ଭୁୁବନେଶ୍ୱର: ଚିଟଫଣ୍ଡ ମାମଲାରେ ଦୁଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ପୁଣି ଥରେ ନୋଟିସ୍ କରାଯିବ । ଭୁବନେଶ୍ୱର ସିବିଆଇ ସୂତ୍ରରୁ କିଛି ଗଣମାଧ୍ୟମକୁ ଏହି ସୂଚନା ମିଳିଛି । ୨୮ ତାରିଖରେ ଅରୁଣ ଏବଂ ଓ ୩୦ ତାରିଖରେ ଅତନୁ ସିବିଆଇ ପାଖରେ ହାଜର ହେବାକୁ କୁଆଡ଼େ ନୋଟିସ୍ ହୋଇଥିଲା । ମାତ୍ର ସେମାନେ ହାଜର ନ ହେବାରୁ ପୁଣି ଥରେ ନୋଟିସ୍ ପଠାଇବା ଦରକାର ହୋଇଛି ।
ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍ ପ୍ରସଙ୍ଗଟି ସବୁ ଦୃଷ୍ଟିରୁ ନାଟକୀୟ ହୋଇଛି । ଗତ ୨୯ ତାରିଖରେ ଏହି ଖବରଟି ପ୍ରଥମେ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ଜଣାଇଥିଲା । ମାତ୍ର ସିବିଆଇ ନୋଟିସ୍ ର କପି ଦେଖିବାକୁ ମିଳିଲାନି । ଉଭୟ ନେତାଙ୍କ ମୁହଁରୁ ଏ ସମ୍ପର୍କିତ କିଛି ବି ସୂଚନା ମିଳିଲାନି । ଏଏନଆଇ ସୂତ୍ରକୁ ବିଶ୍ୱାସ କରି ଗଣମାଧ୍ୟମ ଏହି ଖବରଟିକୁ ଚଲାଇଥିଲେ ସତ ହେଲେ ଦ୍ୱନ୍ଦ ଲାଗି ରହିଥିଲା । ସନ୍ଦେହ ବଢ଼ାଇ ଦେଇଥିଲେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସେଦିନ ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସେ ଖବରର ସତ୍ୟାସତ୍ୟ ନେଇ ପ୍ରଶ୍ନ ଛାଡ଼ିଥିଲେ । ବିଜେଡ଼ିର ଦୁଇ ସଂପୃକ୍ତ ନେତା ସିବିଆଇ ନୋଟିସ୍ ପାଇନାହାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ଇତିମଧ୍ୟରେ ଦୁଇଦିନ ବିତିଥିଲେ ମଧ୍ୟ ଅତନୁ ଓ ଅରୁଣ ମୁହଁ ଖୋଲିନାହାନ୍ତି କି ସିବିଆଇରେ ହାଜର ହୋଇନାହାନ୍ତି ।
ତେବେ ଆଜି ସିବିଆଇର ଜଣେ ଅଧିକାରୀ କିଛି ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପରେ ଦ୍ୱନ୍ଦ ଦୂର ହୋଇଛି । ତାଙ୍କ ସୂଚନା ଅନୁଯାୟୀ, ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଦୁଇ ନେତାଙ୍କୁ ସମନ କରାଯାଇଥିଲା । ମାତ୍ର ସେମାନେ ହାଜର ହୋଇନାହାନ୍ତି । ତାଙ୍କୁ ପୁଣି ଥରେ ସମନ୍ ପଠାଯିବ ।
ଉଲ୍ଲେଖଥାଉକି, ଅତନୁ ଓ ଅରୁଣଙ୍କୁ ସିବିଆଇ ସମନ୍ ପ୍ରସଙ୍ଗଟି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଦୀର୍ଘଦିନରୁ ଚିଟଫଣ୍ଡ ମାମଲା ଉପରେ ଶୋଇଥିବା ସିବିଆଇ ସାଧାରଣ ନିର୍ବାଚନ ପୂର୍ବରୁ ତତ୍ପର ହୋଇପଡ଼ିବା ଏବଂ ବିଜେଡ଼ିର ଦୁଇ ହେଭିୱେଟ୍ ଙ୍କୁ ହାଜିର ପାଇଁ ଡକାଇବାକୁ ଅନେକ ସହଜରେ ଗ୍ରହଣ କରୁନାହାନ୍ତି । ସବୁଆଡ଼େ ଏବେ ଚର୍ଚ୍ଚା, ସିବିଆଇକୁ ହାତବାରିସୀ କରି ବିଜେପି ହୀନ ରାଜନୀତି କରୁଛି । ବିଜେଡ଼ିର ମୁକାବିଲା ପାଇଁ ସିବିଆଇକୁ ଏକମାତ୍ର ଅସ୍ତ୍ର ବୋଲି ଭାବିନେଇଛି । ଦୀର୍ଘ ୬ ବର୍ଷ ଧରି ଚିଟଫଣ୍ଡ ମାମଲାର ତଦନ୍ତ ଚାଲିଥିବା ବେଳେ ଅତନୁ ଓ ଅରୁଣଙ୍କ ନାଁ ଉଠି ନ ଥିଲା । ମାତ୍ର ଠିକ୍ ନିର୍ବାଚନ ପୂର୍ବରୁ ଫସାଇବାକୁ ଉଦ୍ୟମ ହୋଇଛି । ଆଗକୁ ବିଜେଡ଼ିର ଆହୁରି ଅଧଡର୍ଜନ ବିଧାୟକଙ୍କୁ ମାମଲାରେ ଛନ୍ଦିବା ପାଇଁ ବିଜେପି ଯୋଜନା କରିଥିବା କୁହାଯାଉଛି ।