ଭୁବନେଶ୍ୱର: ଆପଣମାନେ ଉପରୋକ୍ତ ଭିଜୁଆଲ୍ କୁ ଦେଖନ୍ତୁ । ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଖବର ମିଛ ବୋଲି ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ବାବୁ(ଶ୍ରୀମନ୍ଦିର ପ୍ରଶାସକ)ଙ୍କ ଉପରେ କାହିଁକି କେଜାଣି ରାଗିଯାଇଛନ୍ତି । ଭୀଷଣ ବିରକ୍ତିଭାବ ଆସିଛି । ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଲାବେଳେ କହୁଛନ୍ତି, କୋଉ ଉଦ୍ଦେଶ୍ୟରେ ଏହାକୁ ବିବାଦ କରାଗଲା, କିଏ ଏହାକୁ ବିବାଦ କରେଇଲେ ? ନୂଆ କି ଯାଇଥିବା ସେ ବାବୁଜଣଙ୍କ କ’ଣ ଜାଣିଥିବେ ନ ଜାଣିଥିବେ ଭଗବାନଙ୍କୁ ଜଣା…
ନୂଆ କରି କାର୍ଯ୍ୟରେ ଯୋଗଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ରଙ୍କ ଏହି ଟିପ୍ପଣୀକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଧର୍ମେନ୍ଦ୍ର ତାଙ୍କ ଉପରେ ରାଗ ଝାଡ଼ିବାର କାରଣ ସମସ୍ତଙ୍କୁ ଠିକ୍ ସେ ବୁଝାପଡୁନି । ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀଙ୍କୁ ସେବାୟତମାନେ ଅସଦ୍ ବ୍ୟବହାର କରିଥିବା ନେଇ ଗଣମାଧ୍ୟମରେ ତୁମ୍ବିତୋଫାନ ହୋଇଥିଲା । ଏହା ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସ୍ପଷ୍ଟୀକରଣ ଦେଇଥିଲେ ଯେ ଏହା ମିଛ । ଏଭଳି କିଛି ଘଟଣା ଘଟିନି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ବି ସମାନ କଥା କହିଥିଲେ । ଅବଶ୍ୟ ଗଣମାଧ୍ୟମରେ ଖବର ଆସିଲା ପରେ ପାଟି ବନ୍ଦ କରିଥିଲେ ସେଦିନ ରାଷ୍ଟ୍ରପତିଙ୍କ ସାଙ୍ଗରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇଦିନର ନିରବତା ଭାଙ୍ଗି ଗତକାଲି ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିଛନ୍ତି । ଷଡ଼ଯନ୍ତ୍ର ଓ ହୀନ ଉଦ୍ଦେଶ୍ୟ ରଖି ଏପରି କଥାକୁ କିଏ ଓ କାହିଁକି ପ୍ରଚାର କରିଛି ମୁଖ୍ୟମନ୍ତ୍ରୀ ତାହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛନ୍ତି । ଏହି ବୟାନ ଭିତରେ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛିଗୁଲେଇଲା ଭଳି କଥା କହିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପତ୍ନୀକ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ରତ୍ନ ସିଂହାସନ ନିକଟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ତିନି ଜଣ ସେବାୟତ ଦୁର୍ବ୍ୟହାର କରିଥିଲେ ବୋଲି ମାର୍ଚ୍ଚ ୨୦ ତାରିଖ ପରିଚାଳନା ବୈଠକରେ କୁଆଡ଼େ ଆଲୋଚନା ହୋଇଥିଲା । ବୈଠକ ବିବରଣୀରେ ବି ସ୍ଥାନ ପାଇଥିଲା । ତିନି ମାସ ଧରି ବାହାରକୁ ଏକଥା ଜଣାପଡ଼ିଲା ନାହିଁ । ଚାରି ଦିନ ତଳେ ଗତ ୨୬ ତାରିଖରେ ହଠାତ୍ ଏହା ମୁଖ୍ୟ ଖବର ହୋଇ ସବୁ ମିଡ଼ିଆରେ ରହିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀ ଆଧାରରେ ଏହା ମୁଖ୍ୟ ଖବର ପାଲଟିଥିଲା । ତେବେ ଖବରଟି କାହିଁକି ଲୁଚିଥିଲା ଏବଂ ତିନି ମାସ ପରେ କାହିଁକି ଆସିଲା ବୋଲି ‘ମିଡ଼ ଡେ ଓଡ଼ିଶା’ ପ୍ରଥମେ ଖବର କରିଥିଲା । ଏହାପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଥିଲା । ଯାହା ଆଜି ସତ ବୋଲି କୁହାଯାଇପାରେ । ଖାଲି ସତ ନୁହେଁ, ସମଗ୍ର ଘଟଣାକୁ ଏହା ରହସ୍ୟମୟ କରିଦେଇଛି ।
ପ୍ରକୃତରେ ଯଦି ମୁଖ୍ୟ ଶାସନ ସଚିବ ଓ ଏବେକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଥା ସତ ତାହାହେଲେ ମାର୍ଚ୍ଚ ୨୦ ତାରିଖ ପରିଚାଳନା ବୈଠକ ବିବରଣୀରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ରାଷ୍ଟ୍ରପତିଙ୍କ ଅସନ୍ତୋଷ ଓ ରାଷ୍ଟ୍ରପତି ଭବନର ଅଭିଯୋଗ ପାଇଲେ କେଉଁଠୁ ? ଧୂଆଁ ନ ଥାଇ ନିଆଁ ଆସିଲା କେମିତି ? ମାର୍ଚ୍ଚ ୨୦ ତାରିଖର ବିବରଣୀ ଜୁନ୍ ୨୬ ତାରିଖ(ଗଣମାଧ୍ୟମରେ ପ୍ରଚାର) ଯାଏଁ କାହାରିକୁ ଅପେକ୍ଷା କରିଥିଲା ? ତତ୍କାଳୀନ ମୁଖ୍ୟ ପ୍ରଶାସକ ଏହାର ଜବାବ ଦେବାର ଆବଶ୍ୟକତା ନାହିଁ କି ? ସ୍ୱଂୟ ଜଗତର ନାଥ ଜଗନ୍ନାଥଙ୍କୁ ଏହା ଅପମାନ ନୁହେଁ କି ? ରାଷ୍ଟ୍ରପତି ପଦମର୍ଯ୍ୟାଦାର ଗାରିମାକୁ ଏହା ଭୂଲୁଣ୍ଠିତ କରୁନାହିଁ କି ? ଏସବୁ ପ୍ରଶ୍ନ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି ।