ଭୁବନେଶ୍ୱର: ବିଜେଡ଼ି ସଂଗଠନର ମୁଖ୍ୟ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ମୁଖିଆ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଲା ପରେ ଦଳର ଟହଲିଆ ଗୋଷ୍ଠୀଙ୍କ ବଦମାସି ଆରମ୍ଭ ହୋଇଛି । କୌତୁହଳର କଥା, ବବିଙ୍କ ନିକଟତ୍ତର ପରିଚୟ ଦେଉଥିବା ଏହି ଗୋଷ୍ଠୀ ନିଜ ନିଜର ବିରୋଧୀଙ୍କ ଦମନ ଅଭିଯାନରେ ଲାଗିପଡ଼ିଲେଣି । ହତିଆର୍ ସଜାଡ଼ି ସୁଯୋଗକୁ ଉଣ୍ଡିବା ପୂର୍ବରୁ ଶିକାର ବି ମିଳିଗଲାଣି । ସେମାନଙ୍କ ପ୍ରଥମ ଶିକାରରେ ପଡ଼ିଛନ୍ତି ସଞ୍ଜୟ ଦାସବର୍ମା । ବବି ବିରୋଧୀ ଷଡ଼ଯନ୍ତ୍ରକାରୀ ଭାବେ ସଞ୍ଜୟଙ୍କ ଆଡକୁ ବନ୍ଧୁକ ଟେକିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ସହ ସଞ୍ଜୟ ହାତ ମିଳାଇ ବବିଙ୍କ ବିରୋଧରେ ଚକ୍ରାନ୍ତ କରିଥିବାର ଅବାସ୍ତବ କାହାଣୀ ଧରାପଡ଼ିଯାଇଛି ।
ବବି ସଂଗଠନ ଦାୟିତ୍ୱ ପାଇଲା ପରେ ଗତ ୬ ତାରିଖରେ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟଠାରେ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ଏକ ନିରାଡ଼ମ୍ବର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ବବିଙ୍କ ଆସିବା, ଯିବା, ସମ୍ବର୍ଦ୍ଧିତ ହେବା ସବୁ ଠିକଠାକ୍ ହୋଇଥିଲେ ମଧ୍ୟ ସେଠାରେ ଟଙ୍ଗା ଯାଇଥିବା ବ୍ୟାନର୍ ରେ ମୁଖିଆ ନବୀନ ପଟ୍ଟନାୟକଙ୍କ ମୁହଁ ନଥିଲା । ଥିଲା କେବଳ ବବିଙ୍କ ମୁହଁ । ବବିଙ୍କ ନଜରରେ ପ୍ରଥମରୁ ଏହା ପଡ଼ି ନ ଥିଲା । ମାତ୍ର ନଜର ପଡ଼ିଲା କ୍ଷଣି ସେ ଚିହିଁକି ଉଠିଥିଲେ । କିଏ ଏହି ବ୍ୟାନର୍ ତିଆରି କରିଛି ତାହା ପଚାରି ବିରକ୍ତ ହୋଇଥିଲେ । କଥାଟି ସେଠାରୁ ଆଉ ଅଧିକ ବଢ଼ି ନ ଥିଲା । ବ୍ୟାନର୍ ଟିର ପ୍ରସ୍ତୁତି ଦାୟିତ୍ୱ ନେଇଥିବା କୁଜି କର୍ମୀଙ୍କ ମୁର୍ଖାମୀ ଏବଂ ଅଜ୍ଞତା ଯୋଗୁଁ ଏଭଳି ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଭୀଷଣ ଗାଳି କରି ସମସ୍ତେ ଫେରିଥିଲେ ।
ଇତିମଧ୍ୟରେ..ବ୍ୟାନର୍ ଟଙ୍ଗା ହେବା ପୂର୍ବରୁ କେହି ଜଣେ ତାହାର ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲା । ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥା ସେହି ଫଟୋଟିକୁ ପକାଇ ବବିଙ୍କ ଉପରେ ଏକ ଷ୍ଟୋରି ତିଆରି କଲା । ବାସ୍ କଥା ସେତିକି ଥିଲା । ଏପଟେ ବିଜେଡ଼ି ଅଫିସ୍ ରେ ସମ୍ବର୍ଦ୍ଧନା ସଭା ସାରି ଯେଝା ଘରକୁ ଯେଝା ଚାଲିଗଲେ ।
