ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ୍ ଗୌଡ଼ଙ୍କ ପଛରେ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ବି ଆର୍ଶିବାଦ ଥିଲା । ଶ୍ରମ ବିଭାଗର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସରେ ଚାକିରୀ କରୁଥିବା ମୋତିଲାଲଙ୍କ କଳା କାରନାମାକୁ ମନ୍ତ୍ରୀ ପରୋକ୍ଷରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରିଥିଲେ । ଡାକ୍ତର ମୋତିଲାଲ୍ଙ୍କ ସସ୍ପେଣ୍ଡ ଫାଇଲ୍କୁ ନିଜ ଟେବୁଲ୍ରେ ପକାଇ ରଖିଥିଲେ ପ୍ରଫୁଲ୍ଲ ମଲ୍ଲିକ । ତେବେ ତୃତୀୟ ମହଲା ଏହା ଜାଣିବା ପରେ ମନ୍ତ୍ରୀଙ୍କୁ ସାଇଡ୍ କରି ଫାଇଲ୍ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଓକେ କରିଥିଲା । ମାମଲାର ତନାଘନା ପରେ ଖବରଟି ପଡ଼ିଛି “ମିଡ-ଡେ ଓଡ଼ିଶା’ ହାତରେ ।
ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଥିବା ଡାକ୍ତର ମୋତିଲାଲ୍ ଜାଲ୍ ସରକାରୀ ବିଜ୍ଞପ୍ତ ଜରିଆରେ କୋଟିଏରୁ ଅଧିକ ଟଙ୍କା ହଡ଼ପ କରିଥିଲେ । ବିଭାଗୀୟ ଖୋଳତାଡ଼ରୁ ଏହା ଜଣାପଡ଼ିବା ପରେ ନିର୍ଦ୍ଦେଶକ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ । ଏହି ସୁପାରିଶ ଫାଇଲ୍ଟି ତଳ ଆଡୁ ଆସିଲା ମନ୍ତ୍ରୀଙ୍କ ଅନୁମୋଦନ ପାଇଁ । ମାତ୍ର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୌଣସି କାରଣରୁ ଫାଇଲ୍ଟି ନିଜ ଟେବୁଲ୍ ଉପରେ ପକାଇ ରଖିଲେ । ଦିନେ ଦୁଇ ଦିନ ନୁହେଁ । ଗୋଟିଏ ସପ୍ତାହ ଧରି ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ି ରହିଥିଲା ଫାଇଲ୍ । ତେବେ ମନ୍ତ୍ରୀଙ୍କ ଆଡୁ ଫାଇଲ୍ କ୍ଲିୟର୍ ହେଉ ନ ଥିବା ଜାଣିଲା ପରେ ତୃତୀୟ ମହଲା ଫାଇଲ୍ ମଗାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇଥିଲେ । ଅର୍ଥାତ୍ ବିଭାଗୀୟ ମନ୍ତ୍ରୀଙ୍କୁ ନଜରଅନ୍ଦାଜ କରି ତାଙ୍କ ବିନା ଅନୁମୋଦନରେ ଫାଇଲ୍ ସିଧାସଳଖ କ୍ଲିୟର୍ ହୋଇଥିଲା ତୃତୀୟ ମହଲାରୁ । ମେ ୨୯ ତାରିଖରେ ମୋତିଲାଲଙ୍କୁ ଚାକିରିରୁ ନିଲମ୍ବିତ କରାଗଲା ।
ଡାକ୍ତର ମୋତିଲାଲଙ୍କ ଭଳି ଜଣେ ସାଂଘାତିକ ଠକ ଓ ଜାଲିଆଙ୍କ କାରନାମା ନିର୍ଦ୍ଦେଶକଙ୍କଠାରୁ ଜାଣି ମଧ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଚୁପ୍ ରହିଲେ କାହିଁକି ? ତାଙ୍କ ନିଲମ୍ବନ ସଂକ୍ରାନ୍ତୀୟ ଫାଇଲ୍କୁ ମନ୍ତ୍ରୀ କେଉଁ ଉଦ୍ଦେଶ୍ୟରେ ୭ ଦିନ ଧରି ଚପାଇ ରଖିଲେ ? ମନ୍ତ୍ରୀଙ୍କ ଉପରେ ଏଥିପାଇଁ କାହାରି ଚାପ ଥିଲା କି ? ଏହି ସବୁ ପ୍ରଶ୍ନର ଜବାବକୁ ଏବେ ସମସ୍ତଙ୍କ ଅପେକ୍ଷା । ତେବେ ମନ୍ତ୍ରୀଙ୍କ ବିନା ଦସ୍ତଖତ ଓ ମନ୍ତ୍ରୀଙ୍କ ସହ ଆଲୋଚନା ନ କରି ମୋତିଲାଲଙ୍କ ନିଲମ୍ବନ ଫାଇଲ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଅନୁମୋଦନ ଦେବା ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ନିଶ୍ଚିତ ଲଜ୍ଜାଜନକ ଓ ଅପମାନ । ମାତ୍ର ଏହି ଅପମାନକୁ ମନ୍ତ୍ରୀ ଶଯ୍ୟ କରିବା ପଛର ରହସ୍ୟ ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନ ହୋଇଯାଇଛି । ତେବେ ଏଥିରୁ ସ୍ପଷ୍ଟ ଯେ କୌଣସି ନା କୌଣସି କାରଣରୁ ପ୍ରଫୁଲ୍ଲ ଚାହୁଁଥିଲେ ମୋତିଲାଲଙ୍କ ସୁରକ୍ଷା । ଆଉ ତାଙ୍କୁ ସୁରକ୍ଷା ଦେବାକୁ ସବୁ ଜାନ୍ ଖଟାଇଥିଲେ । ଘଟଣାଟି ପଦାକୁ ଆସିଲା ପରେ ମୋତିଲାଲଙ୍କ ସହ ଶ୍ରମମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଧରାପଡ଼ିଛି ।
ମାମଲାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ ଏହି ଦିଗକୁ ଏ ଯାଏଁ ଛୁଇଁ ନ ଥିଲା ବେଳେ ଆଗକୁ ଦୃଷ୍ଟି ଦେବାକୁ ଦାବି ଉଠିଛି । ଶ୍ରମମନ୍ତ୍ରୀ ଏ ନେଇ ଗଣମାଧ୍ୟଠାରୁ ନିଜକୁ ଦୂରେଇ ରଖିଥିବାରୁ ସତ୍ୟତା ଜଣାପଡ଼ିନାହିଁ । ତେବେ ଏହା ସ୍ପଷ୍ଟ ଯେ ମୋତିଲାଲଙ୍କ ବିରୋଧରେ ସଙ୍ଗୀନ ଜାଲିଆତି ସଂକ୍ରାନ୍ତୀୟ ଫାଇଲ୍ ଉପରେ ହାତବାନ୍ଧି ବସିଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏପରିକି ସମୟ ଗଡ଼ାଇ ଫାଇଲ୍ଟିକୁ ଚାପି ଦେବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ଠିକଣା ସମୟରେ ତୃତୀୟ ମହଲାର ହସ୍ତକ୍ଷେପ ଯୋଗୁଁ ସଠିକ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇଛି । ମନ୍ତ୍ରୀ ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ମୋତିଲାଲ ପ୍ରେମ ତୃତୀୟ ମହଲାକୁ ବିଚଳିତ କରିଥିବା ସୂଚନା ମିଳିଛି । ମୋତିଲାଲଙ୍କ ଜାଲିଆତି ପେଡ଼ି ଖୋଲିଯିବା ପରେ ମୁଖ୍ୟମନ୍ତ୍ରୀ ବିବ୍ରତ ହେବା ସହ ସଂପୃକ୍ତ ମନ୍ତ୍ରୀମାନଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ମୋତିଲାଲଙ୍କ ସହ ଏହି ମନ୍ତ୍ରୀମାନଙ୍କ ଗୋପନ ସମ୍ପର୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ସେପଟେ ଫେରାର୍ ମୋତିଲାଲ୍ଙ୍କୁ ଅବିଳମ୍ବେ ଗିରଫ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ତାଗିଦ୍ କରିଥିବା ତୃତୀୟ ମହଲାରୁ ସୂଚନା ମିଳିଛି ।