ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ହାତରେ ରଖିଛନ୍ତି ବାର୍ ଲାଇସେନସ୍ । ଆଉ ସରକାରୀ ଦରମା ପାଇ ବସିଛନ୍ତି ମନ୍ତ୍ରୀ ପଦରେ । ଏଭଳି ସାଂଘାତିକ କାରସାଦିର ଦାଗ ଲାଗିଛି ରାଜ୍ୟର ଖୋଦ୍ ଆଇନମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ଉପରେ । ରାଜ୍ୟ ବାର୍ କାଉନସିଲ୍ ଦୃଷ୍ଟିକୁ ଆଜି ଏହି ଜାଲିଆତି ଅଭିଯୋଗ ଆସିଲା ପରେ ହରଡ଼ଘଣାରେ ପଡ଼ିଛନ୍ତି ଆଇନମନ୍ତ୍ରୀ । ତେବେ ଖାଲି ଏହି ଗୋଟିଏ ଜାଲିଆତି ନୁହଁ, ବୋଧହୁଏ ଧରାପଡ଼ିଯିବା ଭୟରେ ବାର୍ କାଉନସିଲ୍ ସଦସ୍ୟତା ୱେବ୍ସାଇଟ୍ରେ ଅରୁଣ ସାହୁଙ୍କ ବାପାଙ୍କ ନାଁ ଓ ଘର ଠିକଣା ବଦଳିଯାଇଛି । ଡାକ୍ତର ମୋତିଲାଲ୍ ଗୌଡ଼ ଜାଲିଆତିରେ ପୃଷ୍ଠପୋଷକର କଳଙ୍କ ଲାଗିଥିବା ଆଇନମନ୍ତ୍ରୀଙ୍କ ବିରୋଧରେ ଖାସ୍ ଏତେବଡ଼ ନିଜସ୍ୱ ଜାଲିଆତି ଅଭିଯୋଗ ତାଙ୍କୁ ସଙ୍ଗୀନ ବିପଦ ଭିତରକୁ ଟାଣିନେଇଛି ।
ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ରେଜିଷ୍ଟର କହୁଛି ଆଇନମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଗତ ୩୦.୩.୧୯୯୬ ରେ କାଉନସିଲ୍ ସଦସ୍ୟ ଭାବେ ନାଁ ଦରଜ୍ କରିଥିଲେ । ତାଙ୍କ ଏନରୋଲ୍ମେଣ୍ଟ ନମ୍ବର ହେଉଛି ୧୧୨୮/୧୯୯୬ । କଟକ ବାର୍ ଆସୋସିଏସନ୍ ହେଉଛି ତାଙ୍କର କର୍ମସ୍ଥଳ । ବାର୍ ସଦସ୍ୟତା ଖାତାରେ ଅରୁଣଙ୍କର ନୋମିନି ଅଛନ୍ତି ଭାଇ ପ୍ରଦୀପ କୁମାର ସାହୁ । ନାଁ ରେଜିଷ୍ଟ୍ରେସନ୍ ପରେ ନିୟମ ମୁତାବକ ଅରୁଣ ବାର୍
ୱେଲଫେୟାର୍ ଫିସ୍ ବାବଦକୁ ୬୧୦ ଟଙ୍କା, ବାର୍ କାଉନସିଲ୍ ଅଫ ଇଣ୍ଡିଆ ଫିସ୍ ୩୩୦ ଟଙ୍କା ଏବଂ ଡେଥ୍ ବେନଫିଟ୍ ସ୍କିମ୍ ବାବଦକୁ ୧୦୦୦ ଟଙ୍କା ଫିସ୍ ଦେଇ ରସିଦ କାଟିଥିଲେ । ତାଙ୍କ ନାଁରେ କଟାଯାଇଥିବା ମନି ରିସିପ୍ଟ ନମ୍ବର ହେଉଛି ୧୯୧୩/୨୨.୦୪.୧୯୯୬ । ଆଇନ ଡିଗ୍ରୀ ହାସଲ କରିଥିବା ଅରୁଣ ହାଇକୋର୍ଟ ବାର୍ ଆସୋସିଏସନ୍ରେ ନାଁ ଚଢ଼ାଇ ଓକିଲାତି କରିବାରେ କିଛି ଦୋଷ ନାହିଁ କି କାହାରି ଅଙ୍ଗୁଳି ଉଠାଇବାର ନାହିଁ । ମାତ୍ର ବାର୍ ମେମ୍ବର ଥାଇ ବିଧାୟକ ଓ ମନ୍ତ୍ରୀ ପଦ ଭଳି ସରକାରଙ୍କ ଲାଭଜନକ ପଦବୀରେ ରହିବା ଆଇନ ଆଖିରେ ନିଶ୍ଚିତ ମାରାତ୍ମକ ।
ଆଡଭୋକେଟ୍ ଆକ୍ଟ, ୧୯୬୧ କହୁଛି, ରାଜ୍ୟ ବାର୍ କାଉନସିଲ୍ରେ ଓକିଲ ପଞ୍ଜୀକୃତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ ଲାଭଜନକ ସଂସ୍ଥା (ଅଫିସ୍ ଅଫ୍ ପ୍ରଫିଟ୍))ରେ କାର୍ଯ୍ୟ କରିପାରିବେ ନାହିଁ । ଯଦି କରନ୍ତି, ତେବେ ତାଙ୍କୁ ଲାଇସେନସ୍ ସରେଣ୍ଡର୍ କରିବାକୁ ପଡ଼ିବ । ମାତ୍ର ଅରୁଣ ତାହାର ଉଲ୍ଲଂଘନ କରିଛନ୍ତି । ବିଧାୟକ ଏବଂ ମନ୍ତ୍ରୀ ପଦ ଭଳି ସରକାରୀ ଦରମାପ୍ରାପ୍ତ ଲାଭଜନକ ସଂସ୍ଥାରେ ଯୋଗଦେବା ପୂର୍ବରୁ ସେ ଓକିଲ ଲାଇସେନସ୍ ସରେଣ୍ଡର କରି ନ ଥିବା ଅଭିଯୋଗ ହୋଇଛି । ଅର୍ଥାତ୍ ବାର୍ କାଉନସିଲ୍ରେ ଓକିଲ ରହିବା ସାଙ୍ଗକୁ ମନ୍ତ୍ରୀ ପଦରେ ଅଛନ୍ତି ଡକ୍ଟର ଅରୁଣ ସାହୁ । ଆଡଭୋକେଟ୍ ଆକ୍ଟ,୧୯୬୧ର ଧାରା ୩୫ ଅନୁଯାୟୀ ଏହା ଏକ ମେଜର୍ ମିସ୍କଣ୍ଡକ୍ଟ୍ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଓକିଲ ଲାଇସେନସ୍ ରଦ୍ଦ ହେବା ଆବଶ୍ୟକ ବୋଲି ଅଭିଯୋଗକାରୀ ଆଡଭୋକେଟ୍ ରଣଜିତ୍ ଦାଶ ଆବେଦନ କରିଛନ୍ତି ।
ତେବେ ଅରୁଣଙ୍କର ତଥାକଥିତ ବେଆଇନ କାର୍ଯ୍ୟ ଏତିକିରେ ସୀମିତ ନାହିଁ । ତଥ୍ୟ ପ୍ରଘଟ ହେବା ଆଶଙ୍କାରେ ରାଜ୍ୟ ବାର୍ କାଉନସିଲ୍ ୱେବସାଇଟ୍ରେ ତାଙ୍କ ପରିଚୟକୁ ଜାଲିଆତି କରାଯାଇଛି । ବାର୍ କାଉନସିଲ୍ ରେଜିଷ୍ଟର ଓ ୱେବସାଇଟ୍ରେ ତାଙ୍କର ଏନରୋଲମେଣ୍ଟ ନମ୍ବରରେ ଭିନ୍ନ ପରିଚୟ ଦେଖିବାକୁ ମିଳିଛି । ରେଜିଷ୍ଟରରେ ତାଙ୍କର ପ୍ରକୃତ ଠିକଣା ଥିଲା ବେଳେ ୱେବସାଇଟ୍ରେ ତାଙ୍କର କେବଳ ନାଁ ଟି ଠିକ୍ ରହିଛି । ମାତ୍ର ବାପାଙ୍କ ନାଁ, ଘର ଠିକଣା ଓ ନୋମିନିଙ୍କ ନାଁ ଅଲଗା ହୋଇଯାଇଛି । ଏହା କିଭଳି ସମ୍ଭବ ହୋଇଛି ତାହା ବୁଝି ହେଉନାହିଁ । ଚତୁରତାର ସହ ୱେବସାଇଟ୍ ତଥ୍ୟକୁ ବଦଳାଯାଇଥିବା ସ୍ପଷ୍ଟ ଜଣାପଡୁଛି ।
ଆଇନମନ୍ତ୍ରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ବେଆଇନ ଓ ଜାଲିଆତି ଅଭିଯୋଗ ହସ୍ତଗତ ହେଲା ପରେ ରାଜ୍ୟ ବାର୍ କାଉନସିଲ୍ ତାହାକୁ ଗୁରୁତର ସହ ନେଇଛି । ଆସନ୍ତାକାଲି ଏହା ଉପରେ ଆଇନମନ୍ତ୍ରୀଙ୍କୁ ନୋଟିସ୍ ପଠାଯିବ ବୋଲି ବାର୍ ପକ୍ଷରୁ କୁହାଯାଇଛି । ଡାକ୍ତର ମୋତିଲାଲ ଗୌଡ଼ ଜାଲିଆତି ବିବାଦରେ ଫସିଥିବା ଆଇନମନ୍ତ୍ରୀଙ୍କ ବିରୋଧରେ ପୁଣି ଏହି ସଙ୍ଗୀନ ଅଭିଯୋଗ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ତେବେ ଏ ସଂକ୍ରାନ୍ତରେ ଆଇନମନ୍ତ୍ରୀଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ ।