ଭୁବନେଶ୍ୱର: ପାୱାରଫୁଲ୍ ମନ୍ତ୍ରୀଙ୍କ ପାୱାରଫୁଲ୍ ଝିଅ । ଏତେ ପାୱାରଫୁଲ୍ ଯେ କୋଭିଡ୍ କଟକଣାକୁ ଗୋଟେ ଚୁଟକିରେ ଦଳି ଦେଇଛନ୍ତି । କୋଭିଡ୍ ନିୟମର କଡ଼ା କଟକଣାକୁ ଖାତିର କରିନାହାନ୍ତି ମନ୍ତ୍ରୀଙ୍କ ଝିଅ । ପ୍ରଶାସନର ବିନା ଅନୁମତିରେ ସରକାରୀ କନଫରେନ୍ସ ହଲ୍ ରେ କରିଛନ୍ତି ବେସରକାରୀ ଆୟୋଜନ । ଜିଲ୍ଲାପାଳ ମହୋଦୟ ଅନୁମତି ଦେଇ ନ ଥିଲେ ମଧ୍ୟ ମନ୍ତ୍ରୀଙ୍କ ଝିଅ ବୋଲି ସମ୍ଭବତଃ ମୁଣ୍ଡ ନୂଆଇଁ ଦେଇଛନ୍ତି । କ୍ଷମତାର ଅହଂକାର ଏତେ ଯେ ବାପାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବ ଦାସ ବୋଲି ସମାବେଶରେ ସମ୍ବୋଧନ କରିଛନ୍ତି ଝିଅ । ଯାହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।

ଗତ ୨୨ ତାରିଖରେ ଝାରସୁଗୁଡ଼ା ଡିଆରଡିଏ କନଫରେନ୍ସ ହଲ୍ ରେ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ୍ ନାମକ ଦାସ ପରିବାରର ଅନୁଷ୍ଠାନ ପକ୍ଷରୁ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ଆୟୋଜନ ହୋଇଥିଲା । ଯେଉଁ ନରସିଂହ ବିଷ୍ଣୁପ୍ରିୟାଙ୍କ ନାଁରେ ଏହି ଅନୁଷ୍ଠାନ, ସେମାନେ ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାପା ଓ ମାଆ । ଅନୁଷ୍ଠାନର ଜଣେ ଟ୍ରଷ୍ଟି ହେଉଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ବାପାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ମଇଦାନକୁ ଆସିଥିବା ଦୀପାଳି ଏହାର ସମସ୍ତ ଆୟୋଜନ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଭିଡ୍ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସଭା, ସମିତି, ଉତ୍ସବ ଉପରେ କଡ଼ା କଟକଣା ଜାରି ରହିଛି । ଗତ ଜୁନ୍ ୧୨ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହାର ଗାଇଲାଇନ୍ ଦିଆଯାଇଛି । ଅତି ଜରୁରୀ ନ ଥିଲେ ସରକାରୀସ୍ତରରେ କୌଣସି ବୈଠକ ହୋଇପାରିବ ନାହିଁ । ନିହାତି ଜରୁରୀ ଥିଲେ ସାମାଜିକ ଦୂରତା ରଖି ୧୦ ଜଣରୁ କମ ଲୋକଙ୍କୁ ନେଇ ବୈଠକ କରାଯାଇପାରିବ ବୋଲି କୁହାଯାଇଛି ।
ମାତ୍ର ରାଜ୍ୟ ସରକାରଙ୍କ କଟକଣାକୁ ଭ୍ରୃକ୍ଷେପ କରିନାହାନ୍ତି ମନ୍ତ୍ରୀଙ୍କ ଝିଅ । ନିଜ ପରିବାର ସମ୍ବନ୍ଧିତ ଟ୍ରଷ୍ଟ ପକ୍ଷରୁ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ବିରାଟ ଆୟୋଜନ କରିଥିଲେ । ତାହା ପୁଣି ଝାରସୁଗୁଡ଼ା ଡିଆରଡିଏ କନଫରେନ୍ସ ହଲ୍ ରେ । ଯେଉଁଠି ପାଖାପାଖି ୭୦ ଲୋକ ଉପସ୍ଥିତ ଥିଲେ । ସାମାଜିକ ଦୂରତା କଥା ସମସ୍ତେ ଭୁଲି ଯାଇଥିଲେ । ଜିଲ୍ଲାପାଳ ଏହି ଆୟୋଜନ ପାଇଁ କାଗଜ କଲମରେ ଅନୁମତି ଦେଇ ନ ଥିଲେ ସତ ହେଲେ ବାରଣ ବି କରି ନ ଥିଲେ । ଓଲଟି ସମ୍ଭବତଃ ପିଅନ ହାତରେ କନଫରେନ୍ସ ହଲ୍ ର ଚାବି ଧରେଇଥିଲେ । କାରଣ ଥିଲା ଗୋଟିଏ । ମନ୍ତ୍ରୀଙ୍କ ପରିବାରର ଆୟୋଜନ ।
ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ନିଇତି ମୁଣ୍ଡ ବାଡୋଉଥିବା ବେଳେ ଝାରସୁଗୁଡ଼ାରେ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ସରକାରୀ କନଫରେନସ୍ ହଲ୍ କୁ ବେଆଇନ ଅକ୍ତିଆର କରି କୋଭିଡ୍ ନିୟମର ଉଲ୍ଲଂଘନ କରିବା ସାମାନ୍ୟ ଘଟଣା ହୋଇ ନ ପାରେ । ଏହି ସାଂଘାତିକ ଅପରାଧରେ ମନ୍ତ୍ରୀଙ୍କ ଝିଅ ଯେତିକି ଦାୟୀ ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟ ସମପରିମାଣରେ ଦାୟୀ । କୋଭିଡ୍ ନିୟମ ଭାଙ୍ଗୁଥିବା ସାଧାରଣ ଲୋକଙ୍କ ପିଠିରେ ପୁଲିସ ଛାଟ ବାଜୁଥିବା ବେଳେ ମନ୍ତ୍ରୀଙ୍କ ଝିଅକୁ ଛାଟ ବାଜିଲା ନାହିଁ କାହିଁକି? ଆଜି ସାଧାରଣ ଜନତା ଏହି ପ୍ରଶ୍ନ ପଚାରୁଛନ୍ତି ।
ସୂଚନାଯୋଗ୍ୟ, ବାପାଙ୍କ ପତିଆରା ଧରି ନୂଆ ନୂଆ ରାଜନୀତି ମଇଦାନରେ ଖେଳୁଥିବା ଦୀପାଳି ଦାସ ମାସ କେଇଟାରେ କ୍ଷମତା ଓ ଅହଂକାରରେ ବାପାଙ୍କୁ ବଳି ଗଲେଣି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଫିସିଆଲ୍ ପ୍ରତିନିଧି ଭାବେ ନିଜର ପରିଚୟ ତିଆରି କରିଛନ୍ତି । ମନ୍ତ୍ରୀଙ୍କର ଅଫିସିଆଲ୍ ପ୍ରତିନିଧି ବୋଲି କୌଣସି ପଦବୀ କି ବ୍ୟବସ୍ଥା ନ ଥିଲେ ମଧ୍ୟ ନବ ଦାସଙ୍କ ଝିଅ ନିଜ କ୍ଷେତ୍ରରେ ତାହା କରିକି ଦେଖାଉଛନ୍ତି ।






