ଭୁବନେଶ୍ୱର: ଓଡ଼ିଶାର କରୋନା ହଟ୍ ସ୍ପଟ୍ ଭୁବନେଶ୍ୱର ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଆଜି ଏହି ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି ସହରର ହଟ୍ ସ୍ପଟ୍ ଇଲାକକୁ ସର୍ଭେଲାନ୍ସରେ ରଖାଯାଇ ଆକ୍ରାନ୍ତମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି, କଣ୍ଟାକ୍ଟ ଲିଷ୍ଟ ସଂଗ୍ରହ କରାଯାଇଛି । ସେହି ଅନୁସାରେ ସାମ୍ପଲ୍ ନିଆଯାଇ ଟେଷ୍ଟ କରାଯାଉଛି । ତେଣୁ ଡରିବାର କୌଣସି କାରଣ ନାହିଁ । ଗୋଟିଏ ବାକ୍ୟରେ କହିଲେ ଭୁବନେଶ୍ୱର ସୁରକ୍ଷିତ ଅଛି ।
କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେତେ ବେଡ୍ ପ୍ରସ୍ତୁତ ହୋଇଛି, ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ ତାହାର ୧% ବି ପୂରଣ ହୋଇନି । ତେବେ ଭବିଷ୍ୟତରେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖାଯାଇ ଏଭଳି ପ୍ରସ୍ତୁତି କରାଯାଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।
କରୋନା ହଟ୍ ସ୍ପଟ୍ କୁହାଯାଉଥିବା ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରୁ ଅଧିକ ସାମ୍ପଲ୍ ଟେଷ୍ଟ କରାଯାଉଛି । ଦିଲ୍ଲୀରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୯୨ ଜଣଙ୍କର ଟେଷ୍ଟ ହେଉଛି । ମୁମ୍ବାଇରେ ୧୮୮ ଜଣଙ୍କର ଟେଷ୍ଟ ହେଉଛି । ଭୁବନେଶ୍ୱରରେ ପ୍ରତି ଲକ୍ଷେ ଲୋକରେ ୧୯୦ ଜଣଙ୍କ ଟେଷ୍ଟ ହେଉଛି । ଏହାକୁ ଅଧିକ ବଢ଼ାଇବା ପାଇଁ ଆମେ ଉଦ୍ୟମ କରିଛୁ । ତେଣୁ ଆଜିଠାରୁ ଭୁବନେଶ୍ୱରରେ ରାପିଡ ଟେଷ୍ଟ ଆରମ୍ଭ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ସର୍ଭେ କରି ସାମ୍ପଲ୍ ନେଉଛନ୍ତି । ଆଜି ସକାଳେ ୭୫୬ ସାମ୍ପଲ୍ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
ରାପିଡ୍ ଟେଷ୍ଟ କେମିତି ହୁଏ: ଲୋକଙ୍କ ଭେନ୍ ରୁ ରକ୍ତ ନିଆଯାଇ ପରୀକ୍ଷା କରାଯାଏ । ସାମ୍ପଲ୍ ସଂଗ୍ରହର ୧୫/୨୦ ମିନିଟ୍ ଭିତରେ ରିପୋର୍ଟ ମିଳିଯିବ । ନମୁନା ପଜିଟିଭ୍ ବାହାରିଲେ ଆଉ ଥରେ ସ୍ୱାବ୍ ଟେଷ୍ଟ ହେବ ।