ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହେବାକୁ ଯାଉଛି । ଝରାଫୁଲଙ୍କ ତଥାକଥିତ ବୟଫ୍ରେଣ୍ଡ୍
ହିଁ ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସ ସିଦ୍ଧାନ୍ତରେ ପହଞ୍ଚିଛି । କମିଶନରେଟ୍ ପୁଲିସ ସହାୟତାରେ ଯାଜପୁର ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ସଂପୃକ୍ତ ଅଭିଯୁକ୍ତ ରାକେଶ ସ୍ୱାଇଁ ଓରଫ୍ ନନ୍ଦୁକୁ ତା’ ସୁନ୍ଦରପଦା ଘରୁ ଉଠାଇ ଆଣିଥିଲା । ଏୟାରଫିଲଡ୍ ଥାନାରେ ପଚରାଉଚୁରା କରାଯିବା ପରେ ତାକୁ ଗିରଫ କରାଯାଇଛି । ଆଜି ରାତିରେ ପୁଲିସ ତାକୁ ଯାଜପୁର ନେଇଯାଇଛି ।
ଝରାଫୁଲଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ବୋଲି ରାକେଶ ପୁଲିସ ଆଗରେ ସ୍ୱୀକାର କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ବିସ୍ତୃତ ତଥ୍ୟ ଓଗାଳୁଛି ପୁଲିସ । ରାକେଶଠାରୁ ସବୁ ସତ ବାହାର କଲା ପରେ ଯାଜପୁର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇବ ।
ସୂଚନାଥାଉକି, ଗତକାଲି ସକାଳ ପ୍ରାୟ ୮ଟା ବେଳେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ରାସ୍ତାକଡରୁ ଝରାଫୁଲଙ୍କ ମୃତ ଶରୀର ଜବତ ହୋଇଥିଲା । ଦୁଇଜଣ ଯୁବକ ଏକ ସ୍କୁଟିରେ ଏହି ମୃତ ଶରୀରକୁ ଆଣି ସେଠାରେ ଫିଙ୍ଗି ଦେଇଥିଲେ । ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଏବଂ ଝରାଫୁଲଙ୍କ ବାପାଙ୍କ ବୟାନ ଆଧାରରେ କୁଆଖିଆ ପୁଲିସ ଛାନଭିନ୍ ଚଳାଇ ୧୮ ଘଣ୍ଟା ଭିତରେ ଅପରାଧୀଙ୍କ ଟେର୍ ପାଇଥିଲା । ସ୍କୁଟିରେ ଆସିଥିବା ଏହି ଦୁଇ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ଆଜି ଯାଜପୁର ଏସଡିପିଓ ଗଣମାଧ୍ୟମକୁ କହିବାର କିଛି ସମୟ ମଧ୍ୟରେ ଭୁବନେଶ୍ୱରର ସୁନ୍ଦରପଦାରୁ ରାକେଶକୁ ଉଠାଇ ଆଣିଥିଲା ଏୟାରଫିଲଡ୍ ଥାନା ପୁଲିସ । ଝରାଫୁଲର ମୃତ ଶରୀରକୁ ସ୍କୁଟିରେ ଧରି ପଛରେ ବସିଥିବା ଯୁବକ ହେଉଛି ରାକେଶ । ସ୍କୁଟି ଚଳାଉଥିବା ବ୍ୟକ୍ତିଟି ତାର ଜଣେ ସହଯୋଗୀ ବୋଲି ଜଣାପଡ଼ିଛି ।
ଝରାଫୁଲଙ୍କ ବାପା ରମାକାନ୍ତ ନାୟକଙ୍କ କହିବାନୁଯାୟୀ, ଏଲ ଆଣ୍ଡ ଟି ରେ ପାଇପ୍ ମିସ୍ତ୍ରୀ କାମ କରୁଥିବା ରାକେଶ ସ୍ୱାଇଁ ତାଙ୍କ ଝିଅ ସହ ସମ୍ପର୍କ ରଖିଥିବା ନେଇ ସେ ଅବଗତ ଥିଲେ । ତାଙ୍କ ଗାଁରେ ପାଇପ୍ ଲାଇନ୍ କାମ କରୁଥିବା ରାକେଶ କୌଣସି ସୂତ୍ରରୁ ଝରାଫୁଲର ଫୋନ୍ ନମ୍ବର ଯୋଗାଡ଼ କରି ସମ୍ପର୍କ ସ୍ଥାପନ କରିଥିଲା । ଏ ବିଷୟ ଜାଣିବା ପରେ ସେ ଝିଅର ଫୋନ୍ ନମ୍ବର ବଦଳାଇବା ସହ ଗାଁରୁ ଅନ୍ୟତ୍ର(ମାମୁଁଘର) ନେଇଯାଇଥିଲେ । ତେବେ ତାହା ପରେ କେମିତି କ’ଣ ସମ୍ପର୍କ ଥିଲା ସେ ଜାଣିନାହାନ୍ତି ।
କଲେଜ ବନ୍ଦ ଥିବାରୁ ମୟୁରଭଞ୍ଜରେ ବାପାମାଆଙ୍କ ସହ ରହୁଥିବା ଝରାଫୁଲ ଭୁବନେଶ୍ୱରରେ ରହୁଥିବା ଧର୍ମ ଭଉଣୀଙ୍କ ଜନ୍ମଦିନରେ ଯୋଗଦେବାକୁ ୨୪ ତାରିଖରେ ଆସିଥିଲେ । ୨୬ ତାରିଖରେ ସେ ଘରକୁ ଫେରିବା ପାଇଁ ସକାଳେ ବସ୍ ରେ ବସିଥିଲେ ମଧ୍ୟ ବାଣୀବିହାରରେ ଓହ୍ଲାଇ ପଡ଼ିଥିଲେ । ତାଙ୍କ ପେଟ ଖରାପ ଥିବାରୁ ଯାଇପାରିଲେ ନାହିଁ ଏବଂ ସାଙ୍ଗ ସୋନାଲି ଘରେ ରହିଥିବା ରାତିରେ ଘରକୁ ଜଣାଇଥିଲେ । ତେବେ ତାହା ପରର ଘଟଣା ଥିଲା ରହସ୍ୟମୟ ।