ଭୁବନେଶ୍ୱର: ଲକ୍ଷଣ ନ ଥାଇ କିମ୍ବା ସାମାନ୍ୟ ଲକ୍ଷଣ ଥାଇ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ସହରାଞ୍ଚଳ ଲୋକ ଘରେ ରହି (ହୋମ୍ ଆଇସୋଲେସନ୍) ଚିକିତ୍ସିତ ହୋଇପାରିବେ । ସେଥିପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । କୋଭିଡ୍ ପରିଚାଳନାକୁ ଅଧିକ ବ୍ୟବସ୍ଥିତ ତଥା ଚିକିତ୍ସା ବ୍ୟବସ୍ଥାର ସଦ୍ ବ୍ୟବହାର ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଏହି ଘୋଷଣା କରିଛନ୍ତି ।
ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମାରେ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇଲୋସେନ୍ ରେ ରହିବାକୁ ଅନୁମତି ଦିଆଯାଇଛି । ତେବେ ସେଥିପାଇଁ ଘରେ ସୁବିଧା ଥିବା ଦରକାର । ହୋମ୍ ଆଇସୋଲେସନ୍ ରେ ରହୁଥିବା ଲୋକଙ୍କ ଦାୟିତ୍ୱରେ ତାଙ୍କ ଘରର ଜଣେ ସାବାଳକ ରହିବେ । ସରକାର ଏବଂ ରୋଗୀଙ୍କ ମଧ୍ୟରେ ସେତୁ ଭଳି ରହି ଯାବତୀୟ ଦାୟିତ୍ୱ ବୁଝିବେ । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ହୋମ୍ ଆଇସୋଲେସନ୍ ରୋଗୀ ପାଇଁ ସରକାର ପିପିଟିଠାରୁ ଔଷଧ ପର୍ଯ୍ୟନ୍ତ ସବୁ ଯୋଗାଇଦେବେ । ଏପରିକି ଖାଦ୍ୟ ବାବଦ ଭତ୍ତା ମଧ୍ୟ ଦେବେ ।
ତେବେ ଏଚଆଇଭି ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାସନର୍, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍ ଅନୁମତି ମିଳିବ ନାହିଁ ।