ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ଦୁଇ ଦିନ ତଳେ ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟର ସାରାଂଶ ଥିଲା କି ବିଚାରପତିମାନେ ଲୋକଙ୍କୁ ଆଇନ ଆଧାରରେ ନ୍ୟାୟ ଦେଉନାହାନ୍ତି । ନିଜ ମର୍ଜି(!)ରେ ବିଚାରପତି ଶୁଣାଉଛନ୍ତି ରାୟ । ସେଥିପାଇଁ କେଉଁ ବିଚାରପତିଙ୍କ ଅଦାଲତରେ ମାମଲାର ବିଚାର ହେବ ତାହା ଫିକ୍ସିଂ ହୋଇଯାଉଛି । କାଟଜୁଙ୍କର ଏହି ମନ୍ତବ୍ୟଟି କେତେ ସାଂଘାତିକ ତାହା କହିବା ଅନାବଶ୍ୟକ । କାଟଜୁଙ୍କର ଏଭଳି କିଛି ବିବାଦୀୟ ମନ୍ତବ୍ୟ ସବୁବେଳେ ଝଡ଼ ସୃଷ୍ଟି କରିଛି । ନିକଟରେ ଓଡ଼ିଶା ସମ୍ପର୍କରେ ତାଙ୍କର ହୀନ ମନ୍ତବ୍ୟକୁ ଆମେ ମଧ୍ୟ କଟୁ ସମାଲୋଚନା କରି ତାଙ୍କୁ ବିକୃତ ମାନସିକଧାରୀ କହି ପାଳି ଧରିଥିଲୁ । ମାତ୍ର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଭବ କଲେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଅଭିଜ୍ଞ କାଟଜୁଙ୍କ ନଗଦ ଟିପ୍ପଣୀ ଯେ ଖାଣ୍ଟି ଅପ୍ରିୟ ତାହା ବାରି ହୋଇଯାଉଛି । ଏଠାରେ କାଟଜି ଉପକ୍ରମଣିକା ଅନ୍ତରାଳରେ ମହାପ୍ରଭୁଙ୍କ ନିଳାଦ୍ରୀବିଜେ ଅଘଟଣ ଓ ମାମଲାର ବିଚାରପ୍ରକ୍ରିୟାର ଗୁମର ସାମନାକୁ ଆସିଛି ।
ଚଳିତବର୍ଷ ମହାପ୍ରଭୁଙ୍କ ନିଳାଦ୍ରୀବିଜେ ଦିନ ହାଇକୋର୍ଟ ଓ ପ୍ରଶାସନର କଟକଣା ସତ୍ତ୍ୱେ ଜଣେ ସେବାୟତ ତାଙ୍କ ଝିଅକୁ ତାଳଧ୍ୱଜ ରଥରେ ଚଢ଼ାଇ ଠାକୁରଙ୍କ ଦର୍ଶନ କରାଇଥିଲେ । ସେଠାରେ ଉପସ୍ଥିତ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ ଖାତିର କରି ନ ଥିଲେ । ବରଂ ଝିଅକୁ ପୁଣି ଏକ ରଥରେ ଚଢ଼ାଇ ଜିଲ୍ଲାପାଳଙ୍କୁ ଚାଲେଂଜ କରିଥିଲେ । ସେବାୟତଙ୍କୁ ବାରଣ କରୁଥିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ କର୍ତ୍ତାଙ୍କୁ ସେ ଅଙ୍ଗୁଳି ଦେଖାଇ ହତ୍ୟା ଧମକ ବି ଦେଇଥିଲେ । ତାହା ପୁଣି ଜିଲ୍ଲା ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ଆଗରେ । ଅନ୍ୟ ସେବାୟତ ଭାଇମାନେ ସହଯୋଗୀଙ୍କୁ ସମର୍ଥନ ଦେବାକୁ ଆଗେଇ ଆସି ଜିଲ୍ଲାପାଳ ଓ ଏସପିଙ୍କୁ ଚାକର ହଳିଆ ଭଳି ବ୍ୟବହାର କରିଥିଲେ । ସେବାୟତଙ୍କ ଉଶୃଙ୍ଖଳିତ ଆଚରଣର ଫଟୋ ଉଠାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ହାତ ଉଠାଇଥିଲେ ସେବାୟତ ଗୋଷ୍ଠୀ । ଏହି ସବୁ ଦୃଶ୍ୟକୁ ବାଲକୋନିରେ ଆରାମ୍ ରେ ବସି ଉପଭୋଗ କରୁଥିଲେ ରାଜ୍ୟର ଆଇନମନ୍ତ୍ରୀ ଅରୁଣ ସାହୁ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର । ଏହି ଗୁରୁତର ଅଘଟଣ ଯୋଗୁଁ ବିଶ୍ୱର କୋଟି କୋଟି ଲୋକ ଦେଖୁଥିବା ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ ଘଣ୍ଟେ କାଳ ଅଟକିଗଲା । ତେବେ ସେବାୟତଙ୍କ ଉଦ୍ଧତ ଆଚରଣ ଓ ଅଭଦ୍ରୋଚିତ କାଣ୍ଡକୁ ବରଦାସ୍ତ କରି ନ ଥିଲେ ନଛୋଡ଼ବନ୍ଧା ଜିଲ୍ଲାପାଳ । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସଲାସୁତୁରା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରି ସେ ନିଜେ ଦୁର୍ବ୍ୟବହାରୀକାରୀ ସେବାୟତମାନଙ୍କ ବିରୋଧରେ ଖୋଦ୍ ଏସପିଙ୍କ ପାଖରେ ଏତଲା ଦେଲେ । ଜୁଲାଇ ୧୯ ତାରିଖରେ ଶ୍ରୀଜୀଉଙ୍କ ସେବାରୁ ୯ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇ ପୁଲିସ ଧରପଗଡ଼ ଆରମ୍ଭ ହେଲା । ଫେରାର ହୋଇଗଲେ ଦାଗୀ ସେବାୟତ ।
