କର୍ପୋରେଟର ବିରଞ୍ଚି ନାରାୟଣ(ଲିଟୁ) ମହାସୁପକାରଙ୍କୁ ମେୟର ପଦରେ ବସାଇବାକୁ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଲିଟୁଙ୍କ ପାଇଁ ଅନନ୍ତ ବି ଅଶୋକ ପଣ୍ଡାଙ୍କ ସହ ହାତ ମିଳାଇଛନ୍ତି । ତେବେ ପୂର୍ବର ବିଜେପି କର୍ପୋରେଟର ଲିଟୁ ଗତଥର ବିଜେଡ଼ି ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ଭାବେ ଲଢ଼ି ଜିତିଥିଲେ ଏବଂ ପରେ ବିଜେଡ଼ିକୁ ସମର୍ଥନ ଜଣାଇଥିଲେ । ଏଣ୍ଡୁଅ ଭଳି ରଙ୍ଗ ବଦଳାଇଥିବା ଏଭଳି ଜଣେ କର୍ପୋରେଟରଙ୍କୁ ମେୟର ପଦ ଦେବାକୁ ନବୀନ ଅନିଚ୍ଛୁକ ଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ମନୋଭାବ ଜାଣି ଅଶୋକ-ଅନନ୍ତ କ୍ୟାମ୍ପ୍ ଶେଷ ଚଏସ୍ ଭାବେ ପୋଖରୀପୁଟ ଅଞ୍ଚଳର କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟଙ୍କ ନାଁ ପୁସ୍ କରୁଛନ୍ତି ।
ସେପଟେ କର୍ପୋରେଟର ନିଜାମୁଦ୍ଦିନ୍ ଆଉ ଏକ ଗୋଷ୍ଠୀକୁ ଧରି ନିଜ ସପକ୍ଷରେ ଲବି ଚଳାଇଥିବା ବେଳେ ପ୍ରଣବ ପ୍ରକାଶ ସ୍ୱାଇଁ ମଧ୍ୟ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ(ବବି)ଙ୍କୁ ଧରି ଲବି କରୁଛନ୍ତି । ଡେପୁଟି ମେୟର କେ. ଶାନ୍ତି ଓ ଅମରେଶ ଜେନା(ବାଇଁଆ)ଙ୍କ ପାଇଁ ପୃଥକ୍ ଭାବେ ପ୍ରଭାବଶାଳୀ ଗୋଷ୍ଠୀ ଲବି କରୁଛନ୍ତି । ତେବେ ନବୀନ କାହାମୁଣ୍ଡରେ କଳସ ରଖିବେ ତାହାର ଟେର୍ ମିଳୁନି ।