ସୁଶାନ୍ତଙ୍କ ପାଇଁ ଓଡ଼ିଶା ଗଣମାଧ୍ୟମ ଅଶାନ୍ତ । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ନିଇତି ଚିନ୍ତାରେ ଆମ ରାଜ୍ୟର କିଛି ପ୍ରମୁଖ ଏବଂ ସାମାଜିକ ଗଣମାଧ୍ୟମ । ଗତ ୧୪ ତାରିଖରେ ମୁମ୍ବାଇରେ ଆତ୍ମହତ୍ୟା କଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ । କିନ୍ତୁ କ୍ରାଇମ୍ ସ୍ପଟ୍ ଆଦୌ ଦେଖି ନଥିବା, ପାରିପାର୍ଶ୍ୱିକ ସ୍ଥିତିକୁ ଆଦୌ ଅବଲୋକନ କରି ନଥିବା ଏବଂ ତଦନ୍ତ ଅଧିକାରୀଙ୍କ ସହ ଆଦୌ କଥାବାର୍ତ୍ତା କରି ନଥିବା ଓଡ଼ିଶା ଗଣମାଧ୍ୟମ ତାଙ୍କ ମୃତ୍ୟୁ ଖବରକୁ ବିଭିନ୍ନ ଆଙ୍ଗଲରୁ ଯଥା ସମ୍ଭବ ବଞ୍ଚାଇ ରଖିଛି । ପ୍ରତିଦିନ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ କିଛି ନା କିଛି ଖବର ଦେଖିବାକୁ ମିଳୁଛି ।
ମୃତ୍ୟୁ ସମସ୍ତଙ୍କ ପାଇଁ ଚିରନ୍ତନ । ସେ ପ୍ରତିଷ୍ଠିତ ହୁଅନ୍ତୁ ବା ସାଧାରଣ ଲୋକ, ସମାଜ ପାଇଁ ସେମାନଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଦୁଃଖଦାୟକ ଏବଂ କ୍ଷତିକାରକ । ଏଥିରେ ଦ୍ୱିମତ ନାହିଁ । ହେଲେ ସୁଶାନ୍ତଙ୍କ ଭଳି ଜଣେ ପ୍ରତିଷ୍ଠିତ ଅଭିନେତା, ଯାହାଙ୍କ ଭବିଷ୍ୟତ ଅତି ଉଜ୍ଜ୍ୱଳ ଥିଲା, ସେ ଆତ୍ମହତ୍ୟା କଲେ କାହିଁକି ? କେଉଁ ପରିସ୍ଥିତିରେ ସେ ଏଭଳି ପଦକ୍ଷେପ ନେଲେ ? ସୁଶାନ୍ତ, ବ୍ୟକ୍ତିଗତ କାରଣରୁ ନା ବୃତ୍ତିଗତ କାରଣରୁ ଆତ୍ମହତ୍ୟା କରିଛନ୍ତି ? ଯଦି ବୃତ୍ତିଗତ କାରଣରୁ, ତେବେ ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ? ଏ ପ୍ରଶ୍ନର ଉତ୍ତର ସାମ୍ନାକୁ ନିହାତି ଆସିବା ଦରକାର । ଯଦି ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ଥିବା ନିରପେକ୍ଷ ତଦନ୍ତରେ ଜଣାପଡ଼େ ଏବଂ ତାହା କୋର୍ଟରେ ପ୍ରମାଣିତ ହୁଏ, ତେବେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବାର ନିଶ୍ଚିତ ଆବଶ୍ୟକତା ରହିଛି ।

