ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଂଗ୍ରେସ ଏବେ ଅଛୁଆଁ ନୁହେଁ । ତା ସହ ମେଣ୍ଟ କରିବାରେ ଅସୁବିଧା ନାହିଁ । ମୁଲାୟମ ସିଂ ଯାଦବଙ୍କ ପ୍ରସ୍ତାବିତ ଅଣବିଜେପି ମେଣ୍ଟ ଉପରେ ଏହା ଥିଲା ବିଜେଡ଼ି ହେଭିୱେଟ୍ ତଥା ଲୋକସଭାରେ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟ । ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଭର୍ତ୍ତୃହରି ବିଲକୁଲ୍ କହି ନ ଥିଲେ । ବରଂ ସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସ ଉପରେ ବିଜେଡ଼ିର ଏହା ଆଭିମୁଖ୍ୟ ବୋଲି ସ୍ପଷ୍ଟ ଇଙ୍ଗିତ ଦେଇଥିଲେ । ବିଜେଡ଼ିର ସର୍ବୋଚ୍ଚ କର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ମତକୁ ଖଣ୍ଡନ କରିସାରିଥିଲେ ମଧ୍ୟ ରାଜନୈତିକ ମହଲରେ ଏହା ହଟ୍ଟଚମଟ ସୃଷ୍ଟି କରିଛି । କରିବାର କାରଣ ବି ଅଛି । ଭର୍ତ୍ତୃହରି ଯାହିତାହି ନେତା ହୋଇଥିଲେ କେହି କିଛି ଭାବିବାର ନ ଥିଲା । ମାତ୍ର ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତାର ଘୋଷା କରୁଥିବା ବିଜେଡ଼ିର ସଂସଦୀୟ ଦଳ ନେତାଙ୍କ ଏହି ଉକ୍ତି ଯେ ଖାମଖିଆଲ୍ ତାହାକୁ ରାଜନୈତିକ ବିଚାରରେ ସହଜେ ଗ୍ରହଣ କରିହେଉନି ।
ଭର୍ତ୍ତୃହରି ଏଭଳି କହିବା ପଛରେ କେତୋଟି ସମ୍ଭାବ୍ୟ କାରଣ ଜଳ ଜଳ ଦିଶୁଛି । ହୋଇପାରେ ବିଜେଡ଼ି ମନର ଆଭିମୁଖ୍ୟକୁ ସେ ଚାପି ପାରିନାହାନ୍ତି । ହୋଇପାରେ ନବୀନ ପଟ୍ଟନାୟକଙ୍କ ଉପରେ ରହିଥିବା ପ୍ରବଳ ଅସନ୍ତୋଷକୁ ଏମିତିକା ଢ଼ଙ୍ଗରେ ପରିପ୍ରକାଶ କରିଛନ୍ତି । ହୋଇପାରେ କଂଗ୍ରେସପ୍ରୀତି ହାୱା କରି ନବୀନଙ୍କୁ ଡରେଇବାକୁ ଚେଷ୍ଟା କରିଛନ୍ତି । ହୋଇପାରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଦାନା ବନ୍ଧେଇବାର ଉଦ୍ୟମ କରିଛନ୍ତି । ତେବେ ଏହି ସବୁ ସମ୍ଭାବନାର ସତ୍ୟତା ଯାହା ଥାଉ ନା କାହିଁକି ଦଳୀୟ ନେତାଙ୍କ ଉପରେ ନବୀନଙ୍କର ଲଗାମ ଯେ ନାହିଁ ତାହା ଭର୍ତ୍ତୃହରିଙ୍କ ପାଟିରେ ଏଭଳି ରାଜନୈତିକ ସମ୍ବେଦନଶୀଳ ପ୍ରସଙ୍ଗର ଟିପ୍ପଣୀ ସୂଚାଇ ଦେଇଛି ।
କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ଉଠୁନି ବୋଲି ସିମୁଳିଆ ଗସ୍ତରେ ଯାଇଥିବା ଖୋଦ୍ ନବୀନ ପଟ୍ଟନାୟକ କହିବା ପରେ ମଧ୍ୟ ଭର୍ତ୍ତୃହରିଙ୍କ ଟିପ୍ପଣୀକୁ ନେଇ ଗତକାଲି ସଚିବାଳୟ ତୃତୀୟ ମହଲା ଚଳଚଞ୍ଚଳ ହୋଇପଡ଼ିଥିଲା । ମହାନଦୀ ପ୍ରସଙ୍ଗ ଆନ୍ଦୋଳନ ସଜବାଜ ଆଳରେ ଦଳର ମୁଖପାତ୍ରମାନଙ୍କୁ ଡକାଯାଇ ମିଡିଆ କାଉଣ୍ଟର ଯୋଜନା ପ୍ରସ୍ତୁତ ହୋଇଥିଲା । ଭର୍ତ୍ତୃହରିଙ୍କ ମନ୍ତବ୍ୟର ଗହନ ରହସ୍ୟକୁ ତୃତୀୟ ମହଲା