ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ତାଙ୍କ ଉପରେ ଶାଶୁ ଶ୍ୱଶୁରଙ୍କ ଭରପୂର ଆର୍ଶିବାଦ ଅଛି । ଘର ଛାଡ଼ିବା ପୂର୍ବରୁ ସେ ସେମାନଙ୍କ ସହ ଦେଖା ହୋଇ ଆସିଥିଲେ । ଏବେ ରଘୁ ମହାନ୍ତିଙ୍କ ବୋହୁ ନୁହଁ, ଝିଅ ହୋଇ ରହିବେ । ରାଜାଶ୍ରୀ ତାଙ୍କର କେବଳ ସ୍ୱାମୀ ନୁହଁନ୍ତି, ଉତ୍ତମ ବନ୍ଧୁ । ଏମିତି ଠାଣିରେ ନିଜର ପ୍ରିୟ ମିଡ଼ିଆ ସାଥୀଙ୍କ ଆଗରେ ଗପିଛନ୍ତି ବର୍ଷାସୋନୀ ଚୌଧୁରୀ । ପରିତ୍ୟକ୍ତ ସ୍ୱାମୀ ରାଜାଶ୍ରୀଙ୍କ ସହ ପୁର୍ନମିଳନ ଅବସରରେ ବର୍ଷାସୋନୀଙ୍କ ଏହି ମନ୍ତବ୍ୟ ଉପରେ କାହାରି କିଛି କହିବାର ନାହିଁ । ଭଲ କଥା, ଗୋଟିଏ ଉଜୁଡା ସଂସାର ଯୋଡି ହୋଇଯାଇଛି । ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କର କାମନା ଅଛି ।
ସୁପର ଡୁପର ହିଟ୍ ରଘୁନାଥ ମହାନ୍ତିଙ୍କ ପାରିବାରିକ କାହାଣୀ ପ୍ରାୟ ୪ ବର୍ଷ ଧରି ମିଡ଼ିଆରେ ଚର୍ଚ୍ଚା ହେଉଛି । ପୁଅ-ବୋହୁଙ୍କ ପୁର୍ନମିଳନ ପରେ ତାହାର ଯବନିକା ହେଲା ବୋଲି ମନେ କରାଯାଉଥିଲା । ମାତ୍ର ପୁଅର ଏଭଳି ଖୁସି ମୁହୁର୍ତ୍ତରେ ବାପା, ମାଆ, ଭଉଣୀ ଓ ଭିଣୋଇଙ୍କ ଅନୁପସ୍ଥିତି ପୁଣି ଚର୍ଚ୍ଚା ହେଲାଣି ମିଡ଼ିଆରେ । ଅବଶ୍ୟ ସମୁଦାୟ ମାମଲାକୁ ନେଇ ସୋସିଆଲ୍ ମିଡ଼ିଆରେ କଟୁ ମନ୍ତବ୍ୟ ଆସିଛି । ବର୍ଷାସୋନୀ ଚୌଧୁରୀ ଙ୍କ ମାମଲାକୁ ହାଇଭୋଲଟେଜ୍ ଡ୍ରାମା କହି ମିଡ଼ିଆର ଭୂମିକାକୁ ଆକ୍ଷେପ କରାଯାଉଛି । ଏହା ବି ସତ ଯେ ମିଡ଼ିଆ ଏହାକୁ ମାତ୍ରାଧିକ ପ୍ରଚାର କରି ବର୍ଷାସୋନୀଙ୍କୁ ସେଲିବ୍ରିଟ୍ କରିଦେଇଛି । ପ୍ରଭାବଶାଳୀ ଶ୍ୱଶୁର ଘର ଲୋକ ଓ ସ୍ୱାମୀ ଦ୍ୱାରା ନିର୍ଯାତିତା ହୋଇ ଜଣେ ନାରୀ ହାରିଯାଇନି ବରଂ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଛି । ବର୍ଷାସୋନୀଙ୍କୁ ଏହି ସଂଗ୍ରାମର ପ୍ରତୀକ ଦର୍ଶାଇ ଜନମାନସକୁ ବାର୍ତ୍ତା ଦେଇଆସିଛି ମିଡ଼ିଆ । ନାରୀ ନିର୍ଯାତନା ବିରୋଧୀ ସଂଗ୍ରାମରେ ତାଙ୍କୁ କରିଛି ବ୍ରାଣ୍ଡ ଆମ୍ବାସଡ଼ର । କିଛି ନାମକରା ଲୋକ ତାଙ୍କ ନାଁରେ ଟ୍ରଷ୍ଟ ଫ୍ରଷ୍ଟ ବି ଗଢ଼ିଦେଇଛନ୍ତି । ଜନମାନସରେ ବର୍ଷାସୋନୀଙ୍କୁ ଦୁର୍ଗତୀନାଶିନୀ ମା ଦୁର୍ଗା ଭଳି ଚିତ୍ରଣ କରାଯାଇଛି ।
