ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ଜଣେ ଯୁବକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି । ଗତକାଲି ଦିନ ୨ଟା ବେଳେ ତାଙ୍କ ରୁମ୍ ରେ ଏବଂ ରୁମମେଟ୍ ଙ୍କ ଉପସ୍ଥିତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଇଛି । ଅନ୍ୟପକ୍ଷରେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି କ୍ୟାପିଟାଲ୍ ହସ୍ପିଟାଲ୍ ରେ ଶବର ପୋଷ୍ଟମର୍ଟମ କରାଯାଉଥିବା ବେଳେ ମାମଲାକୁ ଚାପି ଦେବା ପାଇଁ ହୀନ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି ।
ମୃତ ଯୁବକଙ୍କ ନାଁ ଚିନ୍ମୟ ସ୍ୱାଇଁ(୨୭) । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆଁ ଗାଁର ଦୁଲାଳ ସ୍ୱାଇଁଙ୍କର ଏକମାତ୍ର ପୁଅ । ଡିପ୍ଲୋମା ପାସ୍ ପରେ ଚାକିରି ଅନ୍ୱେଷଣରେ ଥିବା ବେଳେ ୮ ମାସ ତଳେ ତାଙ୍କ ଗାଁର ଶକ୍ତିକାନ୍ତ(ଲୁଲୁ) ସ୍ୱାଇଁ ତାଙ୍କୁ ଭୁବନେଶ୍ୱର ଆଣି ପଟିଆସ୍ଥିତ କେ.ଏନ୍. ମିଶ୍ର କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ସଂସ୍ଥାରେ ସୁପରଭାଇଜର୍ ଚାକିରି କରାଇ ଦେଇଥିବା ପରିବାର ଲୋକେ କହିଛନ୍ତି । ସେଠାରେ ତାଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ମିଳୁଥିଲା ।
ମୃତ ଚିନ୍ମୟଙ୍କ ବାପା ଇନଫୋସିଟି ଥାନାରେ ଦେଇଥିବା ଏତଲା ଅନୁଯାୟୀ, କମ୍ପାନୀ କାମର ଟେନସନ୍ ଛଡ଼ା ପୁଅର ଅନ୍ୟ କୋ÷ଣସି ସମସ୍ୟା ନଥିଲା । ଏକମାତ୍ର ପୁଅ ଭାବେ ଅତ୍ୟନ୍ତ ଗେହ୍ଲା ହୋଇଥିବାରୁ ତାର କୌଣସି ପାରିବାରିକ ଅସୁବିଧା ନ ଥିଲା । ତେବେ କମ୍ପାନୀ ନିର୍ମାଣ କାମରେ ବ୍ୟବହୃତ ସାମଗ୍ରୀ ଚୋରିକୁ ନେଇ କିଛି ସହଯୋଗୀଙ୍କ ସହ ତାର ବେଳେ ବେଳେ ଝଗଡ଼ାଝାଟି ହେଉଥିବା ସେ ତାଙ୍କୁ ଜଣାଇଥିଲା ବୋଲି ଦୁଲାଳ ସ୍ୱାଇଁ କହିଛନ୍ତି । ଏ ସମ୍ପର୍କରେ ସେ କମ୍ପାନୀ ମାଲିକଙ୍କ ହସ୍ତକ୍ଷେପ ଲୋଡିଥିଲେ ବି ସେ ଶୁଣି ନ ଥିଲେ । ଓଲଟି ମଧ୍ୟସ୍ଥି ହୋଇ ଚାକିରି କରାଇଥିବା ଲୁଲୁ ସ୍ୱାଇଁ ଏହାର ସମାଧାନ କରିଥିଲେ ।
ଗତକାଲି ସକାଳ ୧୦.୨୮ ମିନିଟ୍ ରେ ଚିନ୍ମୟ ତାଙ୍କ ବୋଉ ସହିତ ଫୋନ୍ ରେ କଥା ହୋଇଥିଲେ । ଜାଗର ପାଇଁ ସେ ମନ୍ଦିର ଯାଇଥିବା ଏବଂ ଅନ୍ୟାନ୍ୟ ବିଷୟରେ ଉଭୟ ଭଲରେ କଥା ହୋଇଥିଲେ । ତାଙ୍କ ମନ ବେଶ୍ ଖୁସି ଓ ପ୍ରଫୁୂଲ୍ଲ ଥିଲା । ତେବେ ଅପରାହ୍ନ ୩.୪୦ ରେ ଗାଁର ଜଣଙ୍କଠାରୁ ଚିନ୍ମୟର ମୃତ୍ୟୁ ଖବର ପାଇଥିଲେ ବୋଲି ଦୁଲାଳ କହିଛନ୍ତି । ଏ ସମ୍ପର୍କରେ କମ୍ପାନୀ ମାଲିକ କିମ୍ବା ପୁଲିସ ପକ୍ଷରୁ ସେ ଖବର ପାଇ ନ ଥିଲେ । ଗାଁରୁ ଖବର ପାଇ ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ସଂଧ୍ୟା ସାଢ଼େ ୭ ବାଜିଥିଲା । କ୍ୟାପିଟାଲ୍ ହସ୍ପିଟାଲ୍ ରେ ପୋଷ୍ଟମର୍ଟମ ଗୃହରେ ଶବ ରହିଥିବା ଜାଣି ସେଠାରେ ପହଞ୍ଚିଥିଲେ ମଧ୍ୟ ଉପସ୍ଥିତ ପୁଲିସ କର୍ମଚାରୀମାନେ ଶବକୁ ଦେଖିବାକୁ ଦେଇ ନ ଥିଲେ ।
ଦୁଲାଳଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ଏବଂ ବିକ୍ରମ ନାମକ ଜଣେ ଯୁବକ ସାଙ୍ଗ ହୋଇ ଗୋଟିଏ ରୁମ୍ ରେ ରହୁଥିଲେ । ଯେଉଁ ସମୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ସେତିକିବେଳେ ବିକ୍ରମ ବି ରୁମ୍ ରେ ଥିଲେ । କିଛି ଘଣ୍ଟା ପୂର୍ବରୁ ବୋଉ ସହ ଭଲରେ କଥା ହୋଇଥିବା ଚିନ୍ମୟ ରୁମମେଟ୍ ଙ୍କ ଉପସ୍ଥିତିରେ କେମିତି ଓ କାହିଁକି ଆତ୍ମହତ୍ୟା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସର୍ବୋପରି ଏହି ଘଟଣାରେ କେ.ଏନ.ମିଶ୍ର କନଷ୍ଟ୍ରକ୍ସନ୍ କମ୍ପାନୀ ମାଲିକଙ୍କ ଭୂମିକାକୁ ସେ ସନେ୍ଦହ କରିଛନ୍ତି । ଘଟଣାକୁ ଚପାଇ ଦେବା ପାଇଁ ବି ଉଦ୍ୟମ ହେଉଥିବା ସେ କହିଛନ୍ତି ।
ତାଙ୍କ ପୁଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଦୁଲାଳ ସିଧାସଳଖ ଅଭିଯୋଗ ଆଣିଛନ୍ତି । ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ତାଙ୍କୁ ନ୍ୟାୟ ଦେଉ ବୋଲି ସେ ଆକୁଳ ନିବେଦନ କରିଛନ୍ତି ।
ଏହି ଅଭିଯୋଗ ସଂକ୍ରାନ୍ତରେ ପୁଲିସର ପ୍ରତିକ୍ରିୟା ମିଳିନାହିଁ ।