ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ! ଦିଶା ସାଲିଆଁ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ରେପ୍ ଏବଂ ମର୍ଡର କରାଯାଇଛି ! ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ ମୃତ୍ୟୁର ଲିଙ୍କ୍ ଅଛି !ଦୁଇଟି ଯାକ ମର୍ଡର ପ୍ଲଟ୍ ର କାର୍ପଟଦାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁରଙ୍କ ୩୦ ବର୍ଷୀୟ ପୁଅ ତଥା କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ !
ବଲିଉଡ୍ ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରେ ଏବେ ଏହି ଚର୍ଚ୍ଚା । ମହାରାଷ୍ଟ୍ର ବିଜେପି ତ ଏହି ସିଦ୍ଧାନ୍ତରେ ପହଞ୍ଚିସାରିଛନ୍ତି । ସୋର୍ସ(ସୂତ୍ର) ହୋଇଛନ୍ତି ପୋଷା ମିଡ଼ିଆ । ଇନଭେଷ୍ଟିଗେସନ୍/ଷ୍ଟିଙ୍ଗ୍ ଅପରେସନ୍ ନାଁରେ ପ୍ରତିଦିନ ନୂଆ ନୂଆ ଥିଓରି ସାମନାକୁ ଆଣୁଛନ୍ତି । ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗର୍ଜନରେ ଟିଭି ଥରୁଛି । ଏକାଧାରରେ ସାମ୍ବାଦିକ, ପୁଲିସ, ଓକିଲ, ବିଚାରପତି ଭୂମିକା । ନିଜର ସ୍ପେଶାଲ୍ ଟାକ୍ସଫୋର୍ସ(ଏସଟିଏଫ) ଜରିଆରେ ସେ ଷ୍ଟିଙ୍ଗ୍ ଅପରେସନରୁ କୁଆଡ଼େ ପୁଳା ପୁଳା ତଥ୍ୟ ପ୍ରମାଣ ପାଇସାରିଛନ୍ତି । ମହାରାଷ୍ଟ୍ର ପୁଲିସ ଉପରେ ତାଙ୍କର ବିଶ୍ୱାସ ନ ଥିବାରୁ ସିବିଆଇକୁ ତଥ୍ୟ ଦେବେ । ଷ୍ଟୁଡ଼ିଓରୁ ଛାତି ବାଡେଇ ଏହା କହୁଛନ୍ତି ଅର୍ଣ୍ଣବ ।
ଅର୍ଣ୍ଣବଙ୍କୁ ଜିଆଣି ଦେଇ ଚର୍ଚ୍ଚାକୁ ଗଡ଼େଇବା ପାଇଁ ମୁଷ୍ଟିମେୟ ନେତା, ଅଫିସରଙ୍କ ଆଡୁ କିଛି ନା କିଛି ରୋଚକ ବୟାନ ଆସୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ମହାରାଷ୍ଟ୍ର ବନାମ ବିହାର ଲଢ଼େଇର ରୂପ ନେଇସାରିଛି । ବିହାର ପୁଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ ରିପବ୍ଲିକ୍ ଟିଭିକୁ ଆପଣାର କରିଦେଇଛନ୍ତି । ତାଙ୍କ ଭାବଭଙ୍ଗୀ, କଥାବାର୍ତ୍ତାରୁ ସେ ଯେ ପୁଲିସ ଡିଜି ତାହା ଜଣାପଡୁନାହିଁ । ଏତେ ପାରିବାର ପୁଲିସ ମୁଖିଆ ଥାଉ ଥାଉ ବିହାରରେ ଅତ୍ୟା, ଅପରାଧ କାହିଁକି ନିୟନ୍ତ୍ରଣ ହୋଇପାରିନାହିଁ ବୋଲି କେହି କେହି ପ୍ରଶ୍ନ କରୁଛନ୍ତି ।