ମାତ୍ର ବର୍ଷାସୋନୀଙ୍କ ସେ ଲଢ଼େଇର ସ୍ୱର ଗଲା କୁଆଡେ ? ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ମିଛ ଥିଲା କି ? ମିଡ଼ିଆ ମାନିଆରେ ପଡ଼ି ଏଭଳି ଅଭିଯୋଗ ଆଣି ନ ଥିଲେ ତ ? ଯେଉଁ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦ କି ନଣନ୍ଦେଇ ତାଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସେମାନଙ୍କୁ ଧରି ସଂସାର କରିବାକୁ ପୁଣି ମନ ବଳାଇଲେ କେମିତି ? ଜନମାନସରେ ଏମିତି ବିଭିନ୍ନ ପ୍ରଶ୍ନ ଏବେ ଉଙ୍କିମାରିଛି । ଯଦିଓ ଜଣଙ୍କର ପ୍ରାଇଭେଟ୍ ଲାଇଫ୍ ଉପରେ ଚର୍ଚ୍ଚା କରିବା ଠିକ୍ ନୁହେଁ, ମାତ୍ର ବର୍ଷାସୋନୀ ସର୍ବସାଧାରଣରେ ନିଜର ବ୍ୟକ୍ତିଗତ ଜୀବନକୁ ବାଣ୍ଟିସାରିଛନ୍ତି । ଆଜି ତାହାକୁ ନିଜେ ଗିଳିଥିବାରୁ ସ୍ୱାଭାବିକ ଭାବେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ସେ ଯାହା ହେଉ, ପୁଅ-ବୋହୁଙ୍କ ପୁର୍ନମିଳନ ଉତ୍ସବରେ ରଘୁ ମହାନ୍ତି ଓ ତାଙ୍କର ପରିବାର ସଦସ୍ୟ କାହାରିକୁ ଦେଖା ନ ମିଳିବା ପଛର ରହସ୍ୟକୁ ନେଇ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ପୁଅ ରାଜାଶ୍ରୀ କିଛି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲା ବେଳେ ବୋହୁ ବର୍ଷାସୋନୀ କଥା ବାଆଁରେଇଛନ୍ତି । ବ୍ୟକ୍ତିଗତ ଅସୁବିଧା କାରଣରୁ ସେମାନେ ଆସିପାରିନାହାନ୍ତି ବୋଲି ସେ ସଫେଇ ଦେଇଛନ୍ତି । ତେବେ ସତରେ ରଘୁ ମହାନ୍ତି ଗଲେ କୁଆଡେ ? ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଖାସ୍ ଲୋକ ଭାବେ ଜଣାଶୁଣା ଏହି ଏକ୍ସ-ପାୱାରଫୁଲ୍ ମନ୍ତ୍ରୀ ଏବେ କେଉଁଠି ? ବୋହୁ ବର୍ଷାସୋନୀଙ୍କ ଅଭିଯୋଗ ତାଙ୍କର ସର୍ବସ୍ୱ ନେଇଯାଇଛି । ଖାଲି ମନ୍ତ୍ରୀପଦ ନୁହେଁ, ଉଭୟ ପାରିବାରିକ ଓ ରାଜନୈତିକ ଜୀବନକୁ ଛାରଖାର କରିଦେଇଛି । ମାତ୍ର ସମୟର ଏହି କ୍ରୁରଚକ୍ରକୁ ଭୁଲି ରଘୁ ମହାନ୍ତି ବୋହୁ ବର୍ଷାସୋନୀକୁ ଆପଣେଇନେଇଥିଲେ ଭଲ କଥା । ହେଲେ ପୁର୍ନମିଳନ ଉତ୍ସବରେ ତାଙ୍କ ଓ ପରିବାରର ଅନୁପସ୍ଥିତି ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।
ଅନ୍ୟପକ୍ଷରେ ବର୍ଷାସୋନୀଙ୍କ ଘରବାହୁଡା ପଛରେ ରାଜନୀତିର ଗନ୍ଧ ଦେଖିଛନ୍ତି ସମାଲୋଚକ । ନବୀନଙ୍କ ପୁଣି ନିକଟତର ହୋଇ ରଘୁ ମହାନ୍ତି ରାଜ୍ୟସଭାକୁ ଯିବା ପାଇଁ ଏହି ହାଇଡ୍ରାମା ରଚାଯାଇଛି ବୋଲି ସେମାନେ କହୁଛନ୍ତି । ଏହା ସତ ହୋଇଥିଲେ ନିଶ୍ଚିତ ସାଂଘାତିକ । ତେବେ ଏହା ଉପରେ ଅଧିକ ଚର୍ଚ୍ଚା କରି ପୁଣି ବିବାଦ ଠିଆ କରିବା ଠିକ୍ ନୁହେଁ । ରାଜାଶ୍ରୀ-ବର୍ଷାସୋନୀ ସୁଖରେ ରହନ୍ତୁ ଏବଂ ରଘୁ ମହାନ୍ତି ତାଙ୍କର ସାମାଜିକ ସମ୍ମାନ ଫେରିପାଆନ୍ତୁ ।