ଭୁୁବନେଶ୍ୱର: କ’ଣ କରିବେ ନ କରିବେ ଦ୍ୱନ୍ଦରେ ଥିଲେ । ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କଲେ । ଆଉ ଶେଷ ମୁହୁର୍ତ୍ତରେ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ରାଜନୈତିକ ପଣ୍ଡିତମାନଙ୍କ ମଧ୍ୟରୁ କିଏ କହୁଛନ୍ତି ନବୀନଙ୍କ ଏଭଳି ପଦକ୍ଷେପ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ଥିଓରିକୁ ପରିପୃଷ୍ଠ କରିଛି । ଆଉ କିଏ କହୁଛନ୍ତି, ନବୀନ ଏବେ ଦୁଇ ନାଆରେ ଗୋଡ଼ ଦେଇଛନ୍ତି । ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ନବୀନ ବିଜେପି ଆକ୍ରୋଶରେ ପଡ଼ିବା ଥୟ ବୋଲି କିଛି ଆଶଙ୍କା କରୁଛନ୍ତି । ଅର୍ଥାତ ସିବିଆଇକୁ ମୋଦି ସରକାର ଚିଟଫଣ୍ଡ ଅସ୍ତ୍ରଭାବେ ବ୍ୟବହାର କରି ବିଜେଡ଼ି ନେତାଙ୍କୁ ବାନ୍ଧି ପକାଇବେ ବୋଲି ସେମାନେ ଅନୁମାନ କରୁଛନ୍ତି ।
ବାସ୍ତବରେ ୟୁପିଏ ନେତୃତ୍ୱାଧୀନ ୧୮ ଟି ମିିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଘୋଷଣା ନବୀନଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି ବିଚାର କରାଯାଉଛି । ଏହା ନିଶ୍ଚିତ ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଆଖିବୁଜା ସମର୍ଥନ ଦେଇଥିବା ନବୀନ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗାନ୍ଧୀଙ୍କୁ ଭାବିଚିନ୍ତି ସମର୍ଥନ ଦେଇଛନ୍ତି । ଗାନ୍ଧୀ ତାଙ୍କର ପୁରୁଣା ବନ୍ଧୁ । ସମ୍ପର୍କ ଓ ବ୍ୟକ୍ତିତ୍ୱର ମାପକାଠିରେ ନବୀନ ତାଙ୍କୁ ସମର୍ଥନ ଦେବାରେ ଆଶ୍ଚର୍ଯ୍ୟ ହେବାର ନାହିଁ । ମାତ୍ର ନିଷ୍ପତ୍ତି ଘୋଷଣା କରିବାରେ ବିଳମ୍ବ ନବୀନଙ୍କ ରାଜନୈତିକ ଫନ୍ଦି ଫିକରକୁ ପଦାରେ ପକାଇଛି । ଏନଡିଏ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ନିଷ୍ପତ୍ତିର ରାଜ୍ୟନୈତିକ ମୂଲ୍ୟାଙ୍କନ କରିଛନ୍ତି । ଗାନ୍ଧୀଙ୍କ ଭଳି ଭେଙ୍କିଆ ନାଇଡୁ ବି ନବୀନଙ୍କର ଜଣେ ଉତ୍ତମ ବନ୍ଧୁ । ଭେଙ୍କେୟାଙ୍କ ନାଁ ଘୋଷଣା ପରେ ଅନେକ ଭାବୁଥିଲେ ଏନଡ଼ିଏ ଲାଇନ୍ ରେ ଥିବା ନବୀନ ତାଙ୍କୁ ସମର୍ଥନ ଦେବେ । ମାତ୍ର ପ୍ରବଳ ଦ୍ୱନ୍ଦ ସତ୍ତ୍ୱେ ନବୀନ ସେ ଭୁଲ୍ କରିନାହାନ୍ତି । ଭେଙ୍କେୟାଙ୍କୁ ସମର୍ଥନ ଦେଇଥିଲେ ତାହା ବିଜେଡ଼ିର ବିଜେପି ଚୋରା ପୀରତିକୁ ପଦାରେ ପକାଇ ଦେଇଥାଆନ୍ତା । ମୋଦିଙ୍କ ଅଦୃଶ୍ୟ ସିବିଆଇ ଚାପ ଓ ଡର ସତ୍ତ୍ୱେ ସେ ବିଜେଡ଼ିର ସମ୍ମାନକୁ ରକ୍ଷା କରିବାରେ ସମର୍ଥ ହୋଇଥିବା କୁହାଯାଉଛି ।
ସେପଟେ ଗାନ୍ଧୀଙ୍କୁ ସମର୍ଥନ ଦେଇ ନବୀନ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି କି ବିଜେପି ସହିତ ତାଙ୍କର ଗୋପନ ଗଠବନ୍ଧନ ନାହିଁ । ବିଜେପି ଓ କଂଗ୍ରେସଠାରୁ ତାଙ୍କ ଦଳ ସମଦୂରତାରେ ଅଛି । ରାଜନୈତିକ ଗଣିତର ଜଟିଳ ପାଠକୁ ନବୀନ ଜନସାଧାରଣଙ୍କ ପାଖରେ ସୁନ୍ଦର ଭାବେ ଉପସ୍ଥାପିତ କରିବାରେ ସମର୍ଥ ହୋଇଛନ୍ତି । ଏହାଦ୍ୱାରା ନବୀନଙ୍କ ଭାବମୂର୍ତ୍ତି ଜନମାନସରେ ଆହୁରି ଆଦୃତ ହୋଇଛି । ଗୋଟେ ଗୁଳିରେ ଦୁଇଟି ଶିକାର କଲା ଭଳି ଗୋପାଳକୃଷ୍ଣ ଗାନ୍ଧୀଙ୍କ ଭଳି ବନ୍ଧୁଙ୍କୁ ସେ ନିରାଶ କରିନାହାନ୍ତି ଏବଂ ବିଜେପିର ବୋଲକରା ଡାକରୁ ମୁକ୍ତ ହୋଇଛନ୍ତି ।