ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ । ତାଙ୍କ ପ୍ରତି ଖାଲି ଅନ୍ଧ ଭଲ ପାଇବା ନୁହେଁ, ବରଂ ଭଗବାନଙ୍କର ଏକ ଅବତାର ବୋଲି ଖଟିଖିଆ ମଳିମୁଣ୍ଡିଆ ଗାଁ ଲୋକଙ୍କର ବିଶ୍ୱାସ । ଖାସ୍ ସେଥିପାଇଁ ନବୀନ ପଟ୍ଟନାୟକଙ୍କ ନାଁ ଧରିଲେ ସେମାନଙ୍କ ହୃଦୟରୁ ବାହାରି ଆସେ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ । ଲୋକଙ୍କ ଏହି ନିବିଡ଼ ଭଲ ପାଇବା ହିଁ ନବୀନଙ୍କ ଦେଢ଼ ଦଶନ୍ଧି ରାଜତ୍ୱର ଆଧାର । ମାତ୍ର ପ୍ରତି ବଦଳରେ ନବୀନ ପଟ୍ଟନାୟକଙ୍କର ସେତିକି କଦର୍ ଅଛି ତ? ରାଜ୍ୟର କିଛି କ୍ରମାଗତ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାକୁ ଦେଖିଲେ ଏହି ପ୍ରଶ୍ନ ଜଣେ ସମ୍ବେଦନଶୀଳ ମଣିଷକୁ ନିହାତି ବ୍ୟଥିତ କରୁଥିବ ।
ନଗଦ ଜଟଣୀ ଘଟଣା ଦେଖାଯାଉ । ନିଦରେ ଶୋଇଥିବା ନିଷ୍ଫାପ ୯ ବର୍ଷର ଛୁଆକୁ ବାପା ମାଆ କୋଳରୁ ଉଠାଇ ରାତିସାରା ଧର୍ଷଣ କଲା ନରପିଶାଚୀ ଯୁବକ ଅହିରାଜ । ଶିଶୁଟିକୁ ତଣ୍ଟି ଚିପି ମାରିବାକୁ ବି ଉଦ୍ୟମ କରିଥିଲା । କ୍ଷତ ବିକ୍ଷତ ଶିଶୁଟି ଦେହ ଓ ମନର ଯନ୍ତ୍ରଣାରେ ଛଟପଟ ହୋଇ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସାରା ରାଜ୍ୟରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା ପରେ ପ୍ରଥମେ ତାହାର ମାଗଣା ଚିକିତ୍ସା ଓ ପରେ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାସ୍ ସେତିକିରେ ତାଙ୍କର ଦାୟିତ୍ୱ ସରିଯାଇଛି । ଶିଶୁଟିର ଦୁଷ୍କର୍ମ ପୀଡ଼ା ମୂଲ୍ୟ ୨ ଲକ୍ଷ ଟଙ୍କାରେ ତଉଲି ମୁଖ୍ୟମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ସାରିଦେଇଛନ୍ତି । ଚାହିଁନାହାନ୍ତି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶିଶୁଟି ପାଖରେ ପହଞ୍ଚି ଆହା ଟିକେ କରିବାକୁ । କ୍ୟାପିଟାଲ୍ ହସ୍ପିଟାଲ୍ ରେ ଶିଶୁଟି ଚିକିତ୍ସିତ ହେଉଛି । ସେଠାରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଦଚଲା ରାସ୍ତା । ମୁଖ୍ୟମନ୍ତ୍ରୀ ପ୍ରତିଦିନ ଅନ୍ୟୁନ ଦୁଇ ଥର କ୍ୟାପିଟାଲ୍ ହସ୍ପିଟାଲ୍ ରାସ୍ତା ଦେଇ ସଚିବାଳୟ ଯିବା ଆସିବା କରୁଛନ୍ତି । ଦରଦ ଥିଲେ କେଇ ମିନିଟ୍ ପାଇଁ ସେଠାରେ ଅଟକି ଛୁଆଟିକୁ ଦେଖିଯାଇପାରନ୍ତେ । ହୁଏତ ତାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଦେଖି ଛୁଆଟି ନିଜର ଯନ୍ତ୍ରଣା ଭୁଲିଯାଆନ୍ତା । ତାର ପରିବାର ମନରେ ଦମ୍ଭ ଆସିଯାଆନ୍ତା ପରିସ୍ଥିତିର ମୁକାବିଲା ପାଇଁ । ମାତ୍ର ସେମାନଙ୍କ ଭଗବାନ ଅବତାର ରୂପୀ ନବୀନଙ୍କର ସେଥିପ୍ରତି ପରବାଏ ନାହିଁ କି ମନ ଓ ହୃଦୟର ଡାକରା ନାହିଁ । ହୃଦୟ ଓ ଦରଦ କଥା ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବି ଆଖି ବୁଜିଦେଇଛନ୍ତି ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ଯେ ବ୍ୟତିକ୍ରମ ତାହା ନୁହେଁ । ନବୀନ ଜଣେ ଦରଦୀହୀନ ମଣିଷ ବୋଲି ସବୁ କଥାରେ ପ୍ରମାଣ ରଖିଦେଇଛନ୍ତି । କଟକ ଶିଶୁ ଭବନରେ ୬୦ ରୁ ଅଧିକ ଶିଶୁ ମଲେ । ସାରା ଦେଶ କମ୍ପିଲା । ଦିଲ୍ଲୀରୁ ରାହୁଲ ଗାନ୍ଧୀ କଟକ ଶିଶୁଭବନକୁ ପଳାଇ ଆସିଲେ । ହେଲେ ୨୫ କିଲୋମିଟର ଦୂରରେ ଥିବା ନବୀନ ଦିନେ ବି କଟକ ଯିବାକୁ ଉଚିତ୍ ମଣିଲେ ନାହିଁ । ଶିଶୁହରା ବାପାମାଆ ପାଖରେ ଛିଡ଼ା ହୋଇ ଶାନ୍ତ୍ୱନା ଦେବାକୁ ମନ ତାଙ୍କର ଡାକିଲାନି । ବୁଝିପାରିଲେନି ଶିଶୁଭବନରେ ତାଙ୍କର ପାଦସ୍ପର୍ଶ, ନିଜ ଛୁଆର ଜୀବନ ପାଇଁ ସଂଗ୍ରାମ କରୁଥିବା ଶହ ଶହ ଦୁଃଖୀ ଲୋକଙ୍କ ମନରେ କେତେ ଶକ୍ତି ଓ ସାହସ ଭରିଥାଆନ୍ତା ।
ସେମିତି ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ବେଦନଶୀଳତା ଆଜି ବି ବିବେକବାନ ମଣିଷ ମନକୁ ଆନ୍ଦୋଳିତ କରୁଛି । ଯେ କୌଣସି କାରଣରୁ ହେଉ ନା କାହିଁକି ଲାଗ ଲାଗ ଦେଢ଼ଶହରୁ ଅଧିକ ଚାଷୀ ଆତ୍ମହତ୍ୟା କଲେ । ସାରା ରାଜ୍ୟ ଏହି ଖବରରେ ପଡ଼ିଲା,ଉଠିଲା । ରାଜନୈତିକ ହଲଚଲ ସୃଷ୍ଟି କଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ମନ ଚହଲିଲା ନାହିଁ । ସଚିବାଳୟରେ ବସି ଚାଷୀଙ୍କୁ ପ୍ୟାକେଜ୍ ଲୋଭ ଦେଖାଇଲେ ପଛେ ଆତ୍ମହତ୍ୟା କରିଥିବା ଜଣେ ଦୁଇଜଣ ଚାଷୀ ପରିବାର ପାଖକୁ ଯିବାକୁ ମନ ବଳେଇଲେ ନାହିଁ । