– ଗୋଷ୍ଠୀ ସଂକ୍ରମଣ ରୋକିବାକୁ କଠୋର ପଦକ୍ଷେପ
– କେହି ବି ଘରୁ ବାହାରିପାରିବେନି, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବନ୍ଦ
ଭୁବନେଶ୍ୱର: ସମ୍ଭାବ୍ୟ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ସଟ୍ ଡାଉନ୍ କୁ କର୍ଫ୍ୟୁ ଭାବେ ବିଚାର କରିବାକୁ କୁହାଯାଇଛି । ଶୁକ୍ରବାର ସଂଧ୍ୟା ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।
ଦୁଇ ସହରରେ କୌଣସି ବି ବ୍ୟକ୍ତି ଘରୁ ବାହାରି ପାରିବେ ନାହିଁ । ଯିଏ ବାହାରିବେ ପୁଲିସ ତାଙ୍କୁ ଜବରଦସ୍ତ ଉଠାଇ ନେଇ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରଖାଯିବ । ଦଣ୍ଡସ୍ୱରୂପ ମାମଲା ରୁଜୁ ହେବ, ଫାଇନ୍ ବି ପଡ଼ିବ । ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା କୌଣସି ଦୋକାନ ଖୋଲାରହିବ ନାହିଁ କିଛି ବିକ୍ରିବଟା ହୋଇପାରିବ ନାହିଁ । ଏପରିକି ଔଷଧ ଦୋକାନ ଖୋଲିବା ଉପରେ କଟକଣା ଜାରି ହୋଇଛି । କେଉଁ ଔଷଧ ଦୋକାନ ଖୋଲା ରହିବ ତାହା ପ୍ରଶାସନ ନିଷ୍ପତ୍ତି ନେବ । ଲକ୍ ଡାଉନ୍ ବେଳେ ବାହାରକୁ ଯିବାକୁ ଯେଉଁମାନେ ପାସ୍ ପାଇଛନ୍ତି ସେହି ପାସ୍ କୁ ୪୮ ଘଣ୍ଟା ପାଇଁ ଅକାମୀ କରାଯାଇଛି ।
ମୋଟାମୋଟି ଦେଖିଲେ, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ଭଦ୍ରକ ଓ ଭୁବନେଶ୍ୱର ସୂର୍ଯ୍ୟନଗରର ଆକ୍ରାନ୍ତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦେଖିଲା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବିଶେଷ କରି ସୂର୍ଯ୍ୟନଗର କେସ୍ ଟି ଅଧିକ ଚିନ୍ତା ବଢ଼ାଇଛି । ଆଜି ସଟ୍ ଡାଉନ୍ ଘୋଷଣା କରି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହା ସ୍ୱୀକାର କରିଛନ୍ତି । ଏବେ ମଣିଷ ଜୀବନ ବଞ୍ଚାଇବାର ବେଳ । କୌଣସି ବଡ଼ ବିପଦକୁ ଟାଳିବା ପାଇଁ ରାଜ୍ୟ ସରକାର କଠୋର ହେବାକୁ ବାଧ୍ୟ ହୋଇଛନ୍ତି ଏବଂ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ତେବେ କେହି ଛାନିଆଁ ନ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ପୁଲିସ ଡିଜି ଶ୍ରୀ ଅଭୟ ଏହି ସଟ୍ ଡାଉନ୍ କୁ ଏକପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି । କର୍ଫ୍ୟୁ ନିୟମ ଯାହା ସଟ୍ ଡାଉନ୍ ସେୟା ବୋଲି ଧରିନେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୌଣସି ପରିସ୍ଥିତିରେ ଭୁବନେଶ୍ୱର ଓ ଭଦ୍ରକ ସହରବାସୀ ଘରୁ ବାହାରି ପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ସହରରେ ଆମ୍ବୁଲାନସ୍ ବୁଲିବ ଏବଂ ମେଡ଼ିକାଲ୍ କେସ୍ ପାଇଁ ଲୋକେ ଆତଙ୍କିତ
ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ୪୮ ଘଣ୍ଟା ସମ୍ପୂର୍ଣ୍ଣ ଭାବେ ଘରେ ରହିବାକୁ ଲୋକମାନେ ବାଧ୍ୟ ବୋଲି ସେ ଜଣାଇ ଦେଇଛନ୍ତି ।
Continue Reading