ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ବ୍ୟସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଆସିଥିଲେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ । ଭଦ୍ରକ ରାଣୀତାଲରେ ଆୟୋଜିତ ଉତ୍ତର ଓଡ଼ିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସେ ଉଦବୋଧନ ଦେଇଥିଲେ । ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହମନ୍ତ୍ରୀ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ତାଙ୍କ ଭାଷଣରେ ସେ ମୋଦି ସରକାରଙ୍କୁ କାମିକା ସରକାର ଦର୍ଶାଇ ବିଜେପି କର୍ମୀଙ୍କ ମନୋବଳ ବଢ଼ାଇଥିଲେ । ତେବେ କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଭୁଲି ନ ଥିଲେ । ‘ଚୌକିଦାର ଚୋର୍ ନେହିଁ ପିଓର, ସେ ଜିତିବା ସିଓର୍’ ବୋଲି ରାଜନାଥ କହିଥିଲେ । ତେବେ ଓଡ଼ିଶାକୁ ଆସି ଓଡ଼ିଶାର ବିଜେପି କର୍ମକର୍ତ୍ତାଙ୍କୁ ରାଜ୍ୟ ସରକାରଙ୍କ ବିରୋଧରେ ଅମିତ୍ ଶାହାଙ୍କ ଭଳି ସେଭଳି ଟାଣ ଭାଷା କହି ନ ଥିଲେ । ଓଡ଼ିଶାରେ ବିକାଶ କାହିଁକି ହେଉନାହିଁ? ରାଜ୍ୟରେ ଆୟୁଷ୍ମାନ ଯୋଜନା କାହିଁକି କାର୍ଯ୍ୟ କରାଯାଉନି? ଏମିତି ଦୁଇ ତିନୋଟି ପ୍ରଶ୍ନରେ ତାଙ୍କ ସମାଲୋଚନା ସୀମିତ ଥିଲା ।
ରାଜନାଥ ତାଙ୍କ ଭାଷଣରେ ଓଡ଼ିଶା ମାଟିର ଭୂୟସୀ ପ୍ରଶଂସା କରିଥିଲେ । ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ସ୍ମରଣ କରିଥିଲେ । ସେ କହିଥିଲେ, ଓଡ଼ିଶା ମାଟିରେ ସମ୍ରାଟ ଅଶୋକଙ୍କ ହୃଦୟର ପରିବର୍ତ୍ତନ ହୋଇଥିଲା । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଅନନ୍ୟ । ମୋଦି ସରକାର ଏଥିପ୍ରତି ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରୁଥିବା ରାଜନାଥ କହିଥିଲେ । ଅନ୍ୟପକ୍ଷରେ ଭାରତକୁ ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ କରିବାକୁ ମୋଦୀଜୀଙ୍କ ଉଦ୍ୟମକୁ ସେ ତାରିଫ୍ କରିଥିଲେ । ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନରେ ରହିବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ହେବ ବିଶ୍ୱଗୁରୁ । ଦିନେ ନା ଦିନେ ଭାରତ ହିଁ ବିଶ୍ୱଗୁରୁ ହେବ ବୋଲି କହିଥିଲେ ରାଜନାଥ ।
ରାଜନାଥଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ଥିଲେ । ସେ ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିରୋଧରେ ଗୁଡ଼ାଏ ପ୍ରସଙ୍ଗରେ ବର୍ଷି ଯାଇଥିଲେ । ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ୧୭୫୦ ଟଙ୍କାର ଏମଏସପି ଦେଲେ, କିନ୍ତୁ ଚାଷୀ ପାଇଲେନି । ମିଲ୍ ମାଲିକଙ୍କ ସହ ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟରେ ଅଭାବୀ ବିକ୍ରୀ ବଢ଼ିଛି । ବିନା ଲାଞ୍ଚରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁନି । ଲୋକଙ୍କ ଜମାଖାତାରେ କେନ୍ଦ୍ର ଟଙ୍କା ଦେଉଛି, ବିଜେଡ଼ି ନେତାଏ ବିରୋଧ କରୁଛନ୍ତି । ରାଜ୍ୟ ସରକାର ଭଦ୍ରକରେ ଟେକ୍ସଟାଇଲ୍ ପାର୍କ କରାଇ ଦେଉନାହାନ୍ତି । ରାହୁଲ ଗାନ୍ଧୀଙ୍କ ସହ ବିଜେଡ଼ି ବନ୍ଧୁମାନେ ମିସେଲ୍ ମାମାଙ୍କ ନୈଶ ଭୋଜି ଖାଉଛନ୍ତି । ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯାଉନି । ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକ ବାଧକ ସାଜିଛନ୍ତି । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଧରିଛନ୍ତି ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଥିଲେ ।
ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଭର୍ତ୍ସନା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଦ୍ରକ ବକ୍ତବ୍ୟ ଉପରେ ବିଜେଡ଼ି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଜାରି ଏକ ପ୍ରେସ୍ ବିବୃତିରେ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏହି ମହାଶୟ ଜଣେ ଅଭ୍ୟାସଗତ ମିଛୁଆ ହୋଇଥିବାରୁ ପ୍ରତିଦିନ ଦୁଇ ତିନିଟା ମିଛ ନ କହିଲେ ତାଙ୍କ ଦିନ ସରୁନାହିଁ । ତେଣୁ ତାଙ୍କ ଉପରେ ଏଣିକି ଦୟା ଆସିଲାଣି ବୋଲି ଡ. ପାତ୍ର ଭର୍ତ୍ସନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଠାରୁ ଓଡ଼ିଶାବାସୀ ତିନି ଚାରୋଟି ପ୍ରଶ୍ନର ଉତ୍ତର ଅପେକ୍ଷା କରିଛନ୍ତି । ମାତ୍ର ଉତ୍ତର ଦେବାର ସତ୍ ସାହାସ ତାଙ୍କର ନାହିଁ । ତାଙ୍କ ଏନଡିଏ ସରକାର ଓଡ଼ିଶାବାସୀଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେଇଥିଲେ ଏବଂ କ’ଣ କରିଛନ୍ତି ତାହା ଜଣାଇବାରେ ଏତେ କୁଣ୍ଠା କାହିଁକି ବୋଲି ଡ. ପାତ୍ର ପ୍ରଶ୍ନ କରିଛନ୍ତି । ସେ କେନ୍ଦ୍ରମନ୍ତ୍ରୀଙ୍କୁ ମନେ ପକାଇଦେଇଛନ୍ତି କି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଦେଢ଼ଗୁଣା ବୃଦ୍ଧି କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଦେଲେ ନାହିଁ । ପ୍ରତି କ୍ୱିଣ୍ଟାଲ୍ ଧାନରେ ୨୯୩୦ ଟଙ୍କା ଏମଏସପି ଦେବା କଥା କିନ୍ତୁ ଦେଲେ ନାହିଁ । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବା କଥା କିନ୍ତୁ କଲେ ନାହିଁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ ବୋଲି ୨୦୧୪ ନିର୍ବାଚନ ଇସ୍ତାହାରରେ କହିଥିଲେ କିନ୍ତୁ ଦେଲେ ନାହିଁ । କ’ଣ ଦେଲେ ନା ଓଡ଼ିଶାକୁ ପ୍ରବଞ୍ଚନା ଓ ପ୍ରହେଳିକା ।
ଡ. ପାତ୍ର ଆହୁରି କହିଛନ୍ତି ଯେ ଉଜ୍ଜଳା ଯୋଜନା ନାମକ ଏକ ଦୁର୍ନୀତି ପେଡ଼ିକୁ ଧରି କେନ୍ଦ୍ରମନ୍ତ୍ରୀ ଫମ୍ଫା ତୁମ୍ବିତୋଫାନ କରୁଛନ୍ତି । ପ୍ରକୃତ ଗରିବଙ୍କ ପେଟରେ ନାତ ମାରି ଭୂତ ହିତାଧିକାରୀଙ୍କୁ ଲାଭ ଦେଉଛନ୍ତି ଏବଂ ସେଥିରେ ଖୁସି ହେଉଛନ୍ତି । ସର୍ବୋପରି ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଓଡ଼ିଶା ମନୋଭାବ ଦାଣ୍ଡରେ ପଡି ହାଟରେ ଗଡୁଛି । ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ହକ୍ ମାରିଥିବା ଏହି ବ୍ୟକ୍ତି ଓ ଦଳକୁ ଓଡ଼ିଶାର ଜନସାଧାରଣ ୨୦୧୯ ନିର୍ବାଚନରେ ଉଚିତ ଜବାବ ଦେବେ । ସେତେବେଳେ ଅଭ୍ୟାସଗତ ଭାବରେ ମିଛ କହୁଥିବା ଧର୍ମେନ୍ଦ୍ର ବାବୁଙ୍କୁ ମୁହଁ ଲୁଚାଇବାକୁ ପଡ଼ିବ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।