ଭୁୁବନେଶ୍ୱର: ଗତ କେତେ ମାସ ଧରି ହେଲିକପ୍ଟରର ମଜା ନେଉଥିବା ନବୀନ ନନ୍ଦ ଆଜି ବୈଜୟନ୍ତଙ୍କୁ ସମର୍ଥନ ଜଣାଇ ତୃତୀୟ ମହଲା ବିରୋଧରେ ତାଙ୍କ ଟିଭିରେ ବାହାରିଛନ୍ତି । ଦଳ ଠିକ୍ ଭାବେ ଚାଲୁନି ଏବଂ ମୁଖ୍ୟମନ୍ତ୍ରୀ ଅନ୍ଧାରରେ ରହୁଛନ୍ତି । ପାଣ୍ଡିୟାନ୍ ଙ୍କ ପରାମର୍ଶ ଦଳକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି । ବିଜେପିରୁ ଉଧାରି ବୈଜୟନ୍ତଙ୍କ ତୃତୀୟ ମହଲା ଡାଇଲଗ୍ କୁ ପ୍ରମ୍ପଟିଂ କରି ନବୀନ ନନ୍ଦ ତୃତୀୟ ବ୍ୟକ୍ତିଭାବେ ମୁଣ୍ଡଗଣତି ହୋଇଛନ୍ତି । ରମାରଂଜନ ବଳିୟାର ସିଂ, ବୈଷ୍ଣବ ପରିଡ଼ାଙ୍କ ପରେ ନବୀନ ନନ୍ଦ ।
ଗତ ମେ ମାସରେ ସୁଧୀର ସାମଲ ବିଜେଡ଼ି ମିଶିବା ପରଠାରୁ ନବୀନ ନନ୍ଦ ପରୋକ୍ଷରେ ବିଦ୍ରୋହ ଆରମ୍ଭ କରିଥିଲେ । ବିଜେଡ଼ି ନେତୃତ୍ୱକୁ ଡରେଇବା ପାଇଁ ସେବେଠାରୁ ଭିତିରିଆ ଗୋଟେ ଗୋଡ଼ ବିଜେପିରେ ତ ଖୋଲାଖୋଲି ଆଉ ଗୋଟେ ଗୋଡ଼ ବୈଜୟନ୍ତଙ୍କ ପାଖରେ ରଖିଛନ୍ତି । ନିକଟରେ ବୈଜୟନ୍ତଙ୍କ ଲାଗ ଲାଗ ଢ଼େଙ୍କାନାଳ ଗସ୍ତ ପଛର ମୁଖ୍ୟ ପୁରୋଧା ଥିଲେ ନବୀନ ନନ୍ଦ । ତାଙ୍କ ସାଙ୍ଗରେ ହେଲିକପ୍ଟରରେ ବସି ଉଡୁଥିଲେ । ଆଉ ବୈଜୟନ୍ତ ଖୋଲାଖୋଲି ତୃତୀୟ ମହଲା ବିରୋଧରେ ନଗଦ ବିଦ୍ରୋହ ଘୋଷଣା କରିଥିବାରୁ ନବୀନ ତାଙ୍କ ଋଣ ସୁଝିଛନ୍ତି । ବିଜେଡ଼ିରେ ନିଜର ଭବିଷ୍ୟତ ଅନ୍ଧାର ଜାଣି ସେ ବିଜେପି ଭାୟା ବୈଜୟନ୍ତଙ୍କ କାନ୍ଧରେ ନାଉ ହୋଇଯାଇଛନ୍ତି । ତାଙ୍କୁ ଖୁସି କରାଇଛନ୍ତି । ଅବଶ୍ୟ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନବୀନ ନନ୍ଦଙ୍କୁ ପର କହି ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ନବୀନ ନନ୍ଦ କେବେଠାରୁ ବିଜେଡ଼ି ଛାଡ଼ିସାରିଲେଣି ବୋଲି ସେ ଆକ୍ଷେପ କରିଛନ୍ତି ।