ଦୁଇ ଘଣ୍ଟା ଯାଇନି । ବୈଜୟନ୍ତଙ୍କ ନାଁ କୁ ଯୋଡି ଆସିଗଲା ଚକମକି ଖବର । କ’ଣ ନା.. ବବିଙ୍କ ଅଭ୍ୟୁଦୟରେ ଇର୍ଷାନ୍ୱିତ ବିଜେଡ଼ି ନେତା ବୈଜୟନ୍ତଙ୍କ ସହ ହାତ ମିଳାଇ ବବିଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି । ସେହି ନେତାଙ୍କ ଇସାରାରେ ବବିଙ୍କୁ ସମ୍ବର୍ଦ୍ଧନା ପୋଷ୍ଟରରେ ନବୀନଙ୍କ ଫଟୋକୁ ଜାଣିଶୁଣି ବାଦ୍ ଦିଆଯାଇଛି । ବବିଙ୍କୁ ବଦନାମ କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି । ଏମିତି କିଛି କଳ୍ପନାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମକୁ ହାତକୁ ଦିଆଗଲା ।
ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଇଥିଲେ ଜଣେ ବିଧାୟକ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ । ବନ୍ଧୁତ୍ୱ ନିଦର୍ଶନରେ କିଛି ସାମ୍ବାଦିକଙ୍କୁ ଏହି ବିଧାୟକ ଫୋନ୍ କରି ଖବରଟିକୁ ଯେମିତି ହେଲେ ବସାଇବାକୁ ଅନୁରୋଧ କରିଥିଲେ । ମାପିଚୁପି ଯେତିକି ଯାଇଛି ସେତିକି ଲେଖିବାକୁ ଅନୁରୋଧ କଲେ । ଏହି ଖଳନାୟକ କିଏ ବୋଲି କିଛି ସାମ୍ବାଦିକ ଜାଣିବାକୁ ଚାହିଁବାରୁ ସଞ୍ଜୟ ଦାସବର୍ମା ଏବଂ ଛାତ୍ର ବିଜେଡ଼ିର ରାଣା ପ୍ରତାପଙ୍କ ନାଁ ଇଙ୍ଗିତରେ ଜଣାଇଥିଲେ ।
ମଜ୍ଜାର କଥା, କଳ୍ପନାପ୍ରସୂତ ଏହି ଖବରଟିକୁ ସୋସିଆଲ୍ ମିଡ଼ିଆରେ ପ୍ରଚାର ଓ ପ୍ରସାର କରିବାରେ ସେମାନେ ସଫଳ ହୋଇଥିଲେ ମଧ୍ୟ ଅକଲ ଗୁଡ଼ୁମ କରିଥିଲା ଆଉ ଏକ ବ୍ୟାନର୍ । ଅଳ୍ପ ଦିନ ତଳେ ସଞ୍ଜୟ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତି ପାଇଲା ପରେ ସେଇ ପାର୍ଟି ଅଫିସରେ ଯୁବ ଓ ଛାତ୍ର ବିଜେଡ଼ି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେଠାରେ ଟଙ୍ଗା ଯାଇଥିବା ବ୍ୟାନର୍ ରେ ମୁଖ୍ୟମନ୍ତ୍ରୀଙ୍କ ମୁହଁ ନ ରହି କେବଳ ସଞ୍ଜୟଙ୍କ ମୁହଁ ଥିଲା ।
ସୁତରାଂ କେବଳ ବବିଙ୍କ କ୍ଷେତ୍ରରେ ନବୀନଙ୍କ ମୁହଁ ନ ଥିବା ବ୍ୟାନର୍ ଲଗାଯାଇ ନ ଥିଲା । ପୂର୍ବରୁ ସଞ୍ଜୟଙ୍କ କ୍ଷେତ୍ରରେ ବି ଅନୁରୂପ ବ୍ୟାନର୍ ଲାଗିଥିଲା । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯେଉଁଠି ନିଜେ ସଞ୍ଜୟ ଏହି ଭୁଲ୍ ର ଭୁକ୍ତଭୋଗୀ ସେଠି ବବିଙ୍କୁ ନିନ୍ଦିତ କରିବା ପାଇଁ ଷଡ଼ଯନ୍ତ୍ର ରଚିବା ସମ୍ଭବ କି? ସଞ୍ଜୟ କ’ଣ ଚାହିଁବେ ନିଜ ଗୋଡରେ ନିଜ କୁରାଢ଼ୀ ମାରିବାକୁ?