ସୁଶାନ୍ତଙ୍କ ଅଫିସ୍ ମ୍ୟାନେଜର ଭାବେ ଅଳ୍ପଦିନ କାର୍ଯ୍ୟ କରିଥିଲେ ଦିଶା । ତାଙ୍କ ମୃତ୍ୟୁର ପାଖାପାଖି ୨ ମାସ ପରେ ମହାରାଷ୍ଟ୍ରର ବିଜେପି ନେତା ନାରାୟଣ ରାଣେ ଏବଂ ଅର୍ଣ୍ଣବ ଗୋସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ମୃତ୍ୟୁର ଲିଙ୍କ୍ ପାଇଛନ୍ତି । ସୁଶାନ୍ତଙ୍କୁ ମର୍ଡର କରାଯାଇଛି ବୋଲି ମୁମ୍ବାଇ ପୁଲିସକୁ ଚାଲେଂଜ ଦେଇଥିବା ଅର୍ଣ୍ଣବ ଏବେ ଡବଲ୍ ମର୍ଡର ଥିଓରିର ଅବତାରଣା କରିଛନ୍ତି । ଦିଶା ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ବି ମର୍ଡର କରାଯାଇଛି ବୋଲି ଦାବି କରି ମୁମ୍ବାଇ ପୁଲିସ ଏବଂ ଉଦ୍ଧବ ଠାକରେଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
ଏହି ପରିପ୍ରେକ୍ଷୀରେ ଗତକାଲି ଦିଶାଙ୍କ ବାପା ସତୀଶ ସାଲିଆଁ ମୁମ୍ବାଇ ପୁଲିସକୁ ଲେଖିଥିବା ଚିଠି ଏବେ ମାମଲାକୁ ନୂଆ ମୋଡ଼ ଦେଇଛି । ବେଶ୍ ଆବେଗପୂର୍ଣ୍ଣ ଚିଠି ଲେଖିଛନ୍ତି ।
ତାଙ୍କ ଝିଅର ମୃତ୍ୟୁକୁ ନେଇ ସାମ୍ବାଦିକମାନେ ଲଗାତର ‘ଫେକ୍ ନ୍ୟୁଜ୍’ ପରିବେଷଣ କରୁଥିବା ସିଧାସଳଖ ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କ ଅତ୍ୟାଚାର ତାଙ୍କୁ ଅତିଷ୍ଠ କରିଛି । ଶାନ୍ତିରେ ରଖେଇ ଦେଉନାହାନ୍ତି । କ୍ୟାମେରା, ବୁମ୍ ଧରି ମନଇଚ୍ଛା ଘରେ ପଶୁଛନ୍ତି । ଜୋର୍ ଜବରଦସ୍ତ ପ୍ରଶ୍ନ ପଚାରି ଭିନ୍ନ ଅର୍ଥରେ ଖବର କରୁଛନ୍ତି । ତାଙ୍କ ମୃତ ଝିଅର ଚରିତ୍ର ଉପରେ ମିଥ୍ୟା ଖବର କରି ବଦନାମ କରିବା ସହ ପରିବାରକୁ ‘ମେଣ୍ଟାଲ୍ ହାରାସମେଣ୍ଟ ‘ କରୁଛନ୍ତି । ଆଦୌ ସତ୍ୟତା ନ ଥିବା ମନଗଢ଼ା ସମ୍ବାଦ କେବଳ ଟିଆରପି ପାଇଁ ସାମ୍ବାଦିକମାନେ କରୁଥିବା ସତୀଶ ଅଭିଯୋଗ ବାଢ଼ିଛନ୍ତି । ସଂପୃକ୍ତ ସାମ୍ବାଦିକ ଓ ଗଣମାଧ୍ୟମ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ଦୌରାତ୍ମ୍ୟରୁ ତାଙ୍କୁ ବଞ୍ଚାଇବା ପାଇଁ ସେ ପୁଲିସକୁ ଆକୁଳ ନିବେଦନ କରିଛନ୍ତି ।
