ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଜାରି ରହିଛି । ଆଜି ସବୁ ରେକର୍ଡକୁ ଭାଙ୍ଗିଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୪୯, ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ଏବଂ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧ କୁ ବୃଦ୍ଧି ପାଇଛି ।
ରାଜ୍ୟରେ ୨୮ ଜିଲ୍ଲାରୁ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧,୫୯୪ ଆକ୍ରାନ୍ତ । ୧୧, ୬୪୭ ସାମ୍ପଲ୍ ଟେଷ୍ଟ୍ ରୁ ଏମାନଙ୍କର ପଜିଟିଭ୍ ବାହାରିଛି । ସେମାନଙ୍କ ମଧ୍ୟରୁ ୫୨୭ ସ୍ଥାନୀୟ ସଂକ୍ରମଣ(ଲୋକାଲ୍ କଣ୍ଟାକ୍ଟ)ର ଶିକାର ହୋଇଛନ୍ତି । ହଟସ୍ପଟ୍ ଗଞ୍ଜାମ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ନୂଆ ୩୨୦ ଆକ୍ରାନ୍ତ । କଟକ ଜିଲ୍ଲାର ସ୍ଥିତି ବି ଜଟିଳ ହୋଇଛି । ସେଠାରୁ ୧୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩କୁ ବୃଦ୍ଧି ପାଇଛି । ୧୪ ହଜାର ୩୯୩ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮ ହଜାର ୧୪୭ । କେବଳ ଗଞ୍ଜାମ ଜିଲ୍ଲାରୁ ୭,୬୩୪ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨,୬୭୬ ଆକ୍ରାନ୍ତ ହେଲେଣି ।
ସେହିଭଳି ରାଜ୍ୟରେ ଆଉ ୬ ଜଣଙ୍କର ମୁଣ୍ଡ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ ଭଦ୍ରକ, ଗଜପତି, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ଅନ୍ୟ ଦୁଇଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ୬ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨୦ ରେ ପହଞ୍ଚିଛି । କେବଳ ଗଞ୍ଜାମ ଜିଲ୍ଲାରୁ ମରିଛନ୍ତି ୭୦ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୦, ବାଲେଶ୍ୱର-୨୨, ବରଗଡ଼-୮, ଭଦ୍ରକ-୬୦, ବଲାଙ୍ଗୀର-୬,ବୌଦ୍ଧ-୪୧, କଟକ-୧୩୬, ଢ଼େଙ୍କାନାଳ-୨, ଗଜପତି-୩, ଗଞ୍ଜାମ-୭୩୨, ଜଗତସିଂହପୁର-୩, ଯାଜପୁର-୫, ଝାରସୁଗୁଡ଼ା-୮, କଳାହାଣ୍ଡି-୧, କନ୍ଧମାଳ-୧୭, କେନ୍ଦ୍ରାପଡ଼ା-୯, କେନ୍ଦୁଝର-୨୦, ଖୋର୍ଦ୍ଧା-୩୨୦, କୋରାପୁଟ-୩୩, ମାଲକାନଗିରି-୯, ମୟୁରଭଞ୍ଜ-୩୨, ନବରଙ୍ଗପୁର-୩, ନୟାଗଡ଼-୧୦, ନୂଆପଡ଼ା-୧, ପୁରୀ-୩୦, ସମ୍ବଲପୁର-୧୩, ସୋନପୁର-୪, ସୁନ୍ଦରଗଡ଼-୫୬ ।