ଏହି ପ୍ରସଙ୍ଗଟି ବିଜେଡ଼ି ମହଲରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦଳର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ, ବବି ପାଖ ମଡାଉ ନ ଥିବା କିଛି ଟାଉଟର୍ ବ୍ୟକ୍ତି ତାଙ୍କ ନାଁ ନେଇ ଦଳରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ସଞ୍ଜୟଙ୍କ ଉପରେ ଆଗରୁ ସେମାନଙ୍କ ରାଗ ଥିଲା । ପ୍ରତିଶୋଧ ନେବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲା ବେଳେ ସୁଯୋଗ ପାଇ ଏଭଳି ନାଟକ କରିଛନ୍ତି । ତେବେ ଏହି ଖବରକୁ ବବି ଆଦୌ ଗୁରୁତ୍ୱ ଦେଇ ନାହାନ୍ତି କି ଖବର ପଛର ରହସ୍ୟ ଭେଦ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି ବୋଲି ସେ କହିଛନ୍ତି ।
ସେପଟେ ସଞ୍ଜୟ ଦାସବର୍ମା ଶିରିଡ଼ି ଗସ୍ତରେ ଥିବାରୁ ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର ଟେର୍ ପାଇନାହାନ୍ତି । ସଞ୍ଜୟଙ୍କ ଅତ୍ୟନ୍ତ ବିଶ୍ୱସ୍ତ ନେତାଙ୍କ କହିବା କଥା, ଏଭଳି ପ୍ରଚାର କରୁଥିବା ବ୍ୟକ୍ତିଙ୍କର ରାଜନୈତିକ କାଣ୍ଡଜ୍ଞାନ ନାହିଁ । ବବିଙ୍କୁ ସାଂଗଠନିକ ମୁଖ୍ୟ କରାଯିବା ପରେ ସବୁଠାରୁ ବେଶୀ ଖୁସି ହୋଇଥିବା ନେତା ହେଉଛନ୍ତି ସଞ୍ଜୟ । ଦଳ ଓ ନେତାଙ୍କ ପ୍ରତି ତାଙ୍କର ଆନୁଗତ୍ୟକୁ ପ୍ରଶ୍ନ ଉଠାଇବା ଲୋକହସା ଛଡ଼ା କିଛି ନୁହେଁ । ଏହି ଚକ୍ରାନ୍ତକାରୀଙ୍କ ବିଜେଡ଼ି ରାଜନୀତି ସମ୍ପର୍କରେ ସମ୍ୟକ ଜ୍ଞାନ ନାହିଁ ବୋଲି ସେ କହିଛନ୍ତି ।
ଘଟଣାଟି ଖୋଦ୍ ମୁଖିଆଙ୍କ ନଜରକୁ ଆସିଥିବା ଦଳୀୟ ମହଲରୁ ଜଣାପଡ଼ିଛି । ନେତାଙ୍କ ଭିତରେ ଫାଟ ଏବଂ ଦଳରେ ଅସ୍ଥିିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଏହି ଟହଲିଆ ଗୋଷ୍ଠୀ ଉପରେ ମୁଖ୍ୟମନ୍ତ୍ରୀ କଡ଼ା ନଜର ରଖିଥିବା ଜଣେ ବରିଷ୍ଠ ନେତା କହିଛନ୍ତି ।