ଯାଜପୁର: ପୂର୍ବତନ ପାୱାରଫୁଲ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ତାଙ୍କ ପୂର୍ବତନ ନିର୍ବାଚନମଣ୍ଡଳୀର ବିଶ୍ୱବିଖ୍ୟାତ ଗାଁ ନଗଡ଼ାକୁ ଝୁରିଛନ୍ତି । ୭୭ ବର୍ଷର ଜନ୍ମବାର୍ଷିକୀକୁ ନଗଡ଼ାରେ ପାଳି ନିଜକୁ ମହାନ ଦେଖାଇଛନ୍ତି । ଗଲା ୭ ତାରିଖରେ ଘଡ଼ାଇ ନଗଡ଼ା ଯାଇ ଗ୍ରାମବାସୀଙ୍କ ମେଳରେ ନିଜ ଜନ୍ମଦିନ ପାଳିଥିଲେ । ଲୋକଙ୍କୁ ମିଠା ଖୁଆଇବା ସହ କମ୍ବଳ ବାଣ୍ଟିଥିଲେ । ପ୍ରଫୁଲ୍ଲ ଘଡ଼ାଇଙ୍କୁ ସେମାନେ ଜାଣିଥିଲେ କି ନା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଜଣେ ଧୋବ ଫରଫର ଧୋତି, କୁର୍ତ୍ତି ପିନ୍ଧା ବଡ଼ନେତାଙ୍କ ପାଦ ତାଙ୍କ ଗାଁ ମାଟିରେ ଅଦିନରେ ପଡ଼ିଥିବାରୁ ଅପାଠୁଆ ନଗଡ଼ାବାସୀ କୃତ କୃତ ହୋଇଯାଇଥିଲେ ।
ଅପହଞ୍ଚ, ଅପପୃଷ୍ଟି ଓ ଦାରିଦ୍ର୍ୟର ବିଶ୍ୱ ମଡ଼େଲ ପାଲିଟିଥିବା ନଗଡ଼ା ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର । ଦୀର୍ଘ ୨୫ ବର୍ଷ ଧରି ଅଞ୍ଚଳର ପ୍ରତିନିଧିତ୍ୱ କରିଥିଲେ ପ୍ରଫୁଲ୍ଲ ଘଡ଼ାଇ । ୧୯୯୦ ମସିହାରୁ କ୍ରମାଗତ ୫ ଥର ସୁକିନ୍ଦାର ବିଧାୟକ ଥିଲେ ସେ । ଅନେକବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ବେଶ୍ ପ୍ରଭାବୀ ଥିଲେ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଅନୁଗତ ଥିବା ଘଡ଼ାଇ ସରକାର ଓ ସରକାରୀ କଳ ଉପରେ ଯଥେଷ୍ଟ ଦବଦବା ରଖିଥିଲେ । କ୍ଷମତାରେ ଥିବା ବେଳେ ନିଜ ଅଞ୍ଚଳର ଏହି ଅଖ୍ୟାତ ଗାଁକୁ ସେ ଆଡ଼ ଆଖିରେ ଚାହିଁନଥିବା କୁହାଯାଏ । ଚାହିଁଥିଲେ ହୁଏତ ନଗଡ଼ାବାସୀ ଦୁନିଆରୁ ବିଚ୍ଛିନ୍ନ ରହି ନ ଥାଆନ୍ତେ କି ନଗଡ଼ା ପିଲା ଭୋକଉପାସରେ ମରୁନଥାଆନ୍ତେ । ଆଜି ନଗଡ଼ାର ନଗ୍ନ ଚିତ୍ର ଲୋକଲୋଚନକୁ ଆସିବାବେଳକୁ ଘଡ଼ାଇଙ୍କ ପାଖରେ କ୍ଷମତା ନାହିଁ କି ଅଞ୍ଚଳର ପ୍ରତିନିଧିତ୍ୱ ନାହିଁ । ହେଲେ ଏଇ ଦୁଇବର୍ଷ ଭିତରେ ନଗଡ଼ାର ଚିତ୍ର ବଦଳିଗଲାଣି ।
ତେବେ ସେ ଯାହାହେଉ, ନିଜ ଜନ୍ମଦିନରେ ଘଡ଼ାଇ ନଗଡ଼ା ପ୍ରତି ଆକର୍ଷିତ ହେବା ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । କ୍ଷମତାଶୂନ୍ୟ ଓ ପରିଣତ ବୟସରେ ନଗଡ଼ା ପ୍ରତି ତାଙ୍କର ଦରଦକୁ ପାପର ପ୍ରାୟଶ୍ଚିତ ବୋଲି କିଛି ଆକ୍ଷେପ କରିଛନ୍ତି ।