କଟକ: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ(୭୩) ଏବଂ ତାଙ୍କ ସହଯୋଗୀ-ଦାଦା ଦିବ୍ୟସିଂହ ବରାଳ(୮୪)ଙ୍କ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କୁ ଏକ ଅଜ୍ଞାତସ୍ଥାନରେ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଏହାର ସବିଶେଷ ସୂଚନା ଦେବେ ବୋଲି ଜଣାପଡିଛି ।
ମୃତ କୁଳମଣିଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳ ପୁଲିସରେ ଦେଇଥିବା ଏତଲାରେ ୧୩ ଜଣଙ୍କ ନାଁ ନେଇଛନ୍ତି । ପୁଲିସ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିଥିବା ସୂଚନା ମିଳିଛି । କୁଆଡେ ସେମାନେ ରମାକାନ୍ତଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ, ମାତ୍ର ସେଥିରେ ସଫଳ ନ ହୋଇ ତାଙ୍କ ବାପାଙ୍କୁ ହତ୍ୟା କଲେ ବୋଲି ପୁଲିସ ଆଗରେ ମାନିଛନ୍ତି । କିଛି ଦିନ ତଳେ ଏକ ରାଲିକୁ କେନ୍ଦ୍ର କରି ରମାକାନ୍ତଙ୍କ ସହ ସେମାନଙ୍କର ବଚସା ହୋଇଥିବା ଏହି ସୂତ୍ରରୁ କୁହାଯାଇଛି ।
ତେବେ ସେ ଯାହା ହେଉ, ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା ଏବଂ ହତ୍ୟାକାଣ୍ଡ ପୂର୍ବରୁ ହତ୍ୟାକାରୀମାନେ ରେକି କରିଥିବା ପୁଲିସ ଜାଣିବାକୁ ପାଇଛି । ଅଟକ ୪ ଅଭିଯୁକ୍ତଙ୍କଠାରୁ ଗୋଟିଏ ଖଣ୍ଡା ଏବଂ ଲାଠି ଜବତ କରାଯାଇଛି । ଏସପିଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହାର ସ୍ପଷ୍ଟ ସୂଚନା ମିଳିପାରିବ ।
ଅନ୍ୟପକ୍ଷରେ ଏତଲାରେ ୧୩ ନଂ ମୁଦାଲା ଥିବା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବିରେ ବିରୋଧୀ ଦଳର ଆନ୍ଦୋଳନ ତୀବ୍ର ହୋଇଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟର ସବୁ ଥାନା ଘେରାଉ କରାଯାଉଛି । ସେହିଭଳି ଭୁବନେଶ୍ୱରରେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିବାକୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ହୋଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ମନ୍ତ୍ରୀଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।