ଏହି ମାମଲାରେ ଫେରାର ସେବାୟତ ଜୟକୃଷ୍ଣ ମହାସୁଆର, ହରିନାରାୟଣ ଖୁଣ୍ଟିଆ ଓ ଭୀମସେନ ପଲଙ୍କଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କଲା । ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲା କୋର୍ଟରେ ଆବେଦନ କରିଥିଲା । ମାନ୍ୟବର ବିଚାରପତି ପୁଲିସ ଆବେଦନକୁ ଗ୍ରହଣ କରି ଆଇପିସି ଧାରା ୮୨ ଅନୁଯାୟୀ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେମାନେ ତଳକୋର୍ଟର ନିର୍ଦ୍ଦେଶ ବିରୋଧରେ ଗଲେ ହାଇକୋର୍ଟ । ତେବେ ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡାଙ୍କ ଖଣ୍ଡପୀଠ ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇ ଦେଇଛନ୍ତି । ଗତକାଲି ମାନ୍ୟବରା ଜଷ୍ଟିସ୍ ପଣ୍ଡା ନିଳାଦ୍ରୀବିଜେ ଅଘଟଣ ବିବାଦର ଆପୋଷ ସମାଧାନ ପାଇଁ ୩ ଜଣ ବରିଷ୍ଠ ଓକିଲଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଅଶୋକ କୁମାର ପରିଜା ଓ ଅଶୋକ ମହାନ୍ତିଙ୍କୁ ନେଇ ଗଠିତ କମିଟି ଆସନ୍ତା ୧୯ ତାରିଖ ଦିନ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବେ । ସେବାୟତମାନଙ୍କ ସହ ବିବାଦର ସମାଧାନ ଫର୍ମୂଲା ବାହାର କରିବେ । ଫଳାଫଳକୁ ଖଣ୍ଡପୀଠର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ଅବଗତ କରିବେ ।
ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କ ଖଣ୍ଡପୀଠର ଏଭଳି ନିର୍ଦ୍ଦେଶ ହାଇକୋର୍ଟର ବରିଷ୍ଠ ଓକିଲ ମହଲକୁ ବିସ୍ମିତ କରିଛି । ନିଳାଦ୍ରୀବିଜେ ବିଶୃଙ୍ଖଳାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ବି.ପି.ଦାସ କମିସନଙ୍କୁ ଦାୟିତ୍ୱ ଦେଇଛନ୍ତି । ମାମଲାର ଟିକନିକ ଦୋଷତ୍ରୁଟି ଖୋଜି ସରକାରଙ୍କୁ ରିପୋର୍ଟ ଦେବେ କମିସନ । ଅନ୍ୟପକ୍ଷରେ ଦୋଷୀ ସେବାୟତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଅଦାଲତର । ସମାଧାନର ରାସ୍ତା ଖୋଜିବା ଦାୟିତ୍ୱ ନୁହେଁ । ବରଂ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡ ଦେବାର ସମ୍ପୂର୍ଣ୍ଣ ଅଧିକାର ହେଉଛି ଅଦାଲତର । ସମ୍ବିଧାନ ଅଦାଲତ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଛି । ହେଲେ ଜିଲ୍ଲାପାଳ ଓ ଏସପିଙ୍କୁ ଚାଲେଞ୍ଜ ଦେଇ ଆଇନକୁ ନିଜ ହାତକୁ ନେଇ କୋଟି କୋଟି ଲୋକଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇଥିବା ସେବାୟତଙ୍କ ବିରୋଧରେ ଆଇନଗତ ହତିଆର ନ ଚଲାଇ ଗଳାବାଟ ଫିଟାଇବାର ଚାଲାକ୍ କୁ ଅନେକ ଆଇନଜୀବୀ ଗ୍ରହଣ କରିପାରିନାହାନ୍ତି । ବିଚାରପ୍ରକ୍ରିୟା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସକୁ ଏହା ଶକ୍ତ ଆଘାତ ଆଣିଛି ବୋଲି ସେମାନେ ମତ ଦେଇଛନ୍ତି । ହାଇକୋର୍ଟର ଏଭଳି ପଦକ୍ଷେପ ସେବାୟତଙ୍କୁ ସୁରକ୍ଷା ଦେଇଥିବା ବେଳେ ପ୍ରଶାସନ ଓ ପୁଲିସର ମନବଳ ଯେ ଭାଙ୍ଗିଦେବ ତାହା ନିଃସନ୍ଦେହ ବୋଲି କୁହାଯାଉଛି । କାଟଜୁଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ହାଇକୋର୍ଟର ବିଶ୍ୱାସନୀୟତା ସାଧାରଣ ମଣିଷକୁ ଆନ୍ଦୋଳିତ କରିଛି ।