ଭୁବନେଶ୍ୱର: ସରିଗଲା ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ । ୫ ବର୍ଷର ସ୍ମୃତିକୁ ସାଙ୍ଗରେ ଧରି ବିଧାନସଭାରୁ ବିଦାୟ ନେଲେ ବିଧାୟକ ଓ ବିଧାୟିକାଗଣ । ବିଦାୟ ପୂର୍ବ ମିଳନର ମୁହୁର୍ତ୍ତ ବେଶ୍ ଆବେଗପୂର୍ଣ୍ଣ ଥିଲା । ଭାବବିହ୍ୱଳ ହୋଇଯାଇଥିଲେ ବିଧାୟକମାନେ । ଶାସକ ଓ ବିରୋଧୀ ଦଳର ପରିଚୟ ଭୁଲି ଭାବପ୍ରବଣତାରେ ବାନ୍ଧି ହୋଇଗଲେ । ଏକାଠି ହାଇ ଗ୍ରୁପ୍ ଫଟୋ ଉଠାଇଲେ । ପରଷ୍ପରକୁ ଆଲିଙ୍ଗନ କଲେ । ମନଖୋଲା ଦି ପଦ କଥା ହେଲେ । ଆଉ ଆଗାମୀ ଦିନର ଶୁଭକାମନା କରି ପରଷ୍ପରଠାରୁ ବିଦାୟ ନେଲେ ।
ଆଜି ଅନ୍ତିମ ଦିନରେ ଆରମ୍ଭରୁ କିନ୍ତୁ ଗୃହରେ ତାତି ଦେଖିବାକୁ ମିଳିଥିଲା । ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ମନ ଜିଣିବା ପାଇଁ ବିଧାନସଭାରେ ଶେଷ ତାକତ୍ ଦେଖାଇବାକୁ ଉଦ୍ୟମ କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅତ୍ୟନ୍ତ କଟୁ ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କୁ ବି ଛାଡ଼ି ନ ଥିଲେ ବିରୋଧୀ ଦଳ ନେତା । ବିଜେପି ବି ରାଜ୍ୟ ସରକାରଙ୍କୁ ଘେରିଥିଲା । ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗ ଧରି ବିଧାୟକଙ୍କ ସମାଲୋଚନା, ଆକ୍ଷେପ, ପ୍ରତିବାଦ, ନାରାବାଜି ବିଧାନସଭାରୁ ଯାଇ ପହଞ୍ଚିଥିଲା ରାଜଭବନରେ । ନିଯୁକ୍ତି ପ୍ରସଙ୍ଗ ଧରି କେନ୍ଦ୍ର ବିରୋଧରେ ବିଜେଡ଼ି କରିଥିଲା ପ୍ରତିବାଦ ଯାତ୍ରା । ରାଜଭବନରେ ରାଜ୍ୟପାଳଙ୍କୁ ବିଜେଡ଼ି ବିଧାୟକ ଦଳ ସ୍ମାରକପତ୍ର ଦେଇଥିଲେ ।
ଇତିମଧ୍ୟରେ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ୨୦୧୯-୨୦ ପ୍ରଥମ ୪ ମାସର ଖର୍ଚ୍ଚ ପାଇଁ ଲେଖାନୁଦାନ ବ୍ୟୟମଂଜୁରୀ ଉପରେ ଆଲୋଚନା ହୋଇ ପାରିତ ହୋଇଥିଲା ।