ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ମାସ ପାଇଁ ବଢ଼ାଇ ଦିଆଯାଇଛି । ଆସନ୍ତା ନଭେମ୍ବର ଯାଏ ଦେଶର ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ । ଏଥିରେ ପରିବାରର ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ କିମ୍ବା ଗହମ ମିଳିବ । ମାସକୁ ୧ କିଲୋ ଡାଲି ବି ମାଗଣାରେ ମିଳିବ । ଅନଲକ୍-୨ ପରିପ୍ରେକ୍ଷୀରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି । ଏହି ମାଗଣା ରାସନ ପାଇଁ ୫ ମାସରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ସତର୍କତା କମିଯାଉଥିବା ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଯୁଦ୍ଧ ଲଢ଼ୁ ଲଢ଼ୁ ଆମେ ଅନଲକ୍-୨ ସହ ବର୍ଷା ଋତୁରେ ପ୍ରବେଶ କଲୁଣି । ବର୍ଷା ଋତୁରେ ଥଣ୍ଡା, ଜ୍ୱର ସମ୍ଭାବନା ଅଧିକ ଥିବାରୁ ଆମପାଇଁ ଅଧିକ ସତର୍କତା ଜରୁରୀ । ମାତ୍ର ଅନଲକ୍-୧ ପରଠାରୁ ଆମମାନଙ୍କ ମଧ୍ୟରେ ଅସତର୍କତା ଦେଖାଯାଇଛି । ସତର୍କତା ଅଧିକ ଜରୁରୀ ଥିବା ବେଳେ ଏଭଳି ଅସତର୍କତା ଅଧିକ ଚିନ୍ତାଜନକ ହୋଇଛି । ଲକଡାଉନ୍ ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଥିବାରୁ ସରକାର ଓ ଦେଶର ନାଗରିକମାନେ ପୂର୍ବଭଳି ସତର୍କତା ଦେଖାଇବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ରେ ଲୋକମାନେ ଅଧିକରୁ ଅଧିକ ସତର୍କ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ୧୬ ମିନିଟ୍ ର ସମ୍ବୋଧନରେ କୋଭିଡ୍ ନିୟମ ଉଲ୍ଲଂଘନକାରୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯେଉଁମାନେ ନିୟମ ମାନୁନାହାନ୍ତି, ତାଙ୍କୁ ରୋକିବା ଏବଂ ଧରିବା ନିହାତି ଜରୁରୀ ବୋଲି ତାଗିଦ୍ କରିଛନ୍ତି । ଏହା ୧୩୦ କୋଟି ଲୋକଙ୍କ ଜୀବନର କଥା । ଆମେ କେହି ଟିକେ ବି ଅସତର୍କ ହେବା ନାହିଁ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏ କେହି ନିୟମରୁ ଉଦ୍ଧ୍ୱର୍ରେ ନୁହଁନ୍ତି । ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା କଡ଼ାକଡ଼ି ମାନିବା ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଲୋକାଲ ପାଇଁ ଭୋକାଲ ହେବାକୁ ଆହ୍ୱାନ ଦେଇଛନ୍ତି ।