ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କଲେ ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ବିଜେଡ଼ିର ସମସ୍ତ ବିଧାୟକ, ସାଂସଦ ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି କରୋନା ମୁକାବିଲାରେ ସହଯୋଗ କରନ୍ତୁ । ଆସନ୍ତା ୨୯ ତାରିଖ ସୁଦ୍ଧା ଦରମା ଦାନ କରି ଉଦାହରଣ ସୃଷ୍ଟି କରନ୍ତୁ ।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଆଜି ନିଜ ଦଳର ବିଧାୟକ ତଥା ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ ଏହି ଅପିଲ୍ କରିଛନ୍ତି । ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି, କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଆଗେଇ ଆସିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ତିନି ମାସର ଦରମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଥିପାଇଁ ବିଜେଡ଼ିର ନେତା ଓ କର୍ମୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ । ଏଭଳି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ ସହଯୋଗର ହାତ ଟାଣ କରି ଓଡ଼ିଶାବାସୀଙ୍କ ନିକଟରେ ଦୃଢ଼ତାର ସହ ଛିଡ଼ା ହେବାକୁ ଶ୍ରୀ ଦାସବର୍ମା ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି ।
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ତାଙ୍କର ତିନି ମାସର ଦରମା ଦାନ କରିବା ସହ ଅନ୍ୟମାନଙ୍କଠାରୁ ଦାନ ମାଗିଛନ୍ତି ।