ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୨୦୦୯ ପର୍ଯ୍ୟନ୍ତ ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂ ମର୍ଦ୍ଧରାଜ ଓ ପୁଅ ସିଦ୍ଧାର୍ଥ ଶେଖର ଥିଲେ ପକ୍କା କଂଗ୍ରେସିଆ । ହାତ ପତାକା ତଳେ ନବୀନଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିଲେ ବାପ-ପୁଅ । ହେଲେ ସମସ୍ତଙ୍କୁ ଚକିତ କରି ସିଦ୍ଧାର୍ଥ ରାତାରାତି ବିଜେଡିରୁ ଏମଏଲଏ ଟିକେଟ ନେଲେ । ବର୍ତ୍ତମାନର ପାୱାରଫୁଲ ମନ୍ତ୍ରୀ ତଥା ନୟାଗଡ଼ ବିଜେଡ଼ି ରାଜନୀତିର ହର୍ତ୍ତା କର୍ତ୍ତା ଅରୁଣ ସାହୁ ନିଜ ସୁରକ୍ଷା ପାଇଁ ହାତମାର୍କା ମର୍ଦ୍ଧରାଜ ବାପ-ପୁଅଙ୍କୁ ସେତେବେଳେ ବିଜେଡ଼ିକୁ ଆଣି ଜିତାଇଥିଲେ ।
ହେଲେ ଯୁବରାଜ ସିଦ୍ଧାର୍ଥ ଖଣ୍ଡପଡ଼ାବାସୀଙ୍କ ପାଖରେ ଯେଉଁ କରିସ୍ମା ଦେଖାଇବା କଥା ତାହା ଦେଖାଇବାରେ ଫେଲ୍ ମାରିଲେ । ସିଦ୍ଧାର୍ଥ ଏମଏଲଏ ହେଲେ ସିନା ହେଲେ ବାପା ତାଙ୍କୁ ରବର ଷ୍ଟାମ୍ପ୍ ବନାଇଦେଲେ । ସଂଗଠନ ଓ ଲୋକସମ୍ପର୍କ ଭୁଲି ପୁରୁଣା ଅଭ୍ୟାସ ପଇସା ପଛରେ ଗୋଡାଇଲେ ରାଜା ପରିବାର । ଫଳ ହେଲା ୨୦୧୪ ରେ ଟିକେଟ କଟିଲା ଆଉ ମୁଖ୍ୟମନ୍ତ୍ରୀଙ୍କ ଭରସା କଟିଲା ସିଦ୍ଧାର୍ଥଙ୍କ ଉପରୁ । ବିଜେଡ଼ିରେ ଆଉ ନିଜର ଭବିଷ୍ୟତ ଦେଖି ନ ପାରି ସିଦ୍ଧାର୍ଥ ଆଜି(ରବିବାର) ଇସ୍ତଫା ଦେଇଛନ୍ତି । ରାଜନୀତିରେ ରଙ୍ଗହରା ହୋଇସାରିଥିବା ବାପା ବିଭୂତିଙ୍କର ବିଭୂତି ଅବଶ୍ୟ ଝଡ଼ିିସାରିଛି ।
ସିଦ୍ଧାର୍ଥଙ୍କ ଇସ୍ତଫା ଖଣ୍ଡପଡ଼ା ବିଜେଡ଼ି ରାଜନୀତିକୁ କାଣିଚାଏ ହଲଚଲ କରିବ ନାହିଁ ଏହା ନିରାଟ ସତ୍ୟ । କାରଣ ସିଦ୍ଧାର୍ଥଙ୍କ ନିଜର ସଂଗଠନ ବୋଲେ କିଛି ନାହିଁ । ନବୀନ ଓ ବିଜେଡ଼ି ହିଁ ତାଙ୍କର ପୁଞ୍ଜି ଥିଲା । ତେଣୁ ତାଙ୍କର ଇସ୍ତଫାକୁ ଦଳ ଆଦୋ÷ ଗୁରୁତ୍ୱ ଦେଇନାହିଁ । ତେବେ ଗୋଟିଏ ଥରର କ୍ୟାରିୟର୍ ପରେ ବିଜେଡ଼ି ପାଇଁ ଅଲୋଡ଼ା ହୋଇଥିବା ସିଦ୍ଧାର୍ଥ ଏବେ ବିଜେପିକୁ ଯିବେ ବୋଲି ଜଣାପଡ଼ିଛି । ଏକମାତ୍ର ବିକଳ୍ପ ଥିବା ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ତାଙ୍କର ମନ । ତେବେ କ୍ଷମତା ପାଇଁ ଏତେ କମ ବୟସରୁ ଦଳବଦଳରେ ମାହିର ହୋଇଯାଇଥିବା ସିଦ୍ଧାର୍ଥଙ୍କୁୂ ପଦ୍ମ ଦଳିଆ ସତରେ ଗ୍ରହଣ କରିବେ ନା ନାହିଁ ତାହା ଜଣାପଡ଼ିନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଖଣ୍ଡପଡ଼ାର ନିର୍ଜୀବ ବିଜେପିକୁ ସିଦ୍ଧାର୍ଥଙ୍କ ପରି ଅକର୍ମା ନେତା ଯେ ଜୀବନ ଦେଇପାରିବେ ତାହା ଆଶା କରିବା ବିଲକୁଲ୍ ବୃଥା ।