ଭୁୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସଂକ୍ରମଣ । କରୋନା ରୋଗୀଙ୍କ ସଂଖ୍ୟା ୮ ହଜାର ପାର୍ ହୋଇଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ କରୋନା ପଜିଟିଭ୍ ୫୦୦ ଅତିକ୍ରାନ୍ତ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୬୧ ପଜିଟିଭ୍ । ସେମାନଙ୍କ ମଧ୍ୟରୁ ୧୩୬ ଲୋକାଲ୍ କଣ୍ଟାକ୍ଟ କେସ୍ ହୋଇଥିବା ବେଳେ ୪୨୫ ହେଉଛନ୍ତି କ୍ୱାରେଣ୍ଟାଇନ୍ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗୋଟେ ଦିନରେ ଏତେ ସଂଖ୍ୟକ କରୋନା ପଜିଟିଭ୍ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ଗତ ଜୁନ୍ ୨୦ ତାରିଖରେ ଦିନକରେ ୩୦୪ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆହୁରି ଉଦବେଗର ବିଷୟ ହେଉଛି, ଗତକାଲି କଟକ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲ୍ ରୁ ଏକକାଳୀନ ୧୮ ରୋଗୀ, ୩୬ ଜଣ ରୋଗୀ ସମ୍ପର୍କୀୟ ଏବଂ ଜଣେ ଷ୍ଟାଫ୍ ନର୍ସ ଏହିଭଳି ମୋଟ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଆଲୋଡ଼ନ ସୃଷ୍ଟି କରିଛି । ସେହିଭଳି କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରୁ ୧୧ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ବରଗଡ଼-୨୧, ଭଦ୍ରକ-୧, ବଲାଙ୍ଗୀର-୧୯, କଟକ-୮୧, ଢ଼େଙ୍କାନାଳ-୩, ଗଞ୍ଜାମ-୨୮୩, ଜଗତସିଂହପୁର-୬, ଯାଜପୁର-୩, ଝାରସୁଗୁଡ଼ା-୨, କଳାହାଣ୍ଡି-୫, କେନ୍ଦ୍ରାପଡ଼ା-୨, କେନ୍ଦୁଝର-୬, ଖୋର୍ଦ୍ଧା-୨୬, କୋରାପୁଟ-୪, ମୟୁରଭଂଜ-୧୦, ପୁରୀ-୧, ରାୟଗଡ଼ା-୭୬, ସମ୍ବଲପୁର-୮, ସୁନ୍ଦରଗଡ଼-୩ ଏବଂ ଏନଡିଆରଏଫ୍(କୋଲକତା ଫେରନ୍ତା)-୧ ।
ନୂଆ ୫୬୧ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ ହୋଇଛି । ଆଜି ନୂଆ ୧୪୯ ସୁସ୍ଥ ହୋଇଥିବାରୁ ଏ ପର୍ଯ୍ୟନ୍ତ ମୋଟ ୫୫୦୨ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୨୫୬୭ ।ରାଜ୍ୟରେ କରୋନା ୨୯ ଜଣଙ୍କ ଜୀବନ ନେଲାଣି ।