ନୂଆଦିଲ୍ଲୀ: ଅମର ସିଂହଙ୍କ ଦେହାନ୍ତ । ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କର ସିଙ୍ଗାପୁରର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ୨୦୧୧ରେ କିଡନୀ ପ୍ରତିରୋପଣ ପରଠାରୁ ଅଧିକାଂଶ ସମୟ ସେ ଅସୁସ୍ଥ ରହୁଥିଲେ । କିଛି ମାସ ତଳେ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ମୁଲାୟମ୍ ସିଂହ ଯାଦବଙ୍କ ଅତି ନିକଟତର ଥିବା ଅମର ସିଂହ ଜାତୀୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ । ଏପରିକି ଜାତୀୟ ରାଜନୀତିରେ ତାଙ୍କୁ ଚାଣକ୍ୟ ବୋଲି କୁହାଯାଉଥିଲା । ଆମେରିକା ସହ ଆଣବିକ ଚୁକ୍ତି ପରେ ୨୦୦୮ରେ ୟୁପିଏ-୧ ସରକାରରୁ ବାମ ମେଣ୍ଟ ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ଆଉ ସେତେବେଳେ କ୍ରାଏସିସ୍ ମ୍ୟାନେଜର ଭାବେ ସାମ୍ନାକୁ ଆସିଥିଲେ ଅମର ସିଂହ । ତାଙ୍କ ପ୍ରଚେଷ୍ଟାରେ ହିଁ ୟୁପିଏକୁ ସମାଜବାଦୀ ପାର୍ଟିର ସମର୍ଥନ ମିଳିଥିଲା ଏବଂ ମନମୋହନ ସିଂହ ସରକାର ବଞ୍ଚି ଯାଇଥିଲା ।
୧୯୯୬ରୁ ରାଜ୍ୟସଭା ସଦସ୍ୟ ଥିବା ଅମର ସିଂହଙ୍କୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ମୁଲାୟମ୍ ସିଂହ ଯାଦବ ତାଙ୍କୁ ପାର୍ଟିରୁ ବାହାର କରି ଦେଇଥିଲେ । ଅମର ସିଂହଙ୍କ ସହ ଜୟା ବଚ୍ଚନଙ୍କୁ ମଧ୍ୟ ପାର୍ଟିରୁ ବାହାର କରି ଦିଆଯାଇଥିଲା । କିନ୍ତୁ ସମାଜବାଦୀ ପାର୍ଟି ଛାଡ଼ିବା ବେଳେ ମଧ୍ୟ ମୁଲାୟମଙ୍କ ବିରୋଧରେ ପଦୁଟିଏ କହି ନଥିଲେ ଅମର ସିଂହ । ବରଂ ମୁଲାୟମଙ୍କୁ ତାଙ୍କ ଦିଗଦର୍ଶକ ଭାବେ ଅଭିହିତ କରି ଭୂୟସୀ ପ୍ରଶଂସା କରିଥିଲେ ।
ବଚ୍ଚନ ପରିବାର ସହ ଅମର ସିଂହଙ୍କର ଖୁବ୍ ଭଲ ସମ୍ପର୍କ ଥିଲା । କିନ୍ତୁ ୨୦୧୬ରେ ଜୟା ବଚ୍ଚନଙ୍କୁ ସେ ସମାଲୋଚନା କରିଥିଲେ । କିନ୍ତୁ ଗତ ଫେବୃୟାରୀରେ ସେଥିପାଇଁ ଦୁଃଖ ପ୍ରକାଶ କରି, ଫେସବୁକ୍ ଆକାଉଣ୍ଟରେ ସ୍ୱତନ୍ତ୍ର ଭିଡିଓ ମେସେଜ୍ ଛାଡ଼ିଥିଲେ । ଯାହାକୁ ବେଶ୍ ଉଦାରତାର ସହ ଗ୍ରହଣ କରିଥିଲେ ଜୟା ବଚ୍ଚନଙ୍କ ସ୍ୱାମୀ ଅମିତାଭ ବଚ୍ଚନ । ସମାଜବାଦୀ ପାର୍ଟିରେ ନଥାଇ ମଧ୍ୟ ୨୦୧୬ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ ଅମର ସିଂହ ।
ସବୁ ରାଜନୈତିକ ଦଳ ସହ ବେଶ୍ ଭଲ ସମ୍ପର୍କରେ ଥିଲେ ଅମର ସିଂହ । ଏପରିକି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ମଧ୍ୟ ତାଙ୍କ ସମ୍ପର୍କ ଭଲ ଥିଲା । ତାଙ୍କ ବିୟୋଗରେ ସମସ୍ତ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।