ଭୁୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛନ୍ତି କରୋନା ଆକ୍ରାନ୍ତ । ଗତକାଲି ୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂଖ୍ୟା ଶହେ ଟପିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୨ ଆକ୍ରାନ୍ତ । ଅନ୍ୟପକ୍ଷରେ କଟକ ଜିଲ୍ଲାର ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କର ପ୍ରାଣ ନେଇଛି କରୋନା । ଦିନକ ପୂର୍ବରୁ କରୋନା ଶୂନ୍ୟ ଘୋଷିତ ଭୁବନେଶ୍ୱରରୁ ଆଜି ୨ ପଜିଟିଭ୍ ବାହାରିଛନ୍ତି ।
ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ୨୭୭ ଜଣ ସୁସ୍ଥ ହୋଇଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୭୭ ।
ଆକ୍ରାନ୍ତ ତାଲିକାରେ ଗଞ୍ଜାମ ଆଜି ବି ଶୀର୍ଷରେ ଥିଲେ ମଧ୍ୟ ସଂଖ୍ୟା ଆଉ ସେଭଳି ବଢ଼ୁନାହିଁ । ଆଜିର ନୂଆ ପଜିଟିଭ୍ ଙ୍କ ମଧ୍ୟରେ ଗଞ୍ଜାମରୁ କେହି ନାହାନ୍ତି । ଆଜି ସକାଳେ ଆସିଥିବା ୧୦୨ ପଜିଟିଭ୍ ତାଲିକାରେ ଯାଜପୁରରୁ ୩୧, ଜଗତସିଂହପୁର ୨୩, ଭଦ୍ରକ ୨୧, କେନ୍ଦ୍ରାପଡ଼ା ୮, କଟକ ୪, ଖୋର୍ଦ୍ଧା ୪, ପୁରୀ ୪, ଅନୁଗୁଳ ୨, ବାଲେଶ୍ୱର ୨, ସମ୍ବଲପୁର ୨ ଓ ନୟାଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି ।
୧୦୨ ଚିହ୍ନଟଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆ ଏବଂ ୫ ଜଣ ସ୍ଥାନୀୟ ଲୋକ ।