ଝିଅର ମୃତ୍ୟୁ ନେଇ ମୁମ୍ବାଇ ପୁଲିସର ତଦନ୍ତ ଉପରେ ସେ ପୂରା ସନ୍ତୁଷ୍ଟ ଏବଂ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି । ପୁଲିସ ଆଗରେ ଯାହା କହିବା କଥା ସେ କହିସାରିଛନ୍ତି । ଝିଅର ମୃତ୍ୟୁ ପଛରେ କାହାରିକୁ ସନ୍ଦେହ କରୁନାହାନ୍ତି । ଘଟଣାରେ ‘ଫାଉଲ୍ ପ୍ଲେ’ ନାହିଁ । ଦିଶାଙ୍କ ସହ କୌଣସି ରାଜନୈତିକ ବ୍ୟକ୍ତିଙ୍କର ସମ୍ପର୍କ ନ ଥିଲା କି ବଲିଉଡ୍ ର ନାମକରା ବ୍ୟକ୍ତିଙ୍କ ସହ କୌଣସି ପାର୍ଟି ଫାର୍ଟିରେ ଯୋଗ ଦେଇନାହାନ୍ତି । ପାର୍ଟି, ରେପ୍, ମର୍ଡର ଏସବୁ ମିଡ଼ିଆର ମନଗଢ଼ା କାହାଣୀ ବୋଲି ଦିଶାଙ୍କ ବାପା ଲେଖିଛନ୍ତି ।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁର ମାତ୍ର ୬ ଦିନ ପୂର୍ବରୁ ଜୁନ୍ ୮ ତାରିଖ ମଧ୍ୟରାତ୍ରରେ ଦିଶା ମୁମ୍ବାଇର ମାଲଦ ୱେଷ୍ଟ୍ ସ୍ଥିତ ନିଜର ନୂଆ ଫ୍ଲାଟ୍ (ରିଜେଣ୍ଟ ଗାଲାକ୍ସି ବିଲଡିଂର ୧୪ ମହଲା) ରୁ ପଡ଼ି ମୃତ୍ୟୁବରଣ କରିଥିଲେ । ଏହାକୁ ଆତ୍ମହତ୍ୟା ନଚେତ ଦୁର୍ଘଟଣା ବୋଲି ପରିବାର ଲୋକ ସନ୍ଦେହ କରୁଥିବା ବେଳେ ମୁମ୍ବାଇ ପୁଲିସର ପ୍ରାଥମିକ ତଦନ୍ତ ବି ସେୟା କହୁଛି । ଲକଡାଉନ୍ ଯୋଗୁଁ ତାଙ୍କ ପ୍ରକଳ୍ପ ବନ୍ଦ ରହିଥିବାରୁ ସେ ଭୀଷଣ ଆର୍ଥିକ କ୍ଷତିରେ ଥିଲେ । ଏହା ହିଁ ମୃତ୍ୟୁର କାରଣ ହୋଇପାରେ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତଙ୍କ ବାପା କେ.କେ.ସିଂହ ବିହାର ପୁଲିସରେ ଦେଇଥିବା ଏତଲାରେ ଦିଶାଙ୍କ ମୃତ୍ୟୁ ପାଇଁ ସୁଶାନ୍ତଙ୍କୁ ଦାୟୀ କରି ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ତାଙ୍କୁ ଧମକାଉଥିଲେ । ଏଭଳି ଧମକ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥାଇପାରେ ବୋଲି ସେ ଉଲ୍ଲେଖ କରିଥିଲେ ।
ଏହା ସତ ଯେ ମୁମ୍ବାଇ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ବାପା ଓ ପରିବାର ମୁମ୍ବାଇ ପୁଲିସ ଉପରୁ ଆସ୍ଥା ହରାଇଛନ୍ତି । ଯାହା ପରିସ୍ଥିତିକୁ ଜଟିଳ କରିଛି । ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏହା ପଛରେ କାରଣ କ’ଣ ତାହା ଲୋକଲୋଚନକୁ ସଠିକ୍ ଭାବେ ଆସିବା ଦରକାର । ରାଜନୀତିର ଉଦ୍ଧ୍ୱର୍ରେ ଏହି ପ୍ରତିଭାଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ହୋଇ ରହସ୍ୟ ଉପରୁ ପର୍ଦ୍ଦା ହଟିବା ଦରକାର । ରାଜନୀତି ମାମଲାର ସତ୍ୟତା ଉନ୍ମୋଚନ କରିପାରିବ ନାହିଁ କି ସୁଶାନ୍ତ ଏବଂ ଦିଶାଙ୍କ ଆତ୍ମାକୁ ନ୍ୟାୟ ଦେଇପାରିବ ନାହିଁ ।