ଭୁବନେଶ୍ୱର : କୋଭିଡ୍-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭୀତ । ଲକ୍ଡାଉନ ଓ ସଟ୍ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଏକ ଖୁସିର ଖବର । ଭୁବନେଶ୍ୱର ସ୍ଥିତ ଏହି ହସ୍ପିଟାଲ୍ରେ କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷିୟା ଜଣେ ବୃଦ୍ଧା ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ନାଗରିକ ଜଣକ ଗତ ମେ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପୀଡ଼ିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ୍ରେ ଭର୍ତି କରାଇଥିଲେ । ତେବେ ସମ୍ କୋଭିଡ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୂଳମଣି ବିଶ୍ୱାଳ କହିଛନ୍ତି ।
ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛନ୍ତି ନାତି ରାକେଶ ବିଶ୍ୱାଳ ଓ ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ । କରୋନା ହେବା ପରେ ଜେଜେମା ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି କହିଛନ୍ତି ନାତି ରାକେଶ ।