ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ତ ଭ୍ୟାକସିନ୍ ମେକର୍ ଏବଂ ବିଦେଶ ସପ୍ଲାୟର୍ ଭାବେ ନାଁ କମେଇଥିବା ଆମ ଦେଶ ଭାରତ ତା’ର ନିଜ ରାଜ୍ୟମାନକୁ ଆବଶ୍ୟକୀୟ ଭ୍ୟାକସିନ୍ ଯୋଗାଇବାରେ ବିଫଳ ହୋଇଛି । ଦ୍ୱିତୀୟ ଲହର ସଂକ୍ରମଣ ବେଳକୁ ଝାଡ଼ଖଣ୍ଡରେ ଭ୍ୟାକସିନ୍ ଅଭାବରୁ ଟିକାକରଣ ବନ୍ଦ ହୋଇଯାଇଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଅନୁରୂପ ଅବସ୍ଥା ହେବାକୁ ଯାଉଛି । ଭ୍ୟାକସିନ୍ ଅଭାବରୁ ବିଭିନ୍ନ ଜିଲ୍ଲାରେ ୪୦୦ କୋଭିଡ୍ ଭ୍ୟାକସିନ୍ ସେଣ୍ଟର ବନ୍ଦ ହୋଇଗଲାଣି । ବର୍ତ୍ତମାନ ପରିସ୍ଥିତିରେ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଭ୍ୟାକସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ମେଲ୍ ଏବଂ ଚିଠି ଲେଖାଯାଇଥିଲେ ମଧ୍ୟ ଉତ୍ତର ନାହିଁ । କେନ୍ଦ୍ର ନ ଦେଲେ ରାଜ୍ୟରେ ଆଉ ଟିକାକରଣ ସମ୍ଭବ ନୁହେଁ । ୨ ଦିନରେ ଟିକାକରଣ ବନ୍ଦ ହୋଇଯାଇପାରେ ।
ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାରା ରାଜ୍ୟର ପ୍ରାୟ ୧୫୦୦ କେନ୍ଦ୍ରରେ କୋଭିଡ୍ ଭ୍ୟାକସିନେସନ୍(ଟିକାକରଣ) ଚାଲିଥିଲା । ତେବେ ଟିକା କମ୍ ଥିବାରୁ ଇତିମଧ୍ୟରେ ୪୦୦ କେନ୍ଦ୍ର ବନ୍ଦ ହୋଇଗଲାଣି । ବର୍ତ୍ତମାନ ୧୧୩୦ କେନ୍ଦ୍ରରେ ଭ୍ୟାକସିନେସନ୍ ଚାଲିଛି । ମେଲ୍ ଏବଂ ଚିଠି ଲେଖିବା ସତ୍ତ୍ୱେ ରାଜ୍ୟ ପାଇଁ ଆବଶ୍ୟକୀୟ ଟିକା କେନ୍ଦ୍ର ଦେଇନି ।
ଶ୍ରୀ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ ଦିନ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । ମାତ୍ର ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିପାରୁନୁ । ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଦେବା ପାଇଁ ଆମେ କେନ୍ଦ୍ରକୁ ଜଣାଇଛୁ । କେନ୍ଦ୍ର ନ ଦେଲେ, ୨ ଦିନରେ ଟିକାକରଣ ବନ୍ଦ ହୋଇଯାଇପାରେ ।
ଗୋଟେ ପଟେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଆଜି ୭୯୧ ରେ ପହଞ୍ଚିଛି । ଏତିକିବେଳେ ରାଜ୍ୟରେ କୋଭିଡ୍ ଟିକା ଅଭାବ ଜନସାଧାରଣଙ୍କୁ ଆହୁରି ଛାନିଆଁ କରିଛି । କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଅଧିକ ତତ୍ପର ହେବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ମୁରଲୀଧରନଙ୍କ ତଥ୍ୟ ଅନୁଯାୟୀ ଭାରତ ଏ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ରକୁ ୪୮୧ ଲକ୍ଷ ରୁ ଅଧିକ ଡୋଜ୍ ଭ୍ୟାକସିନ୍ ଯୋଗାଇ ସାରିଲାଣି । ସେଥିମଧ୍ୟରୁ ୭୩.୫ ଲକ୍ଷ ଡୋଜ୍ ସହାୟତା ଆକାରରେ ଦିଆଯାଇଥିବା ବେଳେ ୨୮୮.୪ ଲକ୍ଷ ଡୋଜ୍ ବିକ୍ରି ହୋଇଛି । ଦେଶରେ କରୋନାର ଦ୍ୱିତୀୟ ଲହର ଆସିଥିବାରୁ ବିଦେଶକୁ ଭ୍ୟାକସିନ୍ ଯୋଗାଣ ସାମୟିକ ଭାବେ ବନ୍ଦ କରାଯାଇଛି ।