ବୁଝିସାରିଥିବା ବାରିହେଉଥିଲା । ଏହି ଗହନ ଓ ଗୋପନ ରହସ୍ୟ ଭିତରୁ ଝଡ଼ର ବାତ୍ସ୍ନା ପାଇଥିଲା ଗଣମାଧ୍ୟମ । ବିଜେଡ଼ିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟର ସମସ୍ୟାଠାରୁ ଦଳୀୟ ସମସ୍ୟା ଅଧିକ ବୋଝ ହୋଇପଡ଼ିଛି । ନେତୃତ୍ୱ ପ୍ରତି ଅନେକ ନେତାଙ୍କର ଭୟ ନାହିଁ କି ଖାତିର୍ ନାହିଁ । ଗଣମାଧ୍ୟମରେ ପାଟି ଖୋଲିବା ଉପରେ ଅଙ୍କୁଶ ଲଗାଯାଇଥିଲେ ମଧ୍ୟ ତିଳେମାତ୍ର କାହାରି ଖାତିର୍ ନାହିଁ । ଏପରିକି ମୁଖପାତ୍ରମାନେ ବି ଲଗାମହୀନ ଭାବେ ଦଳର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉପସ୍ଥାପନ କରୁଛନ୍ତି । ସରକାରରେ ଥାଇ ବି ଦାମ ରାଉତଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କ ତୁଣ୍ଡ ବନ୍ଦ କରିପାରୁନାହାନ୍ତି ନବୀନ । ବାହୁବଳୀ ମାର୍କା ଗଣେଶ ଜଗଦ୍ଦେବଙ୍କ ଭଳି ନବାଗତ ବିଧାୟକ ବି କେଶପ୍ରମାଣେ ପାର୍ଟି ସୁପ୍ରିମୋଙ୍କୁ ଡରୁନାହାନ୍ତି । ପ୍ରଭାବଶାଳୀ ବନିଥିବା ଦଳର ଏକ ବଡ଼ ଯୁବଗୋଷ୍ଠୀ ନିର୍ବିଘ୍ନରେ ଯାବତୀୟ କାଣ୍ଡକାରଖାନା ଚଳାଇଛନ୍ତି । ନବୀନ ଏସବୁ ଉପରେ କାହିଁକି ଚୁପ୍ ରହୁଛନ୍ତି ନିଜେ ବି ସନ୍ଦିହାନରେ ପଡ଼ିଛନ୍ତି ସଂପୃକ୍ତ ବରିଷ୍ଠ ନେତା । ନବୀନଙ୍କ ଲଗାମ ଦୁର୍ବଳ ହୋଇଯାଇଥିବାରୁ ଦଳର ଭବିଷ୍ୟତ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି ।
ଇତିମଧ୍ୟରେ ଗୁଇନ୍ଦା ସୂତ୍ରରୁ ନବୀନଙ୍କ ପାଖରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପହଞ୍ଚିଛି । ନବୀନଙ୍କ ପ୍ରତିଦ୍ୱନ୍ଦୀ ସଜାଉଥିବା ଜନୈକ ସାଂସଦ ବିଜେଡ଼ିରେ ବିଭାଜନ ସୃଷ୍ଟି ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି । ଦଳର ଅନେକ ବିଧାୟକଙ୍କ ସହ ତାଙ୍କର ଯୋଗସୂତ୍ର ଜାରି ରହିଛି । ସାଧାରଣରେ ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାକୁ କାଟୁ କରିବା ଅସମ୍ଭବ ଜାଣିବା ପରେ ଅନ୍ତତଃପକ୍ଷେ ଭବିଷ୍ୟତ ପାଇଁ ତାଙ୍କର ଯୋଜନାକୁ ସେ ଶାଣିତ କରିଛନ୍ତି । ସୁଯୋଗ ଦେଖି ନିଜ ଯୋଜନାକୁ ସାକାର କରିବାର ସ୍ୱପ୍ନ ଦେଖିଛନ୍ତି । ତେବେ ନବୀନଙ୍କୁ ଏହା ଯେ ଅଜଣା ଅଛି ତାହା ନୁହେଁ । ମାତ୍ର ଭର୍ତ୍ତୃହରି ମହତାବଙ୍କ ଭଳି ନିଜ ସଂସଦୀୟ ଦଳର ନେତାଙ୍କ ମନ୍ତବ୍ୟ ଓ ଆଚରଣ ତାଙ୍କୁ ଏହି ସମ୍ଭାବ୍ୟ ବିଦ୍ରୋହ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି । ମୁଖ୍ୟମନ୍ତ୍ରୀ ଏହାକୁ ଅତ୍ୟନ୍ତ ଗୁରୁତର ସହକାରେ ନେଇଛନ୍ତି ଏବଂ ଯେ କୌଣସି ମୁହୁର୍ତ୍ତରେ କିଛି ବି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି ।