ଯାଜପୁରରୁ ଆଉ ୬ ପଜିଟିଭ୍, ସମସ୍ତେ କୋଲକତା ଫେରନ୍ତା
ଯାଜପୁର: ଯାଜପୁର ଜିଲ୍ଲାରୁ ଆଜି ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି । ନୂଆ ୬ ଜଣ ଯାକ ଆକ୍ରାନ୍ତ କୋଲକତା ଫେରନ୍ତା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହା ଟ୍ୱିଟ୍ କରାଯାଇଛି । ଯାଜପୁର ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୁ ବଢ଼ି ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ହୋଇଛି । ୩୩ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିବାରୁ ସକ୍ରିୟ(ଆକ୍ଟିଭ୍) ସଂକ୍ରମିତଙ୍କ ସଂଖ୍ୟା ୬୬ ହୋଇଛି ।
ଯାଜପୁରର ଏହି ନୂଆ ୬ କରୋନା ଆକ୍ରାନ୍ତ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୫୨,୨୩, ୪୯, ୫୭, ୩୯ ଏବଂ ୫୦ ବର୍ଷ । ତେବେ ସେମାନେ କେଉଁ ଅଞ୍ଚଳର ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ, ଯାଜପୁର ସମେତ ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ୬୦ ଘଣ୍ଟାର ସଟ୍ ଡାଉନ୍ କାଳି ସକାଳ ୧୦ଟାରେ ପୂରିଯାଉଛି । ଏହି ସମୟରେ କୋଲକତା ଫେରନ୍ତା ସମସ୍ତଙ୍କୁ ଠାବ କରାଗଲାଣି ନା ନାହିଁ ଜଣାପଡିନାହିଁ । କାରଣ ଲକ୍ ଡାଉନ୍ କଟକଣା ଭିତରେ କୋଲକତାରୁ ପଳାଇ ଆସିଥିବା ବ୍ୟକ୍ତିମାନେ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛନ୍ତି । ଆହୁରି ବଡ଼ କଥା ହେଲା, ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିମାନଙ୍କଠାରେ କରୋନା ଲକ୍ଷଣ ଦେଖାଯାଉନାହିଁ ।