ଆତ୍ମହତ୍ୟା ମହାପାପ । ଏହା ଏକ ମାନସିକ ପ୍ରବଣତା । କିଏ, କେଉଁ ପରିସ୍ଥିତିରେ, କେତେବେଳେ ଏମିତି ପଦକ୍ଷେପ ନେବ, ତାହା କହିବା ମୁସ୍କିଲ୍ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ସଫଳତା ଏବଂ ବିଫଳତା ଜୀବନର ଦୁଇଟି ପାର୍ଶ୍ୱ । ସଫଳତା ପାଇ ହସଖୁସିରେ ରହିବାକୁ ଚାହୁଁଥିବା ବ୍ୟକ୍ତି ବିଫଳତାକୁ ସାମ୍ନା କରିବା କିମ୍ବା ପରିଚାଳନା କରିବାର ଦମ୍ଭ ରଖିବା ଦରକାର । ଯାହା ସୁଶାନ୍ତଙ୍କ ଠାରେ ଅଭାବ ହେଲା । ବଲିଉଡରେ କାମ କରିବା ଏତେଟା ସହଜ ନୁହେଁ । ଟ୍ୟାଲେଣ୍ଟ ଥାଇ ବି ସେଠି ହଜିଯିବାର ନଜିର୍ କିଛି କମ୍ ନାହିଁ । କାରଣ ପ୍ରତି ମୁହୁର୍ତ୍ତରେ ସେଠି ଥାଏ କେବଳ ସଂଘର୍ଷ ହିଁ ସଂଘର୍ଷ । ଯାହାକୁ ସାମ୍ନା କରିବାକୁ ବ୍ୟକ୍ତିଗତ ସ୍ତରରେ ଧୈର୍ଯ୍ୟ ଏବଂ ସାହସର ଆବଶ୍ୟକତା ଜରୁରୀ । କିନ୍ତୁ ସୁଶାନ୍ତଙ୍କ ଠାରେ କଣ ଅଭାବ ରହିଲା ? ମାସିକ ସାଢେ ୪ ଲକ୍ଷ ଟଙ୍କିଆ ଫ୍ଲାଟରେ ଚାକର ବାକର ଧରି ରହୁଥିବା ସୁଶାନ୍ତଙ୍କର ଏମିତି କି ଅଭାବ ପଡ଼ିଲା ? ସୁଶାନ୍ତଙ୍କ ପାଇଁ, ପୋଲିସ ଆଇପିସିର ଧାରା ୩୦୬ (ମୃତ୍ୟୁର କାରଣ ସାଜିବା) ଆଙ୍ଗଲରୁ ତଦନ୍ତ କରୁଛି । କିନ୍ତୁ ଆତ୍ମହତ୍ୟା ପଦକ୍ଷେପ ନେଉ ନେଉ ଯଦି ସେ ବଞ୍ଚି ଯାଇଥାନ୍ତେ, ତେବେ ବର୍ତ୍ତମାନ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୯ (ଆତ୍ମହତ୍ୟା ଉଦ୍ୟମ କରିବା)ରେ ମାମଲା ରୁଜୁ ହୋଇଥାନ୍ତା ।
ଏମିତି ଅନେକ ପ୍ରଫେସନ ଅଛି, ଯେଉଁଠି ଭବିଷ୍ୟତ ବା କ୍ୟାରିଅର୍ ଅନିଶ୍ଚିତ । ଫିଲ୍ମ ଇଣ୍ଡଷ୍ଟ୍ରି ଭଳି ମିଡିଆ ଇଣ୍ଡଷ୍ଟ୍ରି । ଯେଉଁଠି ଦିନେ ଦୀର୍ଘ ୧୫ ବର୍ଷ ତଳୁ କ୍ୟାରିଅର ଆରମ୍ଭ କରିଥିଲେ କ୍ୟାମେରା ମ୍ୟାନ୍ ସୁକାନ୍ତ ପାଣିଗ୍ରାହୀ । ଦୀର୍ଘଦିନ ଧରି ବିଶ୍ୱସ୍ତ ଭାବେ କାମ କରିବା ପରେ ମଧ୍ୟ ତାଙ୍କ ଦକ୍ଷତା ଉପରେ ଉଠିଲା ପ୍ରଶ୍ନ । ତାହା ପୁଣି ମାନବିକତାକୁ ଜଳାଞ୍ଜଳି ଦେଇ… ସେ କର୍କଟ ରୋଗରେ ପୀଡ଼ିତ ଥିବା ସମୟରେ । ଲକ୍ଷାଧିକ ଟଙ୍କା ଧାର କରଜ କରି ଅପରେସନ୍ ପରେ ଆଂଶିକ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ସୁକାନ୍ତଙ୍କୁ ଚାକିରିରୁ ବାହାର କରିଦେଲା ତାଙ୍କ ସଂସ୍ଥା । ନିଜ ବୃତ୍ତିର ସମସ୍ତ ସହକର୍ମୀ ଏବଂ ବନ୍ଧୁଙ୍କ ସହ ବେଶ୍ ଭଲ ସମ୍ପର୍କରେ ଥିଲେ ସେ । ବର୍ଷେ ଧରି ଆ’ ଦୁଅର ତା’ ଦୁଆର ହେଲେ । କିନ୍ତୁ ତାଙ୍କ ମିଡିଆ ବନ୍ଧୁମାନେ ‘ଆହା’ କହିଲେ ପଛେ ‘ସାହା’ ହେଲେନି ।






