ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବୁଧବାର ଦିନ ରାଜ୍ୟରେ ନୂଆ ସରକାର ଗଠନ ହେବ । ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଦିନ ୧୧ଟାରେ ରାଜଭବନରେ ଏକ ନିରାଡ଼ମ୍ବର ଉତ୍ସବରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଉଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ଆସନ୍ତା ୨୬ ତାରିଖ ରବିବାର ଦିନ ବିଜେଡ଼ିର ନବ ନିର୍ବାଚିତ ବିଧାୟକମାନେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ମିଳିତ ହେବେ । ଔପଚାରିକତା ପୂରଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ନେତା ଭାବେ ନିର୍ବାଚିତ କରିବେ । ସେଦିନ ସକାଳେ ଦଳର ସାଂସଦମାନେ ନବୀନ ନିବାସ ଆସି ସୁପ୍ରିମୋଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପାଖକୁ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ପରବର୍ତ୍ତୀ ସରକାର ଆସିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଦାୟିତ୍ୱରେ ରହିବାରୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।