ସେ ଯାହା ବି ହେଉ, ନବୀନ ନନ୍ଦଙ୍କ ସହଯୋଗ ପାଇ ବୈଜୟନ୍ତ ଖୁସ୍ । ବିଜେଡ଼ିରେ ଅସନ୍ତୁଷ୍ଟ ରହି ଦଳୀୟ ସ୍ରୋତରେ ସାମିଲ ନ ଥିବା ଏମିତି କିଛି ନେତାଙ୍କ ମୁହଁରେ ସେ ତୃତୀୟ ମହଲା ବିରୋଧରେ କୁହାଇବାକୁ କୁଆଡ଼େ ଷ୍ଟ୍ରାଟେଜି ନେଇଛନ୍ତି । ନିଜ ଟିଭିରେ ଏମିତି ହାୱା କରିବେ ଯେମିତି ବିଜେଡ଼ି ଦୋହଲିଯିବ । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିଧାସଳଖ ବିଦ୍ରୋହ କରିବାକୁ ତାଙ୍କର ସାହାସ ଜୁଟିନି । ସବୁକଥାରେ ପାଣ୍ଡିୟାନ୍ ଙ୍କୁ ଅଲବତ୍ ଭିଡ଼ାଯିବ ବୋଲି ବୈଜୟନ୍ତଙ୍କର ଜଣେ ବଡ଼ ସହଯୋଗୀ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବୈଜୟନ୍ତଙ୍କ କାନ୍ଧରେ ଓହଳିଥିବା ନବୀନ ନନ୍ଦ ୨୦୦୦ ମସିହାରେ ବିଜେଡ଼ି ଟିକେଟରେ ପ୍ରଥମଥର ପାଇଁ ଗଁଦିଆରୁ ନିର୍ବାଚନ ଜିତିଥିଲେ । ୨୦୦୪ରେ ବିଜେଡ଼ି ତାଙ୍କୁ ପୁନର୍ବାର ଟିକେଟ ନ ଦେବାରୁ ସେ ସମାଜବାଦୀ ପାର୍ଟିରେ ମିଶି ନିର୍ବାଚନ ଲଢ଼ିଥିଲେ ଏବଂ ହାରିଥିଲେ । ୨୦୦୯ ମସିହାରେ ବିଜେଡ଼ି ସମର୍ଥିତ ଏନସିପିରୁ ସେ ପ୍ରାର୍ଥୀ ହୋଇ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ମାତ୍ର ୨୦୧୪ ରେ ବିଜେଡ଼ି ତାଙ୍କୁ ଟିକେଟ ଦେଲାନାହିଁ । ଟିକେଟ ତ ପାଇଲେନି, କିଛି ନିଗମରେ ଥଇଥାନ ଆଶା ରଖିଥିଲେ ମଧ୍ୟ ତାହା ନ ହେବାରୁ ତାଙ୍କର ପ୍ରଚଣ୍ଡ ରାଗ ବଢ଼ିଥିଲା । ସେଇ ରାଗର ନିଆଁରେ ଘିଅ ଢ଼ାଳିଦେଲା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ବିଜେଡ଼ିରେ ଯୋଗଦାନ । ଏଣିକି ଆଉ ନୁହେଁ ଭାବି ସେ ବିଦ୍ରୋହୀ ହୋଇଯାଇଥିଲେ । ମେ ମାସରେ ସେ ଖୋଲାଖୋଲି ମୁଖ୍ୟମନ୍ତ୍ରୀଙ୍କୁ ଚାଲେଂଜ କରି ମନ୍ତବ୍ୟ ଦେଇଥିଲେ । ୨୦୧୯ ମସିହାରେ ଅଲବତ୍ ନିର୍ବାଚନ ଲଢ଼ିବି ବୋଲି ଘୋଷଣା କରିଥିଲେ ମଧ୍ୟ କେଉଁ ଚିହ୍ନରେ ଲଢ଼ିବେ କହି ନ ଥିଲେ ।