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଜଣେ ବି ଚାଷୀ ପରିବାର ପାଖରେ ଛିଡ଼ା ହୋଇ ଘଟଣା ସମ୍ପର୍କରେ ବୁଝିପାରିଥାଆନ୍ତେ । ସୋହେଲାରେ ଚାଷୀ ସମାବେଶ କଲେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ତାଙ୍କ ନେତାମାନେ ଭୁବନେଶ୍ୱରରେ ତୁମ୍ବିତୋଫାନ କଲେ । ଅଥଚ ଜଣେ ବି ଚାଷ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କଲେ ନାହିଁ । ହେଲିକ୍ପଟରରେ ଗଲେ । ତାଙ୍କ ଅଫିସରମାନେ ଇଂରାଜୀ ଶବ୍ଦରେ ଓଡ଼ିଆ ବାକ୍ୟ ଲେଖିଥିବା ତିନି ଫାଳ କାଗଜକୁ ଥଙ୍ଗେଇ ଥଙ୍ଗେଇ ପଡ଼ିଲେ । ଯେଉଁଥିରେ ଥିଲା ପଶ୍ଚିମ ଓଡ଼ିଶା ଚାଷୀଙ୍କ ପାଇଁ ଲୋଭନୀୟ ପ୍ୟାକେଜ୍ । ହୁଏତ ମୁଖ୍ୟମନ୍ତ୍ରୀ ତାହାକୁ ନିଜେ ବୁଝିଥିଲେ କି ନାହିଁ ସନ୍ଦେହ । ସେଠାରେ କାଗଜ ପଢ଼ା ସରିଲା ମାତ୍ରେ ମୁଖ୍ୟମନ୍ତ୍ରୀ ହେଲିକପଟର୍ ଧରି ଭୁବନେଶ୍ୱର ଫେରି ଆସିଲେ । ତାଙ୍କ ନେତାମାନେ ଭାଷଣ ଦେଲେ ମୁଖ୍ୟମନ୍ତ୍ରୀ ଚାଷୀ ସମସ୍ୟା ବୁଝିବାକୁ ଆସିଥିଲେ ଓ ବୁଝି ପ୍ୟାକେଜ୍ ଘୋଷଣା କଲେ ।
ରାଜନୀତିରେ ଏଭଳି ହିପୋକ୍ରାସୀ ନୂଆ ନ ହେଲେ ବି ଲୋକଙ୍କ ଏତେ ଭଲ ପାଇବା ଉପରେ ରାଜ୍ କରୁଥିବା ନବୀନ ପଟ୍ଟନାୟକଙ୍କଠାରୁ ଅନ୍ତତଃ ସେୟା ଆଶା କରିବା କଥା ନୁହେଁ । ଦୁଃଖୀ ଦରଦୀ ମଣିଷ ପାଖରେ ଛିଡ଼ା ହୋଇଗଲେ ତାଙ୍କର ବ୍ୟକ୍ତିତ୍ୱ ଓ ଲୋକପ୍ରିୟତା ଖସିଯାଆନ୍ତା ନାହିଁ । ବରଂ ଇତିହାସରେ ତାଙ୍କର ବ୍ୟକ୍ତିତ୍ୱ ଆହୁରି ଜାଜୁଲ୍ୟମାନ ହୁଅନ୍ତା । ବାପା ବିଜୁ ପଟ୍ଟନାୟକଙ୍କର କାଣିଚାଏ ଗୁଣ ଓ ଦରଦୀ ମଣିଷ ପାଖରେ ଛିଡ଼ା ହେବାର ସାହାସ ଓ ଆନ୍ତରିକତା ପୁଅ ନବୀନ ପଟ୍ଟନାୟକଙ୍କ ପାଖରେ ଯେ ନାହିଁ ତାହା ଓଡ଼ିଶାବାସୀ ଜାଣିସାରିଲେଣି । ତେବେ ପରିସ୍ଥିତି ମଣିଷକୁ ପରିବର୍ତ୍ତନ କରିଦିଏ ସତ ହେଲେ ନବୀନଙ୍କ ପରିବର୍ତ୍ତନ ପାଇଁ ପରିସ୍ଥିତି ତାଙ୍କୁ ସେଭଳି ଅବସ୍ଥାକୁ ନେଇନି । ଲୋକଙ୍କ ଭଲ ପାଇବା ତାଙ୍କ ପ୍ରତି ଅତୁଟ ରହିଛି । ଲୋକଙ୍କ ଏହି ଦୁର୍ବଳତା ହିଁ ନବୀନଙ୍କ ଅମଣିଷ ପଣିଆକୁ ଅତୁଟ କରିଚାଲିଛି ।