ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଭେଟଘାଟ ହୋଇଛି । ପଞ୍ଚମ ପାଳି ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପାଳିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦିଲ୍ଲୀ ସରକାରୀ ବାସଭବନରେ ସାକ୍ଷାତ କରି ପ୍ରଥମେ ତାଙ୍କର ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟ ସମ୍ବଳିତ ବିଭିନ୍ନ ବିଷୟ ଉପରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ହୋଇଥିଲା । ରାଜ୍ୟର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସହାୟତା ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଉପସ୍ଥାପନ କରିଥିଲେ । ରାଜ୍ୟର ଏହି ଦାବି ବହୁ ପୁରୁଣା ଏବଂ ବାରମ୍ବାର କେନ୍ଦ୍ର ନିକଟରେ ଦାବି ଜଣାଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ କାଳବିଳମ୍ବ ନକରି ଓଡ଼ିଶାର ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ସେହିଭଳି ‘ଫନି’ ରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ଓଡ଼ିଶାକୁ ୫ ହଜାର କୋଟି ଟଙ୍କା ସହାୟତା ତୁରନ୍ତ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ । ଫନି କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଇତିମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ଦେଇସାରିଛନ୍ତି ଏବଂ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୫୨୨୭.୬୮ କୋଟି ଟଙ୍କାର ଦାବି ରଖିଛନ୍ତି । ଏହା ତୁରନ୍ତ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ‘ଫନି’ କ୍ଷତିଗ୍ରସ୍ତଙ୍କୁ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ ପୁଣି ଉତଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । କୋଇଲା ରୟାଲିଟି ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପୁନର୍ବାର ଅନୁରୋଧ କରିଥିଲେ । ଏହାଦ୍ୱାରା ରାଜ୍ୟର ରାଜସ୍ୱ ଆୟ ବୃଦ୍ଧି ପାଇବ ବୋଲି ଦର୍ଶାଇଥିଲେ ।
ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଆୟୁଷ୍ମାନ ଯୋଜନା, ଲୋକସଭା ଉପବାଚସ୍ପତି ନିର୍ବାଚନ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇନଥିବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।