ଭୁବନେଶ୍ୱର: ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବରେ ଯୋଗଦେଉଥିବା ବଲିଉଡ଼ ଷ୍ଟାର୍ ଶାହାରୁଖ ଖାନ୍ ଙ୍କୁ ଓଡ଼ିଶା ମାଟିରେ ବିରୋଧ ନିଷ୍ପତ୍ତିରୁ ସାମୟିକ ଭାବେ ଓହରିଛି କଳିଙ୍ଗସେନା । ଓଡ଼ିଶାର ସମ୍ମାନକୁ ଆଖିରେ ରଖି ହକି ଇଣ୍ଡିଆ ସଭାପତି ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ଅନୁରୋଧକ୍ରମେ ଶାହାରୁଖଙ୍କୁ ବିରୋଧ ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ପ୍ରତ୍ୟାହାର କରିନେଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଏହି ସୂଚନା ଦେଇଛନ୍ତି ।
ଅଶୋକ ଚଳଚିତ୍ରରେ ଅଭିନୟ କରିଥିବା ଶାହାରୁଖ ଓଡ଼ିଶାର ଇତିହାସକୁ ବିକୃତ କରି ଓଡ଼ିଆ ଜାତିକୁ ଅପମାନିତ କରିଥିବା ଅଭିଯୋଗ ଆଣି ତାଙ୍କୁ ଓଡ଼ିଶା ମାଟିରେ ପୂରାଇ ନ ଦେବାକୁ କଳିଙ୍ଗ ସେନା ପକ୍ଷରୁ ଧମକ ଦିଆଯାଇଥିଲା । ତେବେ ହକି ଇଣ୍ଡିଆର ସଭାପତି ମୁସ୍ତାକ୍ ଅହମ୍ମଦ ଆଜି ଶ୍ରୀ ରଥଙ୍କୁ ଇମେଲ୍ ଯୋଗେ ଏଭଳି ନ କରିବାକୁ ଅନୁରୋଧ କରିଥିଲେ । ବିଶ୍ୱକପ୍ ହକି ଭଳି ଏକ ଏତେ ବଡ଼ ଇଭେଣ୍ଟ ର ଆୟୋଜନ ଦ୍ୱାରା ଓଡ଼ିଶା ଓ ଭାରତ ଆଜି ବିଶ୍ୱଦରବାରରେ ସମ୍ମାନଲାଭ କରିଛି । ଶାହାରୁଖଙ୍କ ଭଳି ଲୋକପ୍ରିୟ ବଲିଉଡ଼୍ ଷ୍ଟାର୍ ଙ୍କୁ ଉଦଘାଟନ ଉତ୍ସବରେ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ଶାହାରୁଖଙ୍କ ପ୍ରତି ସାମାନ୍ୟ ଅଘଟଣ ହେଲେ ବିଶ୍ୱଦରବାରରେ ଓଡ଼ିଶା ନିନ୍ଦିତ ହେବ । ତେଣୁ ଶାହାରୁଖଙ୍କୁ ବିରୋଧ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ସେ କଳିଙ୍ଗସେନା ସଭାପତିଙ୍କୁ ଅନୁରୋଧ କରିଥିଲେ ।
ହକି ଇଣ୍ଡିଆ ସଭାପତିଙ୍କଠାରୁ ଅନୁରୋଧ ପାଇଲା ପରେ କଳିଙ୍ଗ ସେନାର ଏକ ବୈଠକ ବସି ଓଡ଼ିଶାର ସମ୍ମାନ ଦୃଷ୍ଟିରୁ ଶାହାରୁଖଙ୍କୁ ବିଶ୍ୱକପ୍ ହକି ସମୟରେ ବିରୋଧ ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।