ଭୁବନେଶ୍ୱର: କ୍ଷମତାର ଚଉକି ଖଣ୍ଡେ ପାଇଁ ବହୁ ଆଶା ବାନ୍ଧିଥିଲେ । ଆଖିରେ ଭରି ଦେଇଥିଲେ ଅସୁମାରୀ ସ୍ୱପ୍ନ । ହେଲେ ସବୁ ଫୁସ୍ ହୋଇଗଲା । ଭାଗ୍ୟଟା ଏତେ ନିର୍ଦ୍ଦୟ ଯେ ଯାହାକୁ ଧରି କ୍ଷମତାର ସିଢ଼ି ଚଢ଼ିବାକୁ ସ୍ୱପ୍ନ ଦେଖିଥିଲେ ସେମାନଙ୍କ ଚଉକି ଖସିଗଲା । ଏବେକୁ ମନମାରି ନିଜର ମିଛିମିଛିକା କର୍ମସ୍ଥଳୀ ଖଣ୍ଡପଡ଼ାକୁ ପୁଣି ଆଦରେଇବାକୁ ବାଧ୍ୟ ହୋଇଛନ୍ତି । ଖଣ୍ଡପଡ଼ାବାସୀଙ୍କ ମନ କିଣିବାକୁ ପୁଣି ବ୍ୟାକୁଳ ହୋଇପଡ଼ିଛନ୍ତି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ଖଣ୍ଡପଡ଼ା ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ସୌମ୍ୟରଂଜନ ନିଜର “ଆମ ଓଡ଼ିଶା ପାର୍ଟି” ଛତା ତଳେ ଭାଗ୍ୟ ପରଖି ପାରୁନାହାନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପିର ଉତଥାନ ଦେଖି ପ୍ରଥମେ ସେୟାଡକୁ ଢ଼ଳିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟା ପଣ କରି ଅନ୍ତରର ଆତ୍ମା କରିଛନ୍ତି । ହେଲେ ତାହା କାମ କରୁନି । ଶେଷ ବିକଳ୍ପ ଭାବେ ସୌମ୍ୟ ବିଜେଡ଼ିକୁ ଢ଼ଳିବାକୁ ଚେଷ୍ଟା କରିଥିଲେ । କିଛି ପାୱରାଫୁଲ୍ ଚେଲାଚାମୁଣ୍ଡାଙ୍କ ପ୍ରରୋଚନା ଓ ସହଯୋଗରେ ବିଜେଡ଼ିର ଶକ୍ତିକେନ୍ଦ୍ର ଆଡକୁ ହାତ ବଢ଼ାଉଥିଲେ । ସେଥିପାଇଁ ତିନି ଜଣ ପାୱାରଫୁଲ୍ ଯୁବମନ୍ତ୍ରୀଙ୍କ ଏକାନ୍ତ ସହଯୋଗକୁ କାମ୍ୟ କରିଥିଲେ ସେ । ସେମାନଙ୍କ ମନ କିଣିବା ପାଇଁ ନିଜ ହୋମ୍ ପ୍ରଡ଼କ୍ସନ୍ ର ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କରି ନେଇଥିଲେ । ସେହି ସଭାରେ ସଂପୃକ୍ତ ଯୁବମନ୍ତ୍ରୀଙ୍କ ଦକ୍ଷତା ଓ ଜ୍ଞାନଗାରିମାକୁ ପ୍ରଂଶସାରେ ପୋତି ଦେଇଥିଲେ । ସେମାନଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କୁ ମନେଇବା ପାଇଁ ଏହି ସବୁ ଚାଲ୍ ଥିଲା । ଖାସ୍ କରି ବିଷ୍ଣୁ ଦାସଙ୍କ ଇସ୍ତଫାରେ ଖାଲି ଥିବା ରାଜ୍ୟସଭା ଆସନ ଆଖେଇ ଦିଲ୍ଲୀ ଯିବାକୁ ମନେ ମନେ ମନସ୍ଥ କରିଦେଇଥିଲେ ସୌମ୍ୟ ।
ହେଲେ ରାଜନୀତିର ମହାବାତ୍ୟା ତାଙ୍କ ସ୍ୱପ୍ନ ଧୂଳିସାତ୍ କରିଦେଇଛି । ଯେଉଁ ଯୁବମନ୍ତ୍ରୀଙ୍କ ହାତ ଧରି କ୍ଷମତା ଚଉକିର ସ୍ୱପ୍ନ ଦେଖୁଥିଲେ ରାତାରାତି ସେହି ଯୁବମନ୍ତ୍ରୀଙ୍କ ଚଉକି ଖସିଯାଇଛି । ମନି ଓ ମିଡ଼ିଆ ପାୱାର୍ ଦେଖାଇ ବିଜେଡ଼ିରେ ନିଜକୁ ବୈଜୟନ୍ତ ପଣ୍ଡା ଏବଂ ଭର୍ତ୍ତୃହରିିଙ୍କ ବିକଳ୍ପ ଉପସ୍ଥାପନ କରୁଥିବା ସୌମ୍ୟରଂଜନଙ୍କ ବିଜେଡ଼ି ସମ୍ପର୍କ ବାନ୍ଧିବା ଆଗରୁ ଡୋରି ଛିଣ୍ଡିଯାଇଛି । ଆଖେଇଥିବା ରାଜ୍ୟସଭା ଆସନ ଚାଲିଯାଇଛି ପ୍ରତାପ ଦେବଙ୍କ ହାତକୁ । ବିଜେପି ଓ ବିଜେଡ଼ିରେ ଆଶ୍ରା ଖୋଜି ବିଫଳ ହୋଇଥିବା ସୌମ୍ୟ ଏବେ କାନମୁଣ୍ଡା ଆଉଁଷି ସେଇ ଖଣ୍ଡପଡ଼ାରେ ମନ ଲଗାଇଛନ୍ତି । ମନ ଛଡ଼େଇଥିବା କର୍ମୀଙ୍କ ମନ କିଣିବାକୁୁ ପୁଣି ଲାଗିପଡ଼ିଛନ୍ତି ।