ନୂଆଦିଲ୍ଲୀ: ‘କରୋନା’ କୁ ନେଇ ସାରା ବିଶ୍ୱରେ ଭୟାବହ ସ୍ଥିତି । ଭାରତରେ ଏହାର ଯୁଦ୍ଧକାଳୀନ ମୁକାବିଲା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସଜାଗ ଓ ସତର୍କ ରହିବାକୁ ନିବେଦନ କରିଛନ୍ତି । କରୋନା ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଆସନ୍ତା ୨୨ ତାରିଖ ରବିବାର ଦିନ ଜନତା କର୍ଫ୍ୟୁ ପାଳନ ପାଇଁ ଭାରତବାସୀଙ୍କୁ ଅପିଲ୍ କରିଛନ୍ତି ମୋଦି ।
‘ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେହି ଘରୁ ବାହାରନ୍ତୁ ନାହିଁ । ନିଜ ଘରେ ରହିବେ । ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ସଂଧ୍ୟା ୫ଟାରେ ନିଜ ଘରର ଝରକା ପାଖରେ କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ୍ ପାଇଁ ତାଳିମାରି, ଥାଳି ବାଡେଇ କିମ୍ବା ଘଣ୍ଟି ବଜେଇ ପ୍ରତ୍ୟେକ ଲୋକ ସମ୍ମାନ ଜଣାନ୍ତୁ । ରାଜ୍ୟ ସରକାରମାନେ ଏହି ଜନତା କର୍ଫ୍ୟୁ ପାଳନର ନେତୃତ୍ୱ ନିଅନ୍ତୁ ।’
ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଭାବପୂର୍ଣ୍ଣ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂରା ବିଶ୍ୱ ଏବେ ବଡ଼ ସଙ୍କଟ ଦେଇ ଗତି କରୁଛି । ମାନବଜାତିକୁ ଭୀତତ୍ରସ୍ତ କରିଛି କରୋନା । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ମଧ୍ୟ ଏଭଳି ସଙ୍କଟ ଦେଖା ଯାଇ ନ ଥିଲା । ୧୩୦ କୋଟି ଭାରତୀୟ ମଧ୍ୟ ଏହି କରୋନା ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସଙ୍କଟରୁ ମୁକ୍ତି ପାଇଁ ସମସ୍ତେ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଆମେ ଏହି ମହାମାରୀ ବିପଦରୁ ମୁକ୍ତ ବୋଲି ଭାବିବା ଠିକ୍ ନୁହେଁ । ଆମେ ସବୁ ଭାରତୀୟ ସତର୍କ ରହିବା ଜରୁରୀ ।
କରୋନାଠାରୁ ବର୍ତ୍ତିବା ପାଇଁ ବିଜ୍ଞାନ ବିଶେଷ କିଛି କରିପାରିନି । ବିଶ୍ୱରେ କରୋନା ପାଇଁ ଚିକିତ୍ସା ବାହାରିନାହିଁ । ପ୍ରତିରୋଧକ ଟୀକା ବାହାରିପାରିନି । ଯାହା ଚିନ୍ତାଜନକ ହୋଇଛି । ଆମେ ଦେଖୁଛେ, କରୋନା ଦ୍ୱାରା ସାଂଘାତିକ ଭାବେ ଆକ୍ରାନ୍ତ ଦେଶଗୁଡ଼ିକରେ କିଛି ଦିନ ପରେ ହିଁ ଭୂତାଣୁ ବିସ୍ଫୋରକ ରୂପ ନେଇଛି । କରୋନା ମୁକାବିଲା ଏତେ ସହଜସାଧ୍ୟ ନୁହେଁ । ଭାରତରେ ଏହାର ପ୍ରଭାବ ସେତେ ଅଧିକ ନୁହେଁ, ଏହା ଭାବିବା ଭୁଲ୍ । ତେଣୁ ନିରାପଦରକ୍ଷା ପାଇଁ ଅଧିକ ସତର୍କ ଓ ସଜାଗ ରହିବାକୁ ହେବ । ଭିଡ଼ରୁ ଦୂରରେ ରହିଲେ ଯାଇ ଏହା ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି ।
ମୁଁ ଯେତେବେଳେ ଯେଉଁ ସହଯୋଗ ମାଗିଛି ଆପଣମାନେ ଦେଇଛନ୍ତି । ଆଜି ମୁଁ ଆପଣଙ୍କଠାରୁ କିଛି ସମୟ ଚାହୁଁଛି । କରୋନା ମହାମାରୀର ମୁକାବିଲା ପାଇଁ ସଂକଳ୍ପ ଓ ସଂଯମ ଲୋଡ଼ା । ସେଥିପାଇଁ ଦେଶବାସୀଙ୍କୁ ସଂକଳ୍ପ ଦୃଢ଼ କରିବାକୁ ପଡ଼ିବ । ସାମାଜିକ ଦୂରତ୍ୱ ବଢ଼ାଇବାକୁ ପଡ଼ିବ । ଏହା ନ କଲେ ଆପଣ ନିଜ ପ୍ରତି ଅନ୍ୟାୟ କରିବେ । ଅତି ଜରୁରୀ ନହେଲେ ନିଜ ଘରୁ ବାହାରନ୍ତୁ ନାହିଁ । ଯେତେ ସମ୍ଭବ ନିଜ କାମ ନିଜ ଘରେ କରନ୍ତୁ । ପରିବାରର ୬୦/୬୫ ବୟସ୍କ ବରିଷ୍ଠ ନାଗରିକଙ୍କୁ ବାହାରକୁ ଛାଡନ୍ତୁନି । ଭୟରେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ ନ ରଖିବା ସହ ଗୁଜବ କିମ୍ବା ଆତଙ୍କରୁ ଦୂରରେ ରହନ୍ତୁ । ନିଜ ଉପରେ କର୍ଫ୍ୟୁ ଲଗାଇ ସଂଯମତା ରଖିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି ।